www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେଲେ ଦୃଷ୍ଟିବାଧିତ ପ୍ରଶନ୍ନ

ବାଣପୁର  : ଦୃଢ ଇଛାଶକ୍ତି ଓ ଅସୀମ ଆତ୍ମବିଶ୍ୱାସ ଆଗରେ ହାର ମାନିଛି ଭିନ୍ନକ୍ଷମତା। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିବା ଭିନ୍ନକ୍ଷମ ଯୁବକ ପ୍ରଶନ୍ନ କୁମାର ପଣ୍ଡା ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଯୁବ ସମାଜ ପାଇଁ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ ।
ଶୁକ୍ରବାରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦ର ଫଳାଫଳ ଘୋଷିତ ହୋଇଛି। ଏଥିରେ ଖୋର୍ଦ୍ଧା ଜିଲା ବାଣପୁର ଅଲାଇଡିହ ଗ୍ରାମର ପ୍ରକାଶ କୁମାର ପଣ୍ଡା ଏବଂ ମିନତୀ ପଣ୍ଡାଙ୍କର ସାନପୁଅ ପ୍ରଶନ୍ନ କୁମାର ପଣ୍ଡା (୨୮) କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାରେ ସଫଳତା ଲାଭ କରିଥିବା ସମୁଦାୟ ୩୯୨ ଜଣଙ୍କ ମଧ୍ୟରୁ ପ୍ରଶନ୍ନ ୨୬୨ ତମ ସ୍ଥାନ ହାସଲ କରିଛନ୍ତି । ପ୍ରଶାସନିକ ସେବା ପରୀକ୍ଷା ପୂର୍ବରୁ ପ୍ରଶନ୍ନ ରାଜ୍ୟ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାରେ ମଧ୍ୟ ସଫଳତା ହାସଲ କରି ବ୍ରହ୍ମପୁରସ୍ଥିତ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି ।
ଜନ୍ମ ସମୟରୁ ପ୍ରଶନ୍ନଙ୍କର ଦୃଷ୍ଟି ଶକ୍ତି ନଥିବା ବେଳେ ପରିବାର ପକ୍ଷରୁ ଏ’ନେଇ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଯିବା ସହ ବହୁ ଡାକ୍ତରଙ୍କ ପରାର୍ମଶ ନିଆ ଯାଇଥିଲା। ମାତ୍ର କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା । ତେବେ ନିଜର ଅଦମ୍ୟ ଇଛାଶକ୍ତି ଏବଂ ଦୃଢ ପରିଶ୍ରମ ସହାୟତାରେ ଭିନ୍ନକ୍ଷମର ପ୍ରତିବନ୍ଧକୁ ଦୂରେଇ ଦେବାରେ ସଫଳ ହୋଇଥିଲେ ପ୍ରଶନ୍ନ । ଭୁବନେଶ୍ୱର ବିଜେବି ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ନୂଆ ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ଲାଭ କରିବା ସହ ସଂପ୍ରତି ଉଚ୍ଚତର ଉପାଧି ପାଇଁ ଅଧ୍ୟୟନ ରତ ଅଛନ୍ତି ପ୍ରଶନ୍ନ । ଗତ ଛଅ ମାସ ପୂର୍ବେ ପ୍ରଶନ୍ନ ରାଜ୍ୟ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାରେ ସଫଳତା ଲାଭ କରି ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ । ନିଜର ଅଧ୍ୟାପନା ସହ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ମଧ୍ୟ ପ୍ରଶନ୍ନ ପ୍ରସ୍ତୁତି ଚଳାଇଥିଲେ। କମ୍ପୁଟର ମାଧ୍ୟମରେ ପାଠ୍ୟକ୍ରମ ବିଷୟ ଗୁଡିକୁ ସ୍କାନ କରି ବାରମ୍ବାର ସେଗୁଡିକୁ ଶୁଣି ମନେ ରଖୁଥିଲେ ପ୍ରଶନ୍ନ । ଏଥିପାଇଁ ଅଶେଷ ଧୈର୍ଯ୍ୟର ଆବଶ୍ୟକତା ରହିଥିବା ବେଳେ ସାଧାରଣ ପିଲାଙ୍କ ଅପେକ୍ଷା ଭିନ୍ନକ୍ଷମମାନେ ବିଳମ୍ବରେ ସଫଳତା ପାଇବାକୁ ସକ୍ଷମ ହୋଇଥାନ୍ତି ବୋଲି ପ୍ରଶନ୍ନ ପ୍ରକାଶ କରିଛନ୍ତି । ତେବେ ପ୍ରଶାସନିକ ଅଧିକାରୀଭାବେ କାର୍ଯ୍ୟକରିବା ସମୟରେ ନିଜର ଭିନ୍ନକ୍ଷମତା କୌଣସି ପ୍ରକାରରେ ବାଧା ସୃଷ୍ଟି କରିବ ନାହିଁ ବୋଲି ପ୍ରଶନ୍ନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ନିଜର ସଫଳତା ପାଇଁ ରାଜ୍ୟର ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ତରଫରୁ ପ୍ରଶନ୍ନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବାଳେ ରାଜ୍ୟର ପ୍ରଥମ ଦୃଷ୍ଟି ବାଧିତ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟ ବ୍ଳାଇଣ୍ଡ ଆସୋସିଏସନର ସଭାପତି ସନ୍ୟାସୀ କୁମାର ବେହେରା ଏବଂ ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରିକେଟ ଖେଳାଳି ତଥା ଆସୋସିଏସନର ଉପ ସଭାପତି ମହମ୍‌ଦ ଜାଫର ଇକ୍‌ବାଲ ପ୍ରଶନ୍ନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ଦରିଦ୍ର ଏବଂ ଭିନ୍ନକ୍ଷମଙ୍କ ଉନ୍ନତି ପାଇଁ ପ୍ରଶନ୍ନ ଉଦ୍ୟମ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ତେବେ ନିଜ ସଫଳତାର ସମସ୍ତ ଶ୍ରେୟ ନିଜ ପରିବାରକୁ ପ୍ରଦାନ କରିଥିବା ବେଳେ ବିଭିନ୍ନ ପରୀକ୍ଷାରେ ଲେଖକ ଭାବେ ସାହାଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଏବଂ ଭିନ୍ନକ୍ଷମଙ୍କ ପାଠପଢାରେ ସାହାଯ୍ୟ ଏବଂ ସାଧନ ପ୍ରଦାନ କରୁଥିବା ଅନୁଷ୍ଠାନକୁ ନିଜର କୃତଜ୍ଞତା ଜଣାଇବା ସହ ଭିନ୍ନକ୍ଷମ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶାସନିକ ସେବା ପରୀକ୍ଷାରେ ସୁଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଶନ୍ନ ନିଜର କୃତଜ୍ଞତା ଜଣାଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories