ବାଙ୍କୀ: ୧୯୮୨ ମହାନଦୀର ମହାବନ୍ୟା ପରେ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ସ୍ଥାନୀୟ ବୈଦେଶ୍ୱରଠାରୁ ପାଥପୁର ପର୍ଯ୍ୟନ୍ତ ମହାନଦୀ ଆଡିବନ୍ଧ ପର୍ଯ୍ୟାୟକ୍ରମେ ପୁନରୁଦ୍ଧାର, ଉଚ୍ଚା ଓ ସୁଦୃଢିକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି। ଫଳରେ ବାଙ୍କୀ ଅଞ୍ଚଳର ବ୍ୟାପକ ବନ୍ୟା ପ୍ରଭାବକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିଥିବା ଜଣାପଡ଼ିଛି। ମାତ୍ର ବିଡମ୍ବନାର ବିଷୟ ଡମପଡ଼ା ବ୍ଲକ ଅଧିନ ପାଥପୁରଠାରୁ କଇଁମୁଣ୍ଡି ପର୍ଯ୍ୟନ୍ତ ମହାନଦୀ ଦକ୍ଷିଣ ପାର୍ଶ୍ବ ସମ୍ପୂର୍ଣ୍ଣ ଫୁଙ୍ଗୁଳା ପଡ଼ିଛି। ଫଳରେ ସାମାନ୍ୟ ବନ୍ୟା ପରିସ୍ଥିତିରେ ମହାନଦୀ କୂଳ ଲଂଘିଲେ ଏହି ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ଏବଂ ବ୍ୟାପକ ସବୁଜ କ୍ଷେତ ପ୍ରଭାବିତ ହେଉଛି। ତଳପାଥପୁର ଗ୍ରାମକୁ ବନ୍ୟାଜଳ ପ୍ରବେଶ କରିବାରୁ ପ୍ରତିବର୍ଷ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।
ସେହିପରି ମହାନଦୀର ଆଁ ଭିତରେ କଇଁମୁଣ୍ଡି ଗାଁ ରହିଛି। ମହାନଦୀର ବନ୍ୟାଜଳ କଇଁମୁଣ୍ଡି ଗ୍ରାମ ମୁଣ୍ଡରେ ପ୍ରବେଶ କରି ପଥରବାରୀ ଦେଇ ଭୟଙ୍କର ପରିସ୍ତିତି ସୃଷ୍ଟି ହେଉଛି। ଦୀର୍ଘ ୩୦ବର୍ଷରୁ ଅଧିକ କାଳଧରି ପ୍ରଶାସନ ନିକଟରେ ପଥରବାତି ସେତୁ ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ବନ୍ୟା ସମୟର ପ୍ରତିଶୃତି ପୁଣି ଆସନ୍ତା ବର୍ଷକୁ ଶୁଣାପଡୁଛି। ପ୍ରଭାବରେ କଇଁମୁଣ୍ଡି ଗ୍ରାମ ପ୍ରଥମେ ବାହ୍ୟଜଗତରୁ ବିଚ୍ଛିନ୍ନ ହେଉଛି। ଗ୍ରାମର ଉତ୍ତର ଦିଗରେ ମହାନଦୀ-ଦକ୍ଷିଣ-ପୂର୍ବ ଓ ପଶ୍ଚିମରେ ମହାନଦୀର ବନ୍ୟାଜଳ ପ୍ରାୟ ୧୦ରୁ ୧୫ଫୁଟ ଉଚ୍ଚତାରେ ଗାଁକୁ ଘେରି ରଖୁଛି। ଗାଁର ଦୁଃଖ ପାଥପୁର ଖଣ୍ଡିଆବନ୍ଧ କଇଁମୁଣ୍ଡି ଗ୍ରାମକୁ ସଂଯୋଗ କରାଯିବା ସହିତ ପ୍ରସ୍ଥାବିତ ପଥରବାରି ଠାରେ ବାଙ୍କୀ-କଟକ ମୁଖ୍ୟରାସ୍ତା ସହିତ ନୂତନ ସେତୁଟିଏ ନିର୍ମାଣ ହେଲେ ଗ୍ରାମବାସୀଙ୍କ ଦୁଃଖ ପ୍ରଶମିତ ହେବା ସମ୍ପର୍କରେ ଗ୍ରାମବାସୀ ଅନୁରୋଧ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।



