www.samajalive.in
Monday, December 8, 2025
27.1 C
Bhubaneswar

ରାଜନୈତିକ ପଶାପାଲିରେ ବୋଫର୍ସ ଓ ରାଫେଲ

ଶରତ ମହାପାତ୍ର

୨୦୧୮ ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ପାଳନ କରିଛି ତା’ର ୮୬ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବାୟୁସେନା ମୁଖ୍ୟ ଏଆର ଚିଫ୍‌-ମାର୍ଶାଲ ବି.ଏସ, ଧନୋଆ ଫ୍ରାନ୍ସ ନିର୍ମିତ ‘ରାଫେଲ’ ଓ ରୁଷ ନିର୍ମିତ ‘ଏସ୍‌-୪୦୦ ଏଆର ଡିଫେନ୍ସ ମିଜାଇଲ୍ସ ସିଷ୍ଟମ’ ବାୟୁସେନା ପାଇଁ ବୁଷ୍ଟର ଡୋଜ ଯାହାକି ଭାରତୀୟ ଉପମହାଦେଶରେ ସାମରିକ ଖେଳକୁ ବଦଳାଇ ଦେବବୋଲି ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛନ୍ତି। ରାଫେଲ ଚୁକ୍ତିରେ ଭାରତକୁ କିଭଳି ଫାଇଦା ମିଳିବ ତା’ର ସମ୍ୟକ ଆଭାସ ସେ ଦେବାସହ ବିମାନ ବାହିନୀରେ ଆବଶ୍ୟକ ସଂଖ୍ୟକ ସ୍କ୍ବାର୍ଡନର ଅଭାବ ରହିଥିବା ସତ୍ତ୍ବେ ୩୬ଟି ରାଫେଲ ଓ ୧୨୩ଟି ହାଲୁକା ଯୁଦ୍ଧ ବିମାନ ବାୟୁସେନାରେ ସାମିଲ ହେବା ଦ୍ବାରା ବିମାନ ବାହିନୀର ଶକ୍ତି ବୃଦ୍ଧି ହେବ ବୋଲି କରିଛନ୍ତି ଦୃଢ଼ୋକ୍ତି ପ୍ରକାଶ। ପାକିସ୍ତାନ ଓ ଚୀନ ଭଳି ଶତ୍ରୁଭାବାପନ୍ନ ପଡ଼ୋଶୀଙ୍କ ସ୍ଥିତି ହେତୁ ଭାରତୀୟ ବାୟୁସେନାଙ୍କୁ ସଶକ୍ତ ହେବାକୁ ପଡ଼ିବ। ଚୀନ୍‌ ନିକଟରେ ଶତାଧିକ ଲଢ଼ୁଆ ବିମାନ ଓ ପାକିସ୍ତାନ ନିକଟରେ ଆମେରିକା ଓ ଚୀନ ପ୍ରଦତ୍ତ ଅତ୍ୟାଧୁନିକ ଲଢ଼ୁଆ ବିମାନ ରହିଛି। ଆମେରିକା ପାକିସ୍ତାନକୁ ‘ଏଫ୍‌-୧୬’, ବୋଇଙ୍ଗ୍, ଫାଲକନ୍‌ ଯୋଗାଇ ଦେଇଛି। ପାକିସ୍ତାନ ଚୀନଠାରୁ ଆଧୁନିକ କ୍ଷେପଣାସ୍ତ୍ର, ଚେଙ୍ଗଡୁ ଓ ହେଙ୍ଗ୍‌ଡୁ ଯୁଦ୍ଧବିମାନ ପାଇସାରିଛି। ଉଭୟ ଦେଶ ମିଳିତ ଭାବେ ‘ଜେ.ଏଫ-ଥଣ୍ଡର’ ଲଢ଼ୁଆ ବିମାନ ନିର୍ମାଣ କରୁଛନ୍ତି। ଚୀନ୍‌ ପାକିସ୍ତାନକୁ ୪୮ ସଂଖ୍ୟକ ‘ୱିଙ୍ଗ୍‌ ଲୁଙ୍ଗ୍‌-୨’ ଅତ୍ୟାଧୁନିକ ଉଚ୍ଚକ୍ଷମତାସଂପନ୍ନ ମାନବବିହୀନ ସାମରିକ ଯୁଦ୍ଧ ବିମାନ (ଡ୍ରୋନ୍‌) ଯୋଗାଇ ଦେବାର ଖବର ଗ୍ଲୋବାଲ ଟାଇମ୍ସ ପତ୍ରିକାରେ ପ୍ରକାଶ ପାଇଛି। ଅପରପକ୍ଷେ ରୁଷ ଯୋଗାଇ ଦେଇଥିବା ‘ସୁଖୋଇ’ ଓ ‘ମିଗ୍‌ ସିରିଜର ଯୁଦ୍ଧ ବିମାନ’ଗୁଡ଼ିକ ଆମ ବାୟୁସେନାରେ ବହୁ ପୁରୁଣା।
ଭାରତୀୟ ବାୟୁସେନା ଆମ ଦୁଇ ପ୍ରତିପକ୍ଷ ଚୀନ ଓ ପାକିସ୍ତାନ ବିପକ୍ଷରେ ଏକ ସଙ୍ଗେ ଲଢ଼ାଇ ଯୁଦ୍ଧରେ ଆବଶ୍ୟକତାକୁ ଦୃ‌ଷ୍ଟିରେ ରଖି ପ୍ରଥମେ ୧୨୬ଟି ‘ରାଫେଲ ମଲଟିରୋଲ କମ୍ବାଟ ଏଆରକ୍ରାଫ୍ଟ’ ଆହରଣ ପାଇଁ ୨୦୦୭ ମସିହାରେ ତତ୍କାଳୀନ ୟୁପିଏ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ୨୦୦୭ ମସିହାରେ ତତ୍କାଳୀନ ୟୁପିଏ ସରକାର ଫ୍ରାନ୍ସର ଏକ କମ୍ପାନୀଠାରୁ ରାଫେଲ ଯୁଦ୍ଧ ବିମାନ କିଣିବେ ବୋଲି ନିଷ୍ପତ୍ତି ନେଇଥିଲେ। ମାତ୍ର ନିଜ ଶାସନ କାଳରେ ଏହି ଯୁଦ୍ଧ ବିମାନ କିଣିବାକୁ ନେଇ ଅନ୍ତିମ ଚୁକ୍ତି ସ୍ବାକ୍ଷର କରି ପାରି ନଥିଲେ। ୨୦୦୭ ମସିହାରୁ ୨୦୧୩ ମସିହା ମଧ୍ୟରେ ଏହା କାର୍ଯ୍ୟକାରୀ ନହେବା ସୃଷ୍ଟି କରେ ବିସ୍ମୟ। ଏଥିପାଇଁ ୟୁପିଏ ସରକାରଙ୍କ ଦ୍ବାରା କୌଣସି ଠୋସ କାରଣ ମଧ୍ୟ ଦର୍ଶାଯାଇ ନଥିଲା। ୨୦୧୫ ମସିହା ଏପ୍ରିଲ ୧୦ରେ ଏନଡିଏ ସରକାରର ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସର ପ୍ୟାରିସଠାରେ ଭାରତ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବ ବୋଲି ଘୋଷଣା କଲେ। ସେତେବେଳେ ବିରୋଧୀ କଂଗ୍ରେସଦଳ ଏହି ଚୁକ୍ତିକୁ ବିରୋଧ କରି ନଥିଲା। ମାତ୍ର ୨୦୧୮ ମସିହାରେ କଂଗ୍ରେସ ଏନଡିଏ ସରକାରଙ୍କ ଏହି ଚୁକ୍ତି ବିରୋଧରେ ଦୃଢ଼ ସ୍ବର ଉତ୍ତୋଳନ କରିଛି। ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏ ସରକାରଙ୍କ ବିରୋଧରେ ବିରୋଧୀ କଂଗ୍ରେସ ତା’ର ସ୍ବର କରିଛି ଶାଣିତ। ଅତୀତରେ ରାଜୀବଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଘଟିଥିବା ବୋଫର୍ସ- ଗନ୍‌ କିଣାରେ ଦୁର୍ନୀତି ପ୍ରସଙ୍ଗକୁ ନଜର ରଖି କଂଗ୍ରେସ ବର୍ତ୍ତମାନ ରାଫେଲ ପ୍ରସଙ୍ଗରେ ଏଭଳି ପଦକ୍ଷେପ ନେଉ ନାହିଁ ତ? ଶାସକ ଦଳ ଓ ବିରୋଧୀଦଳ ନେତାଙ୍କ ମଧ୍ୟରେ କଥା କଟାକଟି ପହଞ୍ଚିଛି ଶୀର୍ଷ ସ୍ଥାନରେ।
ବିଂଶ ଶତାବ୍ଦୀର ଅଷ୍ଟମ ଦଶକରେ ଭାରତ ସ୍ବିଡେନଠାରୁ ୪୧୦ ସଂଖ୍ୟକ ୧୫୫ ମିଲିମିଟର ବୋଫର୍ସ-ଗନ୍‌ ଆହରଣ କରିଥିଲା। ମାତ୍ର ୧୯୮୭ ମସିହା ଏପ୍ରିଲ ମାସରେ ‘​‌େ​‌ସ୍ବଡିସ୍‌-ରେଡ଼ିଓ’ ଏହି ବୋଫର୍ସ ଗନ୍‌ କିଣାରେ ମଧ୍ୟସ୍ଥଙ୍କ ଜରିଆରେ ୬୪ (ଚଉଷଠି) କୋଟିଟଙ୍କା ଲାଞ୍ଚ ଦିଆ ହୋଇଥିବା ଖବର ପ୍ରସାରିତ ହେବାପରେ ଭାରତୀୟ ରାଜନୀତିରେ ଉଠିଥିଲା ଝଡ଼। ସେତେବେଳେ ରାଜନୀତି ଭିନ୍ନ ରୂପ ନେଇଥିଲା। ବୋଫର୍ସଗନ୍‌ କିଣାରେ ଦୁର୍ନୀତି ହୋଇଥିବାର ଅଭିଯୋଗ ଆସିଲାପରେ ଅଣକଂଗ୍ରେସ ଦଳଗୁଡ଼ିକ ବିଦ୍ରୋହୀ କଂଗ୍ରେସ ନେତା ଭି.ପି.ସିଂହଙ୍କ ନେତୃତ୍ବରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ କରିଥିଲେ ଗାଦିଚ୍ୟୁତ।
ଅତୀତରେ କଂଗ୍ରେସ ଦଳର ବିଦ୍ରୋହୀ ନେତା ଭି.ପି.ସିଂହ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିରୋଧରେ ନେଇଥିବା ପଦକ୍ଷେପ ଓ ବାକ୍ୟାବଳୀକୁ ସ୍ମରଣ କରି ବର୍ତ୍ତମାନର କଂଗ୍ରେସ ଦଳର ସଭାପତି ରାହୁଲ ଗାନ୍ଧୀ ସେହିଭଳି ମାର୍ଗ ଅନୁସରଣ କରୁଥିବାର ପରିଲକ୍ଷିତ ହୁଏ। ଅତୀତରେ ବୋଫର୍ସଗନ୍‌ କିଣାରେ ଇଟାଲୀୟ ବ୍ୟବସାୟୀ ଓଟ୍ଟାଭି କାତ୍ରୋଟିଙ୍କ ଭୂମିକା, ଗାନ୍ଧୀ ପରିବାରସହ ତାଙ୍କର ସମ୍ପର୍କ ଓ ତାଙ୍କ ଜରିଆରେ ବୋଫର୍ସ କିଣାରେ ଲାଞ୍ଚ ପ୍ରଦାନର ଅଭିଯୋଗ ସମ୍ବାଦପୃଷ୍ଠା ମଣ୍ଡନ କରିଥିଲା। ଠିକ୍‌ ସେହିଭଳି ବର୍ତ୍ତମାନର ରାଫେଲ କିଣାରେ ବ୍ୟବସାୟୀ ଅନିଲ ଅମ୍ବାନୀଙ୍କ ଭୂମିକା, ପ୍ରଧାନମନ୍ତ୍ରୀ ମୋଦୀଙ୍କସହ ସମ୍ପର୍କକୁ ନେଇ ବହୁ କଟାକ୍ଷ ପ୍ରକାଶ ପାଉଛି। ସେତେବେଳେ ବିରୋଧୀଦଳଗୁଡ଼ିକ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଯେଭଳି ପ୍ରତ୍ୟକ୍ଷ ଭାବେ ବୋଫର୍ସଗନ୍‌ କିଣାରେ ଭୂମିକା ନେଇଥିଲା ବୋଲି ଦର୍ଶାଇ ଥିଲେ ମୋଦୀ ସେହି କୌଶଳ ଅବଲମ୍ବନ କରୁଥିବାର ଅଭିଯୋଗ କଂଗ୍ରେସ ଆଣିଛି। ରାଫେଲ ନିର୍ମାଣକାରୀ ‘ଡାସଲ୍ଟ ଏଭିଏସନ’ ସହ ଅନୀଲ ଅମ୍ବାନୀଙ୍କୁ ଯୋଡ଼ିବାରେ ମୋଦୀଙ୍କ ହାତ ଥିବା କଥା ଉଠାଇଛନ୍ତି ବିରୋଧୀ କଂଗ୍ରେସ।
୨୦୦୭ରେ କଂଗ୍ରେସ ସରକାର ଗୋଟିଏ ରାଫେଲ ଯୁଦ୍ଧବିମାନକୁ ୫୪୦କୋଟି ଟଙ୍କାରେ କିଣିବେ ବୋଲି ନିଷ୍ପତ୍ତି ନେଇଥିଲେ ମାତ୍ର ବର୍ତ୍ତମାନର ସରକାର ଗୋଟିଏ ରାଫେଲକୁ ୧୬୦୦ କୋଟି ଟଙ୍କାରେ ଚୁକ୍ତି କରିଥିବା ଅଭିଯୋଗ କଂଗ୍ରେସ ଦଳ କରିଛି। ୨୦୦୭ ମସିହାର ମୂଲ୍ୟ ୧୧ବର୍ଷ ପରେ ୨୦୧୮ ମସିହାରେ ନିର୍ମିତ ମୂଲ୍ୟରେ ପାର୍ଥକ୍ୟ ଦେଖାଯିବା ସ୍ବାଭାବିକ ବୋଲି ବାୟୁସେନା ଉପମୁଖ୍ୟ ଏଆରମାର୍ଶାଲ ନାମ୍ବିଆର କହିଛନ୍ତି। ଭାରତୀୟ ବାୟୁସେନା ଆବଶ୍ୟକ କରୁଥିବା ବୈଷୟିକ ଜ୍ଞାନକୌଶଳ, ଉଚ୍ଚକୋଟୀର ​‌େ​‌ରଡାର ସଂଯୋଗ, ଗତି ତୀବ୍ରତାକୁ ଭିତ୍ତିକରି ଏବେକାର ରାଫେଲ ନିର୍ମିତ ହୋଇଛି। ସେ କହିଛନ୍ତି, ଯେତେବେଳେ ଏହି ବିମାନ ଭାରତରେ ପହଞ୍ଚିବ, ତା’ର ଦକ୍ଷତା ଦେଖି ମୂଲ୍ୟ ସ୍ଥିର କରାଯିବ ବୋଲି ଚୁକ୍ତିରେ ଉଲ୍ଲେଖ ରହିଛି। ତେଣୁ ଭାରତରେ ନ ପହଞ୍ଚିବା ପର୍ଯ୍ୟନ୍ତ ଏହାର ମୂଲ୍ୟ ଆକଳନ କରିବା ଭୁଲ୍‌। ଏହି ଦୃଷ୍ଟିରୁ ଆବଶ୍ୟକତା ଓ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଭାରତ ରାଫେଲ ଲଢ଼ୁଆ ବିମାନ କିଣୁଥିବା ସରକାର କହୁଛନ୍ତି।
ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦେ ୨୦୧୮ ସେପ୍ଟେମ୍ବର ମାସରେ ଏକ ଗଣମାଧ୍ୟମକୁ ସାକ୍ଷାତ କରି ଅନୀଲ ଅମ୍ବାନୀଙ୍କ କମ୍ପାନୀ ନାମ ଭାରତ ସରକାର ସୁପାରିସ କରିଥିଲେ ବୋଲି ପ୍ରକାଶ କରିବା ପରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ୨୦୧୭ ଫେବୃଆରୀରେ ଭାରତର ରିଲାଏନ୍ସ କମ୍ପାନୀ ଓ ଫ୍ରାନ୍ସର ଡାସଲ୍ଟ କମ୍ପାନୀକୁ ନେଇ ‘ଡାସଲ୍ଟ-ରିଲାଏନ୍ସ ଏରୋସ୍ପେସ୍‌ ଲିମିଟେଡ’ ଗଠନ କରାଯାଇଥିଲା। ସରକାର ନିଜସ୍ବ କମ୍ପାନୀ ‘ହାଲ୍‌’କୁ ନ ଦେଇ ଅମ୍ବାନୀଙ୍କ କମ୍ପାନୀକୁ କାହିଁକି ସାମିଲ କଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ‘ଜାଗୁଆର’ ଦେବାକୁ ୬ ବର୍ଷ, ‘ଜେସ୍‌-୨’ ଦେବାକୁ ୫ବର୍ଷ, ‘ସୁଖୋଇ-୩୦’ ଯୁଦ୍ଧବିମାନ ଦେବାକୁ ୩ ବର୍ଷ, ‘ମିରାଜ-୨୦୦୦’ ଦେବାରେ ୨ବର୍ଷ ବିଳମ୍ବ କରିଥିବାରୁ ‘ହାଲ୍‌’କୁ ସାମିଲ କରିବା ପ୍ରଶ୍ନ ଉଠୁଛି କେଉଁଠି ବୋଲି ପ୍ରଶ୍ନ ଉଠାଉଛନ୍ତି ବାୟୁସେନା ମୁଖ୍ୟ ଧନୋଆ। ସହଯୋଗୀ ବାଛିବା ଫ୍ରାନ୍ସର ଡାସଲ୍ଟ କମ୍ପାନୀର ସଂପୂର୍ଣ୍ଣ ନିଜସ୍ବ ନିଷ୍ପତ୍ତି, ଏଥିରେ ସରକାରଙ୍କର କିମ୍ବା ବାୟୁସେନାର କୌଣସି ଭୂମିକା ନାହିଁ ବୋଲି ବାୟୁସେନା ମୁଖ୍ୟ ଅକ୍ଟୋବର ୩ରେ ସଫେଇ ଦେଇଛନ୍ତି।
ସ୍ବାଧୀନତା ପରଠାରୁ ଯୁଦ୍ଧାସ୍ତ୍ର କିଣାରେ ଦୁର୍ନୀତିର ଗନ୍ଧ ଭାରତୀୟ ରାଜନୀତିକୁ କଳୁଷିତ କରିବାରେ ଲାଗିଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଆର୍ମି ପାଇଁ ଜିପ୍‌ କିଣାରେ ଦୁର୍ନୀତି, ୧୯୮୭ ମସିହାରେ ବୋଫର୍ସ-ଗନ୍‌ କିଣାରେ ଦୁର୍ନୀତି, ସବ୍‌ମେରାଇନ କିଣାରେ ଦର୍ନୀତି, ରୁଷରୁ ‘ମିଗ’, ଫ୍ରାନ୍ସରୁ ‘ମିରାଜ’ ଲଢ଼ଆବିମାନ ଆହରଣରେ ଦୁର୍ନୀତି, ଟାଟ୍ରା ଟ୍ରକ ଓ ହେଲି​‌େ​‌କ୍ଟାବର କିଣାରେ ଦୁର୍ନୀତିର ଅଭିଯୋଗ ଫର୍ଦ ସାରା ଦେଶରେ ସୃଷ୍ଟି କରିଥିଲା ତୀବ୍ର ପ୍ରତିକ୍ରିୟା। ବୋଫର୍ସ ଗନ୍‌ କିଣାରେ ଦୁର୍ନୀତିର ପରିମାଣ ଥିଲା ୬୪କୋଟି ଟଙ୍କା; ମାତ୍ର ଏହାର ସତ୍ୟତା ଅନୁସନ୍ଧାନ ପାଇଁ ଦଶଗୁଣରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇ ନପାରିବା ଆମ ଦେଶ ପକ୍ଷେ ବିଡ଼ମ୍ବନା।
ଆଗାମୀ ଲୋକସଭା ନିର୍ବାଚନ ଆଉ ମାତ୍ର କିଛି ମାସ ବାକି ଅଛି। ତେଣୁ ଅତୀତରେ ଘଟିଥିବା ‘ବୋଫର୍ସ ପ୍ରସଙ୍ଗ’କୁ ନଜର ରଖି ବର୍ତ୍ତମାନର ‘ରାଫେଲ ପ୍ରସଙ୍ଗ’ କଂଗ୍ରେସ ପାଇଁ କିଛି ସୁଫଳ ଆଣିବ ବୋଲି ଆଶା ବାନ୍ଧିବା ସ୍ବାଭାବିକ। ଯୁଦ୍ଧ ଭୂମିରେ ଶତ୍ରୁ ବିପକ୍ଷରେ ଲଢ଼ିବା ସମୟରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରର ଆବଶ୍ୟକତାକୁ କେହି ଏଡ଼ାଇ ଦେଇ ପାରିବେ ନାହିଁ। ଯୁଦ୍ଧାସ୍ତ୍ର କ୍ରୟରେ ରାଜନୈତିକ ଓ ବ୍ୟୁରୋକ୍ରାଟିକ୍‌ ହସ୍ତକ୍ଷେପ ହେବା ଅନୁଚିତ। ସେନାବାହିନୀର ଶକ୍ତି, ସାମର୍ଥ୍ୟ ବୃଦ୍ଧି ନିମନ୍ତେ ତଥା ଏହାର ସଦସ୍ୟଙ୍କ ମନୋବଳ ଅତୁଟ ରଖିବାସହ ଯୁଦ୍ଧ ଭୂମିରେ ଯୱାନଙ୍କ ରକ୍ତକ୍ଷରଣ ନହେବା ପାଇଁ ଯୁଦ୍ଧାସ୍ତ୍ର କିଣାରେ ରାଜନୀତି ନହେଉ। ସ୍ବାର୍ଥାନ୍ବେଷୀ ରାଜନୈତିକ ନେତୃବୃନ୍ଦ ଏହାକୁ ହୃଦୟଙ୍ଗମ କରିବେ କି?

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories