ଆଠଗଡ : ଆଠଗଡ ସହରର ରାସରସିକପୁରସ୍ଥିତ ନିତାଇଗୌର ମନ୍ଦିରରୁ ଲଗାତାର ଗତ ମଙ୍ଗଳବାର ଓ ବୁଧବାର ରାତିରେ ଚୋରି ହୋଇଥିଲା। ଜଣେ ଚୋର ମନ୍ଦିର ଗ୍ରିଲ ଭାଙ୍ଗି ତା ମଧ୍ୟରେ ଥିବା ୧୦ଟି ପିତ୍ତଳ ମୂର୍ତ୍ତି, ୩ରୂପା ମୁକୁଟ ଏବଂ ବହୁ ପିତ୍ତଳ ବାସନ କୁସନ ଚୋରି କରି ନେଇଥିବା ନିକଟବର୍ତ୍ତୀ ଜଣେ ଡାକ୍ତରଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା। ଏ ସଂପର୍କରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଠଗଡ ଥାନାରେ ଏତଲା ଦେବା ପରେ ପୁଲିସ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରାଯାଇଥିଲେ ମଧ୍ୟ କିଛି ସୁରାକ ମିଳିନଥିଲା । ସାମନାରେ ରହୁଥିବା ଡାକ୍ତର ଭାଗୀରଥି ପରିଡାଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଚୋରି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ମନ୍ଦିରଠାରୁ ମାତ୍ର ୩-୪ଟି ଘର ଛାଡି ରହୁଥିବା ଟୁକୁନା ପ୍ରଧାନ ଏହି ଚୋରି କରିଥିବା ଜଣାପଡିଥିଲା । ପୁଲିସ ଟୁକୁନାକୁ ଅଟକ ରଖି ପଚରାଉଚୁରା କରିବା ପରେ ସେ ଚୋରି କରିଥିବା ସ୍ୱୀକାର କରିବା ସହ ଚୋରି ଜିନିଷ ଗଦାସାହିର ଜଣେ ପିତ୍ତଳବାସନ ଦୋକାନୀଙ୍କୁ ବିକିଥିବା ଜଣାପଡିଥିଲା । ଆଇଆଇସି ବାମଦେବ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତକାରୀ ଅଧିକାରୀ ଏଏସଆଇ ଗୀତା ନାୟକ ଉଭୟ ଚୋର ଏବଂ ଚୋରୀ ଜିନିଷ କିଣିଥିବା ସୁଶାନ୍ତ କୁମାର ସୁବୁଦ୍ଧିଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ଜଣାପଡିଛି ।
ନିତାଇ ଗୌର ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାସ : ୨ଗିରଫ, ଚୋରି ସାମଗ୍ରୀ ଉଦ୍ଧାର
Popular Categories



