ପଥର ଶିଳ୍ପକୁ ନାଁ; ଘାରିଛି ଭବିଷ୍ୟତ ପୀଢିଙ୍କ ସୁରକ୍ଷା ଚିନ୍ତା

ହରଭଙ୍ଗା: ୨ ଜାନୁୟାରୀ ୧୯୯୪ରେ ବୌଦ୍ଧ ଜିଲ୍ଲା ଗଠନ ହେଲା। ଜିଲ୍ଲା ଗଠନକୁ ୨୮ବର୍ଷ ପୂର୍ତ୍ତି ହୋଇସାରିଛି। ଜିଲ୍ଲାର ବିକାଶ ମାନଚିତ୍ରରେ ଅନେକ ପରିବର୍ତ୍ତନ ଘଟିଛି। ରାଜ୍ୟର ୩୦ନମ୍ବର ଜିଲ୍ଲା ସତ୍ତ୍ବେ ବୌଦ୍ଧର ବିକାଶଚିତ୍ର ଦ୍ରୁତଗତିରେ ବଦଳୁଥିବାରୁ ଆଗକୁ ଏହା ଏକ ଅଗ୍ରଣୀ ଜିଲ୍ଲା ଭାବେ ନିଜର ପରିଚୟ ସୃଷ୍ଟି କରିବ। ମାତ୍ର ଏବେବି ବୌଦ୍ଧ ଜିଲ୍ଲାରେ ମନୁଷ୍ୟ ଉପକାରୀ ଶିଳ୍ପର ଅଭାବ ରହିଛି। ଶିଳ୍ପର ଅଭାବ ଯୋଗୁଁ ବେକାରୀ ସଂଖ୍ୟା ବୃଦ୍ଧି ସାଙ୍ଗକୁ ନିଯୁକ୍ତି ଏବଂ କର୍ମସଂସ୍ଥାନର ଅଭାବ ପ୍ରଭାବରେ ଯୁବକ, ବୟସ୍କ ବାହାର ରାଜ୍ୟକୁ ଦାଦନଖଟି ଯାଉଥିବା ଦେଖିବାକୁ ମିଳିଛି। ମାତ୍ର ଜିଲ୍ଲାରେ ଶିଳ୍ପର ଆବଶ୍ୟକତା ରହିଥିବାବେଳେ ଛତୁ ଫୁଟିଲା ପରି ବିନାଶକାରୀ ପଥର ଶିଳ୍ପ ସଂଖ୍ୟା ବୃଦ୍ଧି ବାସ୍ତବରେ ପରିବେଶ ସାଙ୍ଗକୁ ସାଧାରଣ ମଣିଷର ଜୀବନ ଆଉ ଜୀବିକା ଉପରେ ଏହାର କୁପ୍ରଭାବ ପଡ଼ିଛି। ଯାହାଦ୍ୱାର ଅମ୍ଳଜାନ ପର୍ଯ୍ୟଟନ ପାଇଁ ଜିଲ୍ଲା ପ୍ରଶାସନ ଡିଣ୍ଡିମ ପିଟୁଥିବାବେଳେ ଏଭଳି ବିନାଶକାରୀ ଶିଳ୍ପ ପ୍ରଭାବରେ ସୁନ୍ଦର ଶାନ୍ତ ପ୍ରଦୂଷଣମୁକ୍ତ ପରିବେଶ ନଷ୍ଟ ହେବାକୁ ବସିଛି। ଆଗକୁ ଏଭଳି ଶିଳ୍ପ ଜିଲ୍ଲାର ପ୍ରଦୂଷଣ ମାତ୍ରାକୁ ବୃଦ୍ଧି କରିବା ସହିତ ଏକ ପ୍ରଦୂଷଣମୟ ଜିଲ୍ଲାର ପରିଚୟ ସୃଷ୍ଟି କରିବ ବୋଲି ପରିବେଶବିତମାନେ ମତପ୍ରକାଶ କରୁଛନ୍ତି। ସବୁ ଦୃଷ୍ଟିକୋଣରୁ ପଥର ଶିଳ୍ପକୁ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଅନୁମତି ଦେଲେ ଜିଲ୍ଲାର ସ୍ୱାସ୍ଥ୍ୟରେ ହାନୀ ପହଞ୍ଚାଇବା ଯଥେଷ୍ଟ ସମ୍ଭାବନା ଏବଂ ଆଶଙ୍କା ରହିଛି। ବେଳ ଥାଉ ଥାଉ ଏହା ଉପରେ ବିଚାର ବିମର୍ସ କରାଯିବା ସହିତ ପରିବେଶ ସୁରକ୍ଷା ଏବଂ ସନ୍ତୁଳନର ଆବଶ୍ୟକତା ଦିଗରେ ବୈଜ୍ଞାନିକ ସମ୍ମତ ପରୀକ୍ଷାନୀରିକ୍ଷା କରିବାର ସମୟ ଆସିଛି। ନଚେତ ଗଭୀର ପଥରଖନନ ସାଙ୍ଗକୁ ବିସ୍ଫୋରଣର କୁପ୍ରଭାବରେ କୃତ୍ରିମ ଭୂମିକମ୍ପ ସୃଷ୍ଟି ହୋଇ ସେହି ଅଂଚଳ ମାଟିତଳେ ପୋତି ହୋଇ ଆଉ ଏକ ଇତିହାସ ରଚିବ ବୋଲି ଜ୍ଞାନୀ, ଗୁଣି ଏବଂ ପରିବେଶବିତ୍‌‌ମାନଙ୍କ ପକ୍ଷରୁ ମତପ୍ରକାଶ ପାଉଛି।

ପଥରକୁଆଁରୀ କ୍ରସର ବନ୍ଦ ଦାବୀରେ ଗଣଧାରଣା-

ଦୀର୍ଘ ୧୫ବର୍ଷହେଲା ପଥରଶିଳ୍ପ ଯନ୍ତ୍ରଣାରେ ପେଶିହୋଇ ଛଟପଟ୍‌‌ ହେଉଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଗ୍ରାମବାସୀଙ୍କ ପକ୍ଷରୁ ପଥର କୁଆଁରୀ ଏବଂ କ୍ରସର ବନ୍ଦ ଦାବୀ ପାଇଁ ପୁନଃ ଜନଆନ୍ଦୋଳନ ମୁଣ୍ଡଟେକିଛି। ଏହି ପରିପ୍ରୋକ୍ଷୀରେ ମଙ୍ଗଳବାର ସକାଳେ ଗ୍ରାମବାସୀଙ୍କ ପକ୍ଷରୁ କ୍ରସର ରାସ୍ତାରେ ଗଣଧାରଣା ଦିଆଯାଇଛି। ପଥର କୁଆଁରୀ ଏବଂ କ୍ରସର ବନ୍ଦପାଇଁ ପ୍ରଶାସନ ଲିଖୀତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଏହି ଗଣଧାରଣା ଅନିର୍ଦ୍ଦିଷ୍ଟ କାଳପାଇଁ ଜାରି ରହିବ ବୋଲି ଗ୍ରାମବାସୀ ପକ୍ଷରୁ କୁହାଯାଇଛି।ଜଙ୍ଗଲ ଜମି, ପରିବେଶ ସୁରକ୍ଷା ସାଙ୍ଗକୁ ଭବିଷ୍ୟତ ପୀଢିଙ୍କ ସୁରକ୍ଷା ପାଇଁ କୌଣସି ପରିସ୍ଥିତିରେ ସାଲିସ କରାଯିବନାହିଁ ବୋଲି ଆନ୍ଦୋଳନକାରୀ ସଫା ସଫା ଚେତାବନୀ ଦେଇଛନ୍ତି। ଯଦି ପ୍ରଶାସନ ଖରଭୁଇଁଠାରେ ପଥର କୁଆଁରୀ ଏବଂ କ୍ରସର ଚାଲୁପାଇଁ ଏତେ ଇଚ୍ଛା ଅଛି ଆମକୁ ଅନ୍ୟତ୍ର ଥଇଥାନ ସହିତ ଜମି, ଘରଦ୍ୱାର ଯୋଗାଇଦେଉ ନଚେତ୍‌‌ ଗାଁଲୋକଙ୍କୁ ମୃତ୍ୟୁଦଣ୍ଡ ଦେଇ ଖରଭୁଇଁରେ ରାଜ୍ୟସାରାର କ୍ରସର ସ୍ଥାପନ କରନ୍ତୁ ବୋଲି ଆନ୍ଦୋଳନକାରୀ ସଫାସଫା ଶୁଣାଇଛନ୍ତି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ସମାଧାନର ରାସ୍ତା ବାହାରକରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି। ଦୀର୍ଘ ତିନିଦିନ ହେଲା ଗଣଧାରଣା ଚାଲିଥିବାବେଳେ ଏଥିରେ ସ୍କୁଲ ପିଲା ମଧ୍ୟ ସାମିଲ ହେଉଥିବା ଦେଖିବାକୁ ମିଳିଛି।

୨୦୦୮ରେ ହରଭଙ୍ଗା ତହସିଲରେ ଜନ୍ମ ନେଇଥିଲା ପଥର ଶିଳ୍ପ-

ପଥର ଶିଳ୍ପ ଉପରେ ଜିଲ୍ଲାବାସୀ ଅନଭିଜ୍ଞ ଥିଲେ। ରାସ୍ତା, ଘାଟ ନିର୍ମାଣପାଇଁ ପଥର ତିଆରି ମେଟାଲ, ଚିପ୍ସ, ବଜୁରୀ, ପଥରଗୁଣ୍ଡ ଭଳି କଞ୍ଚାମାଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତ ୨୦୦୮ ମସିହାରେ ହରଭଙ୍ଗା ତହସିଲର ଖରଭୁଇଁଠାରେ ଏଆରଏସଏସ ନାମକ ଏକ ବେସରକାରୀ କମ୍ପାନୀ ଏହି ଶିଳ୍ପର ଶୁଭାରମ୍ଭ କଲେ।ଅନେକ ସମୟରେ ବିସ୍ଫୋରଣଜନିତ ମୃତ୍ୟୁ, ହାଇୱା ଚାପାରେ ଶିଶୁ ମୃତ୍ୟୁ ଭଳି ଅଘଟଣ ଯୋଗୁଁ ସ୍ଥାନୀୟ ଲୋକଙ୍କ ବିରୋଧ ଏବଂ ରାସ୍ତାରୋକ ସତ୍ତ୍ବେ ଗାଁ ଲୋକଙ୍କ ବୁଝାମଣା ମାନଅଭିମାନ ମଧ୍ୟରେ ଏହି ଶିଳ୍ପ ଦୀର୍ଘ ୧୪ବର୍ଷ ହେଲା ଏଠାରେ ନିଜର କାୟାବିସ୍ତାର କରି ପ୍ରଚୁର ପରିମାଣରେ ଗ୍ରାନାଇଟ ପଥର ଉତ୍ତୋଳନ ଚଳେଇ ଆସିଛି। ଏହାର କିଛିବର୍ଷ ପରେ ବାଇଶିପଡ଼ା ଅଂଚଳରେ ଦୁର୍ଗା କନଷ୍ଟ୍ରକ୍ସନ ଦ୍ୱାରା ଏହି ଶିଳ୍ପ କିଛିବର୍ଷ ଚାଲିଥିଲା। ପୁଣି ଗତ ୨୦୧୬ରେ ଖରଭୁଇଁ ଋଷିମୁଣ୍ଡିଆରେ ଦ୍ୱିତୀୟ ଏବଂ ୨୦୧୮ରେ ତୃତୀୟ ପଥର ଶିଳ୍ପ ଜନ୍ମ ନେଇଥିଲା। ଖରଭୁଇଁ ଋଷିମୁଣ୍ଡିଆ ପାହାଡରେ ଗଛିତଥିବା ଗ୍ରାନାଇଟ ପଥର ଉପରେ ପଥର ବ୍ୟବସାୟୀଙ୍କ ଲୋଲୁପଦୃଷ୍ଟି ଏବଂ ଗୋଟିଏ ସ୍ଥାନରେ ୪ଟି କ୍ରସର ସହିତ ୭ଗୋଟି ପଥର କୁଆଁରୀ ଗଢି ଉଠିଥିଲା। ଯାହାଦ୍ୱାରା ଖରଭୁଇଁ ଗ୍ରାମ ପାର୍ଶ୍ବରେ ବେଆଇନ ପଥର ବିସ୍ଫୋରଣ ଲୋକଙ୍କ ଜୀବନ ଜୀବିକାକୁ ବହୁମାତ୍ରାରେ ପ୍ରଭାବିତ କରିଥିଲା। ଶେଷରେ ଏଭଳି ଶିଳ୍ପକୁ ବନ୍ଦ କରାନଗଲେ ଆଗାମୀ ଭବିଷ୍ୟତ ପୀଢିଙ୍କ ଜୀବନ ପ୍ରତି ବିପଦ ଥିବା ଗ୍ରାମବାସୀ ହୃଦୟଙ୍ଗମ କରି ପାରିଥିଲେ। ଶେଷରେ ଗତ ଜୁନ୍ ୨୦୨୧ରେ କ୍ରସର ବିରୋଧି ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଜଙ୍ଗଲ ଜମି ସୁରକ୍ଷା, ପରିବେଶ ନଷ୍ଟ ଏବଂ ଜୀବନ ଜୀବିକା ସୁରକ୍ଷା ଦିଗରେ ସାଲିସ କରାଯିବ ନାହିଁ ବୋଲି ଗ୍ରାମବାସୀ ବଜ୍ର ଶପଥ ଗ୍ରହଣ କରିଥିଲେ। ଯାହାଦ୍ୱାରା ଗତ ୨୫ ସେପ୍ଟେମ୍ବର ୨୦୨୧ରେ ତତ୍କାଳୀନ ଜିଲାପାଳଙ୍କ କ୍ରସର ବନ୍ଦ ନିଷ୍ପତି ଯୋଗୁଁ ପଥର ଶିଳ୍ପ ବନ୍ଦ ହୋଇପଡ଼ିଲା। ଏହାଦ୍ୱାରା ବହୁ ପରିମାଣରେ ରାଜସ୍ୱ କ୍ଷତି ଘଟିବା ସହିତ କଞ୍ଚାମାଲର ଅଭାବ ସାଙ୍ଗକୁ ପଥରଶିଳ୍ପ ବ୍ୟବସାୟୀ କ୍ଷତିଗ୍ରସ୍ତ ହେଲେ। ପୁର୍ନବାର ଏହି ଶିଳ୍ପ ଚାଲୁ କରିବା ପାଇଁ ଜିଲ୍ଲାପ୍ରଶାସନର ସଜବାଜ ଖବର ଖରଭୁଇଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

 

Comments are closed.