ହରଭଙ୍ଗା: ୨୦୦୯ ମସିହାରେ ହରଭଙ୍ଗାରେ ନୂଆ ତହସିଲ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା । ପୂର୍ଣ୍ଣାଙ୍ଗଭାବେ କାର୍ଯ୍ୟାଳୟଟି ଖୋଲିବା ପରେ ହରଭଙ୍ଗା ଜନସାଧାରଣଙ୍କ ବୌଦ୍ଧ ଦୌଡିବା ସମସ୍ୟା ଦୂର ହୋଇଥିଲା । ବର୍ତ୍ତମାନ ହରଭଙ୍ଗା ତହସିଲ କାର୍ଯ୍ୟାଳୟରେ କିରାଣି ମରୁଡି ଯୋଗୁ ସରକାରୀ କାର୍ଯ୍ୟ ଆଗେଇ ପାରୁନଥିବା ବେଳେ ଚଳିତ ବନ୍ୟା କ୍ଷୟକ୍ଷତି କାର୍ଯ୍ୟରେ ବଡଧରଣର ସମସ୍ୟା ମୁଣ୍ଡଟେକିଛି । ତହସିଲ ଅଫିସରେ ୪ଜଣ ବରିଷ୍ଠ, ୩ଜଣ କନିଷ୍ଠ ସହିତ ଜଣେ ମୁଖ୍ୟ କିରାଣିଙ୍କୁ ମିଶାଇ ମୋଟ୍ ୦୮ଜଣ କିରାଣି ପଦବୀ ରହିଛି । ଗତ କିଛିମାସ ତଳେ ଏଥିରୁ ଦୁଇଜଣ କିରାଣୀ ଶିକ୍ଷକ ନିଯୁକ୍ତି ପାଇବା ପରେ କିରାଣୀ ଚାକିରୀ ଛାଡିଥିଲେ ।
ଅନ୍ୟ ଜଣେ କିରାଣିଙ୍କ ପଦୋନ୍ନତି ପରେ ତାଙ୍କର ଅନ୍ୟ ସ୍ଥାନକୁ ନିଯୁକ୍ତି ମିଳିଥିଲା । ଫଳରେ ୦୩ଜଣ କିରାଣି ପଦବୀ ଖାଲିପଡିଥିଲା । ଅନ୍ୟପଟେ ଆଉ ୩ଜଣ କିରାଣିଙ୍କୁ ମଧ୍ୟ ବଦଳି କରାଯାଇଥିଲା । ପ୍ରତି ବଦଳିପରେ ୦୩ଜଣ କିରାଣିଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଚାକିରି ଛାଡିବା ଯୋଗୁ ଖାଲିପଡିଥିବା ଦୁଇ ଜଣ କିରାଣି ବଦଳରେ ପଦୋନ୍ନତି ପାଇଥିବା ଦୁଇ ଜଣ ପିଅନକୁ ନିଯୁକ୍ତି ଦିଆଯାଇଛି । କିରାଣି କାର୍ଯ୍ୟ ପାଇଁ ସେମାନଙ୍କ କାର୍ଯ୍ୟଦକ୍ଷତା ଏବଂ ଅଭିଜ୍ଞତା ଅଭାବରୁ ପୁର୍ନବାର ସେମାନଙ୍କୁ ପିଅନ ପଦବୀକୁ ଫେରାଇନିଆଯିବା ପାଇଁ ସେମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତଭାବେ ଜଣାଇଛନ୍ତି । କାର୍ଯ୍ୟଦକ୍ଷତା ଅଭାବରୁ ଦୁଇଟି କିରାଣି ପଦବୀ ଏକପ୍ରକାର ଖାଲିପଡିଥିବା ବେଳେ ପଦୋନ୍ନତି କିରାଣି ବଦଳରେ ଆଉ ଜଣେ କିରାଣିକୁ ନିଯୁକ୍ତି ହୋଇନାହିଁ । ଯାହାଫଳରେ ବର୍ତ୍ତମାନ ୨ଜଣ ବରିଷ୍ଠ ଏବଂ ଜଣେ କନିଷ୍ଠ କିରାଣୀ ଭଳି ୩ଜଣ କିରାଣି ପଦବୀ ଖାଲିପଡିଛି ।
ଯାହାଦ୍ୱାରା ଜମି ପଟ୍ଟା, ଜାତିଗତ, ବାସିନ୍ଦାଗତ ପ୍ରମାଣପତ୍ର କାର୍ଯ୍ୟ ସହିତ ବନ୍ୟା କ୍ଷୟକ୍ଷତି କାର୍ଯ୍ୟରେ ବଡ ଧରଣର ସମସ୍ୟା ମୁଣ୍ଡଟେକିଛି । ତୁରନ୍ତ ଖାଲିପଡିଥିବା କିରାଣି ପଦବୀ ପୂରଣ ପାଇଁ ୭ନମ୍ବର ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ବୌଦ୍ଧ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ ଜଣାପଡିଛି । ଏ ସର୍ମ୍ପକରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କୁ ପଚାରିବାରୁ କିରାଣି ପଦବୀ ଖାଲିଯୋଗୁଁ ସରକାରୀ କାର୍ଯ୍ୟରେ ବଡଧରଣର ସମସ୍ୟା ଉପୁଜିଛି । ବିଶେଷକରି ବନ୍ୟାକ୍ଷୟକ୍ଷତି ରିପୋର୍ଟ, ରେଲେଓ ସାଙ୍ଗକୁ ଅନ୍ୟାନ୍ୟ ପ୍ରମାଣପତ୍ର କାର୍ଯ୍ୟ ପାଇଁ ଆମେ ବହୁତ ଅସୁବିଧା ଭୋଗୁଛୁ ।


