www.samajalive.in
Wednesday, December 10, 2025
26.1 C
Bhubaneswar

ସେବାୟତଙ୍କ ମାଡ଼ରେ ହବିଷ୍ୟାଳି ଲହୁଲୁହାଣ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିବା ୨ଜଣ ହବିଷ୍ୟାଳିଙ୍କୁ ଜଣେ ସେବାୟତ ମାଡ଼ ମାରିଛନ୍ତି। ସେଥିରେ ହବିଷ୍ୟାଳି ବୃଦ୍ଧାଙ୍କ ଗାଲ ଫୁଲି ଯିବା ସହ ଶରୀରରେ ଶକ୍ତ ଆଘାତ ଲାଗିଛି । ଏହାସତ୍ତ୍ବେ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ମନ୍ଦିର ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେବାୟତଙ୍କଠାରୁ ମାଡ଼ ଖାଇଥିବା ହବିଷ୍ୟାଳି ରାଜ୍ୟ ସରକାରଙ୍କ ଶିବିରରେ ରହୁଛନ୍ତି। ସେବାୟତ ମାଡ଼ ମାରିବା ସମୟରେ ପୁଲିସ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ସେଠାରେ ଉପସ୍ଥିତ ଥିଲେ। କେହି ଜଣେ ହେଲେ ଏଭଳି ଘଟଣାର ପ୍ରତିବାଦ କରିନଥିଲେ। ‘ତୁମେ ସବୁ ମାଗଣା ଖାଇବାକୁ ଏଠାକୁ ଚାଲି ଆସିଛ’ ବୋଲି କହି ଜଣେ ସେବାୟତ ତାଙ୍କୁ ମାଡ଼ ମାରିଥିବା ହବିଷ୍ୟାଳି ଗଣମାଧ୍ୟମକୁ କହିଛନ୍ତି। ଏତେବଡ଼ ଘଟଣାକୁ ଚପାଇ ଦେବାପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିପାଇଁ ଥାନାରେ ଅଭିଯୋଗ ନକରିବାକୁ ହବିଷ୍ୟାଳିଙ୍କୁ ପରାମର୍ଶ ଦିଆଯାଇଛି। ସେବାୟତଙ୍କ ମାଡ଼ରେ ଆହତ ହବିଷ୍ୟାଳିଙ୍କ ନାମ କୁମାରୀ ନାୟକ, ୬୨ବର୍ଷ ଏବଂ ଘର ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହାସପୁର ଗ୍ରାମରେ ବୋଲି ଜଣାପଡ଼ିଛି। ନରେନ୍ଦ୍ରକୋଣ ନିକଟସ୍ଥ ବୃନ୍ଦାବତୀ ନିବାସରେ ରହି ସେ କାର୍ତ୍ତିକବ୍ରତ ପାଳନ କରୁଛନ୍ତି। ସେବାୟତଙ୍କ ଦ୍ବାରା ମାଡ଼ ଖାଇଥିବା ଆଉଜଣେ ହବିଷ୍ୟାଳିଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁଯାୟୀ ବୁଧବାର ଦିନ ପ୍ରାୟ ୧୨ଟା ବେଳେ କେତେକ ହବିଷ୍ୟାଳି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ଫଟୋ ପରିଚୟପତ୍ର ତାଙ୍କ ବେକରେ ପଡ଼ିଥିଲା। ଜଣେ ସ୍ବେଚ୍ଛାସେବୀଙ୍କ ସହାୟତାରେ ସେମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଜଣେ ସେବାୟତ ସେମାନଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି। ଏହାପରେ ହବିଷ୍ୟାଳିମାନେ କାନ୍ଦି କାନ୍ଦି ମନଦୁଃଖରେ ହବିଷ୍ୟାଳି ଶିବିରକୁ ଫେରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ସହରର ୫ଟି ସ୍ଥାନରେ ହବିଷ୍ୟାଳି ଶିବିର ଖୋଲାଯାଇଛି। ୨୯୩୫ ହବିଷ୍ୟାଳିଙ୍କୁ ମାଗଣାରେ କୋଠରି ଏବଂ ମହାପ୍ରସାଦ ସମେତ କାର୍ତ୍ତିକବ୍ରତ ପାଳନ ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ଶ୍ରୀମନ୍ଦିରକୁ ଯାଇ ଅବାଧରେ ସେମାନେ ଯେପରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ପ୍ରଶାସନ ପକ୍ଷରୁ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଏସବୁ ସତ୍ତ୍ବେ ୨ଜଣ ହବିଷ୍ୟାଳି ବୁଧବାର ଶ୍ରୀମନ୍ଦିରରେ ଜଣେ ସେବାୟତଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି। ଏ ସମ୍ପର୍କରେ କେହି ଥାନାରେ ଲିଖିତ ଅଭିଯୋଗ କରିନଥିବାରୁ ମକଦ୍ଦମା ରୁଜୁ କରାଯାଇ ନଥିବା ସିଂହଦ୍ବାର ଥାନା ଇନ୍ସପେକ୍ଟର ଶ୍ବେତପଦ୍ମା ଦାଶ କହିଛନ୍ତି। ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଏହି ଅଭିଯୋଗର ତଦନ୍ତ କରାଯିବ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories