www.samajalive.in
Sunday, December 14, 2025
26.1 C
Bhubaneswar

ଚିରନ୍ତନ ବିକାଶର ଚାବିକାଠି ଓ ମିରୁ

ଖୁବ୍‌ ସଂଘର୍ଷମୟ ଥିଲା ଆଦିବାସୀ ଝିଅ ‘ମିରୁ’ ର ଜୀବନ। ଅତି ଛୋଟ ବୟସରୁ ବାପା ମା’ଙ୍କୁ ହରାଇ ବୁଢ଼ୀ ଆଈଦ୍ବାରା ପାଳିତ ହୋଇଥିଲା। ବଡ଼ି ଭୋର୍‌ରୁ ଉଠି ସେ ଝରଣାରୁ ପାଣି ଓ ଜଙ୍ଗଲରୁ ଜାଳକାଠ ଆଣୁଥିଲା, ଗାଈ, ଘୁଷୁରିମାନଙ୍କୁ ଖାଇବାକୁ ଦେଇ ଗୁହାଳ ସଫା କରୁଥିଲା। କେବେ କେମିତି କ୍ଷେତବାଡ଼ି କାମରେ ବୁଢ଼ୀ ଆଈକୁ ସାହାଯ୍ୟ କରୁଥିଲା। ତା’ ପରେ ମୁଠାଏ ଖାଇଦେଇ ଜଙ୍ଗଲ ରାସ୍ତାରେ ମାଇଲ୍‌ମାଇଲ୍‌ ବାଟ ଚାଲିଚାଲି ସହରର ସ୍କୁଲକୁ ପାଠପଢ଼ିବାକୁ ଯାଉଥିଲା। ସଫଳତାର ସହିତ ସ୍କୁଲପାଠରେ ଉତ୍ତୀର୍ଣ୍ଣ ହେବାପରେ ସେ କଲେଜରେ ନାଁ ଲେଖାଇଲା। ତା’ର ପାଠପଢ଼ାରେ ଖୁବ୍‌ ଆଗ୍ରହ ଯୋଗୁଁ ତାକୁ ଜନଜାତି ବିକାଶ ବିଭାଗ ତରଫରୁ ଆମେରିକାର ଏକ ଖ୍ୟାତନାମା ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ମନୋନୀତ କରାଗଲା। ବିଷୟ ଥିଲା, ‘ସଷ୍ଟେନେବଲ୍‌ ଡେଭ୍‌ଲପମେଣ୍ଟ’ ବା ‘ଚିରନ୍ତନ ବିକାଶ’। ଏ ବିଷୟଟି ସମ୍ପର୍କରେ ମିରୁର କିଛି ଧାରଣା ନଥିଲା। ତାକୁ କେବଳ କହିଦିଆଗଲା ଯେ ଏ ବିଷୟଟିର ଚାହିଦା ବର୍ତ୍ତମାନ ବହୁତ ଓ ଏଥିରେ କ୍ୟାରିୟର କଲେ ଉଳ ଭବିଷ୍ୟତ ନିଶ୍ଚିତ। ଖୁବ୍‌ ଉଚ୍ଚଆଶା ନେଇ ମିରୁ ଆମେରିକାରେ ପହଞ୍ଚିଥିଲା।
ଉତ୍କଣ୍ଠାର ଚରମ ସୀମାରେ ମିରୁ। ବିଶାଳ ବିଶ୍ବବିଦ୍ୟାଳୟ କକ୍ଷରେ ଗମ୍ଭୀର ପରିବେଶରେ ପାଠପଢ଼ା ଆରମ୍ଭ ହେଲା। ପ୍ରବୀଣ ଅଭିଜ୍ଞ ପ୍ରାଧ୍ୟାପକ ଜଣକ ଖୁବ୍‌ ଚମତ୍କାର ଶୈଳୀରେ ବର୍ଣ୍ଣନା କଲେ- ମଣିଷର ସୀମାହୀନ ଆଶା ଆକାଙ୍‌କ୍ଷା ପୂରଣ କରିବା ପାଇଁ ତଥା ସୁଖସ୍ବାଚ୍ଛନ୍ଦ୍ୟ ଚରିତାର୍ଥ କରିବା ପାଇଁ ପ୍ରକୃତିକୁ କିପରି ଅବିଚାରିତ ଭାବରେ ଲୁଣ୍ଠନ କରାଚାଲିଛି। ସଭ୍ୟତାର ବିକାଶ ପାଇଁ, ମଣିଷଜାତିର ପ୍ରଗତି ପାଇଁ ଗତ ଶହେ, ଦୁଇଶହ,ପାଞ୍ଚଶହ ବର୍ଷ ଭିତରେ କେତେ ଜଙ୍ଗଲ ଧ୍ବଂସ ହୋଇଛି। କେତେ ଜୀବଜନ୍ତୁ ବିଲୁପ୍ତ ହୋଇଛନ୍ତି, କେତେ କଳକାରଖାନା, ଯାନବାହନ,ରାସ୍ତାଘାଟ, ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ ହୋଇଛି, ମାଟି, ପାଣି, ପବନ କେତେ ପ୍ରଦୂଷିତ ହୋଇଛି, ପୃଥିବୀର ତାପମାତ୍ରା କେତେ ବଢ଼ିଛି, ଓଜୋନ୍‌ସ୍ତର କେତେ କ୍ଷତିଗ୍ରସ୍ତ ହୋଇଛି, ମେରୁ ଅଞ୍ଚଳରୁ ପ୍ରତିଦିନ କେତେ ହିମଖଣ୍ଡ ତରଳୁଛି ଇତ୍ୟାଦିର ବିସ୍ତୃତ ବିବରଣୀ ଦିଆଗଲା। ଉପସଂହାରରେ କୁହାଗଲା, ବିକାଶର ଏଇ ଭୟଙ୍କର ଦୌଡ଼କୁ ଯଦି ଯଥାଶୀଘ୍ର ରୋକି ଦିଆନଯାଏ, ତେବେ ବିଶ୍ବବ୍ରହ୍ମାଣ୍ଡର ଅନନ୍ୟଗ୍ରହ ପୃଥିବୀରୁ ଏଇ ସୁନ୍ଦର ପ୍ରକୃତି ଅଚିରେ ଧ୍ବଂସ ପାଇଯିବ ଏବଂ ଜୀବସତ୍ତାର ସମୂଳ ବିନାଶ ଘଟିବ। ମିରୁ ଅତ୍ୟନ୍ତ ଭୀତତ୍ରସ୍ତ, ଉଦ୍‌ବେଳିତ, ବିବ୍ରତ ବୋଧକଲା।

ତା’ହେଲେ, ବର୍ତ୍ତମାନ ପୃଥିବୀର ଅବସ୍ଥା କ’ଣ ଏୟା? ଏଥିରୁ କ’ଣ ନିସ୍ତାର ନାହିଁ?
ପରବର୍ତ୍ତୀ କ୍ଲାସ ଆରମ୍ଭ ହେଲା- ବର୍ତ୍ତମାନର ବିକାଶର ଧାରା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ବିକାଶର ଧାରା ଏପରି ବ୍ୟବସ୍ଥିତ ହେବା ଉଚିତ, ଯାହାଦ୍ବାରା ପ୍ରାକୃତିକ ସନ୍ତୁଳନରେ ତିଳେ ମାତ୍ର ବ୍ୟାଘାତ ସୃଷ୍ଟି ନ କରି ମାଟି, ପାଣି, ପବନ, ଜୀବଜଗତ, ସୂର୍ଯ୍ୟ, ଅଗ୍ନି ପରି ପ୍ରାକୃତିକ ଶକ୍ତି ଉତ୍ସଗୁଡ଼ିକର ସୁଚିନ୍ତିତ ବିନିଯୋଗ କରିଯିବ; ତାହେଲେ ହିଁ ଚିରନ୍ତନ କାଳ ପାଇଁ ମଣିଷ ସମାଜର ବିକାଶ ନିମନ୍ତେ ସମ୍ବଳର ଅଭାବ ରହିବ ନାହିଁ। ଏଥିପାଇଁ ମଣିଷଜାତିକୁ ପ୍ରଥମେ ନିଜର ସୀମାହୀନ ଆଶାଆକାଙ୍‌କ୍ଷା ଚରିତାର୍ଥ କରିବାରୁ ନିବୃତ୍ତ ହେବାକୁ ପଡ଼ିବ। ନିଜର ଆବଶ୍ୟକତାକୁ ପାରୁପର୍ଯ୍ୟନ୍ତ ସୀମିତ କରିବାକୁ ହେବ। ପ୍ରକୃତି ଉପରେ ପ୍ରଭୁତ୍ବ ବିସ୍ତାର ନକରି ତା’ ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବାକୁ ହେବ। ଜଙ୍ଗଲ, ଖଣିଜ ତୈଳ ପରି କ୍ଷୟଶୀଳ ଶକ୍ତିଉତ୍ସ ଉପରେ ନିର୍ଭରଶୀଳତା କମାଇ ସୌରଶକ୍ତି ପରି ଅକ୍ଷୟଶକ୍ତିର ବ୍ୟବହାର ବଢ଼ାଇବାକୁ ପଡ଼ିବ। ନିର୍ମାଣ କାର୍ଯ୍ୟଗୁଡ଼ିକ ପରିବଶେ ଅନୁକୂଳ ହେବା ଉଚିତ। ପରିବହନ ତଥା ଯାତାୟାତ ବ୍ୟବସ୍ଥା ମଧ୍ୟ ପରିବେଶ ଅନୂକୁଳ ହେବା ଉଚିତ। ପ୍ରାକୃତିକ ସମ୍ପଦଗୁଡ଼ିକ କାହା ମାଲିକାନାରେ ରହିବା ଉଚିତ ନୁହେଁ, ବରଂ ପ୍ରକୃତିର କୌଣସି କ୍ଷତି ନକରି ସମସ୍ତେ ସମାନଭାବରେ ଉପଭୋଗ କରିବା ଉଚିତ। ଏହାଦ୍ବାରା ଜୈବବିବିଧତାର ସୁରକ୍ଷା ହୋଇପାରିବ। ପ୍ରାକୃତିକ ସମ୍ପଦର ସମବଣ୍ଟନ ହୋଇପାରିବ; ସମସ୍ତଙ୍କର ସମାନ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ। ସମାଜ ଶ୍ରେଣୀହୀନ, ଉଚ୍ଚନୀଚ ଭେଦଭାବ ଶୂନ୍ୟ ହୋଇଯିବ। ସମାଜରେ ଶାନ୍ତି ପ୍ରତିଷ୍ଠା ହେବ। ପ୍ରାକୃତିକ ସମ୍ପଦ ପାଇଁ ଦେଶଦେଶ ମଧ୍ୟରେ ଯୁଦ୍ଧର ଆବଶ୍ୟକତା ପଡ଼ିବନି। ଏହା ହେଉଛି ସଷ୍ଟେନେବଲ୍‌ ଡେଭଲପମେଣ୍ଟ ବା ଚିରନ୍ତନ ବିକାଶର ମୂଳମନ୍ତ୍ର। ଏହା ଉପରେ ବର୍ତ୍ତମାନ ଅନେକ ଗବେଷଣା ହେଲାଣି, ଅନେକ ଦେଶ ଚିନ୍ତାପ୍ରକଟ କଲେଣି: ଷ୍ଟକ୍‌ହୋମ କନ୍‌ଫରେନ୍ସ, ଜାତିସଂଘ ଚୁକ୍ତି, ରିଓ ଆର୍ଥ୍‌ସମିଟ୍‌, କିୟୋଟୋ ପ୍ରୋଟୋକଲ, ମିନାମାତା କନ୍‌ ଭେନ୍‌ସନ୍‌, ପ୍ୟାରିସ୍‌ଚୁକ୍ତି ପରି ଅନେକ ଅନ୍ତର୍ଜାତୀୟ ସଭା, ସମିତି, ଚୁକ୍ତି, ନିୟମକାନୁନ୍‌ ହୋଇସାରିଲାଣି। କିନ୍ତୁ କିଛି ସୁଫଳ ମିଳୁନି।
ସେଦିନ ରାତିରେ ମିରୁକୁ ନିଦ ହେଲାନି। ଚିରନ୍ତନ ବିକାଶର ମୂଳମନ୍ତ୍ର ବୋଲି ଆଜି ଯାହା କୁହାଗଲା, ସେ ସବୁ ତ ମୋ’ ବୁଢ଼ୀଆଈ ଅକ୍ଷରେଅକ୍ଷରେ ପାଳନ କରେ, ଆମ ଗାଁ ଲୋକେ ତ କୋଉ ଆବହମାନ କାଳରୁ ପାଳିଆସୁଛନ୍ତି! ମୁଁ ଯୋଉ ଶୁଖିଲା କାଠପତ୍ର ଗୋଟାଇ ଆଣେ ଆଈ ତାକୁ ଚୁଲିଜାଳେ। ସେଇ ଚୁଲି ପାଉଁଶରେ ସେ କାନ୍ଥ ଲିପେ, ବାସନମାଜେ, ଲୁଗା ସଫାକରେ, ମଇଳା ହାତ ଧୁଏ, କ୍ଷେତରେ ପକାଏ। ପାଉଁଶ ମାଟି ବା ପାଣିରେ ମିଶିଲେ କିଛି କ୍ଷତି କରେନାହିଁ। ଆମେ ଛ’ତିଅଣ ନ’ଭଜା କେବେ ବି ଖାଉନା। ଝରଣା ପାଖ ପଦାରେ ବା ପାହାଡତଳେ ମାଣ୍ଡିଆ, ମକା, ସୁଆଁ, ଯଅ ଚାଷକରୁ। ଏଥିରେ ଯାଉ କରି ଖାଉ। ତା’ସହିତ ଜଙ୍ଗଲୀ ଶାଗ, କନ୍ଦା, କୋଳି, ଛତୁ, ଫୁଲ, ଫଳ, ନହେଲେ ତ ଝରଣାରୁ ଛୋଟ ମାଛ, କଙ୍କଡ଼ା, ଗେଣ୍ଡା, କୋଚିଆ ଦୁଇଟା। ପରବ ଦିନରେ ପାଳିଥିବା କୁକୁଡ଼ା, ଛେଳି ବା ଘୁଷୁରିଟାଏ ମରାହୁଏ। ଆମେ ଯାହା ଖାଉ, ତାହା ନିଜେ ଉତ୍ପାଦନ କରୁ ବା ଜଙ୍ଗଲରୁ ସଂଗ୍ରହ କରୁ। କିଣିଖିଆ ଆମ ସଂସ୍କୃତିରେ ନାହିଁ। ଆମ ଗାଁ ଲୋକେ ଖଟପଲଙ୍କ, ଟେବୁଲ ଚେୟାର ଇତ୍ୟାଦି ବ୍ୟବହାର କରନ୍ତିନି। ଜଙ୍ଗଲୀ ଘାସରେ ବୁଣା ମସିଣା ଖଣ୍ଡିଏରେ ଶୁଆବସା ସବୁ ହୁଏ। ଝାଟି, ମାଟି, ପଥରରେ ଅମ ଘର ତିଆରି ହୋଇ ଘାସ ବା ଛଣରେ ଛପରହୁଏ।

- Advertisement -

ତେଣୁ ଆମ ପାଇଁ କାଠ କାଟିବାର ଆବଶ୍ୟକତା ଖୁବ୍‌ କମ୍‌। ପରିବାରର ଲୋକେ ମିଳିମିଶି ଘର ତିଆରି କରନ୍ତି, ମରାମତି କରନ୍ତି। ସେଥିପାଇଁ ଟାଙ୍ଗିଆ କଟୁରି ଛଡ଼ା ଅନ୍ୟ କିଛି ଯନ୍ତ୍ରପାତି ବା ସରଞ୍ଜାମ ଦରକାର ହୁଏନି। ଆମ ଘର ଭାଙ୍ଗିଗଲେ ଆପେଆପେ ମାଟିରେ ମିଶିଯାଏ। ଆମ ଗାଁ ଲୋକେ ଯୁଆଡ଼େ ଯାଆନ୍ତି, ଚାଲିଚାଲି ଯାଆନ୍ତି। ଜଣେ ଦିନକୁ ତିରିଶ ଚାଳିଶ କିଲୋମିଟର ବାଟ ଚାଲିପାରେ। ତେଣୁ ଆମ ଦୁନିଆ ସେତିକିରେ ସୀମିତ। ସେତିକି ଭିତରେ ବନ୍ଧୁଘର, ହାଟବଜାର। ଝରଣା, ପାହାଡ଼, ବଣ, ଜୀବଜନ୍ତୁ, ଜମିଜାଗାକୁ ଆମେ ଆମର ସମ୍ପତ୍ତି ଭାବୁନା। ସେମାନେ ଆମ ପାଇଁ ଦେବତା। ଆମେ ତାଙ୍କଠୁ କିଛି ନେଲେ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁ, ପୂଜା ଉପାସନା କରୁ। ବଣରୁ ଶିକାରଟିଏ ମାରିଲେ ଆମକୁ ଖାଦ୍ୟ ଯୋଗେଇଥିବାରୁ ଆଗେ ତାକୁ ପ୍ରଣାମ କରୁ। ତା’ପରେ ଗାଁ ସାରା ସମାନ ଭାଗକରି ଖାଉ। ଆମ ଲୋକେ ଦୁଇଖଣ୍ଡ ଚାରିହାତିଆ ଲୁଗା ଧୋଇ ଶୁଖେଇ ପିନ୍ଧନ୍ତି। ଖଣ୍ଡିଏ ଚିରିଲେ ଆଉ ଗୋଟିଏ ଅଣା ହୁଏ, କିନ୍ତୁ ଚିରା ଲୁଗାଟିକୁ ଫୋପାଡ଼ି ନଦେଇ କାମରେ ଲଗାଯାଏ। ଆମ ଗାଁ ଲୋକେ ସନ୍ଧ୍ୟାପରେ ଶୋଇପଡ଼ନ୍ତି ଓ ବଡ଼ି ଭୋର୍‌ରୁ ଉଠିପଡ଼ନ୍ତି, ତେଣୁ ବିଜୁଳିର ଆବଶ୍ୟକତା ନାହିଁ। ଆମ ଭିତରେ ଜାତିଭେଦ ନାହିଁ। ସବୁ କାମ ନିଜେ କରୁ, ତେଣୁ ସମସ୍ତେ ସମାନ।

ତେବେ​‌ ଏ ସବୁ ତ୍‌ ଖୁବ୍‌ ସରଳ କଥା! ଏଥିପାଇଁ ଏତେ ଏତେ ଗବେଷଣା, ସଭାସମିତି, ଚୁକ୍ତି, ରାଜିନାମାର କ’ଣ ଆବଶ୍ୟକତା? ଚିରନ୍ତନ ବିକାଶର ଚାବିକାଠି ତ ମୋ ଗାଁ ଲୋକଙ୍କ ପାଖରେ, ଆମେରିକୀୟମାନେ କ’ଣ ମତେ ଚିରନ୍ତନ ବିକାଶର ପାଠ ପଢ଼େଇବେ? ଲକ୍ଷଲକ୍ଷ ଲୋହିତ ଭାରତୀୟ ଜନଜାତିଙ୍କୁ ଗଣହତ୍ୟା କରି, ଲକ୍ଷଲକ୍ଷ ହେକ୍ଟର ଘଞ୍ଚଜଙ୍ଗଲ ଧ୍ବଂସକରି ବର୍ତ୍ତମାନର ଆମେରିକା ତିଅାରି ହୋଇଛି। କେବଳ ଆମେରିକା କାହିଁକି, ସାରା ପୃଥିବୀରେ ଏମିତି କି ଭାରତରେ ମଧ୍ୟ, ଅଗଣିତ ଆଦିବାସୀଙ୍କ କବର ଉପରେ, ଘଞ୍ଚ ବନାନୀର ଧ୍ବଂସାବଶେଷ ଉପରେ ଆଧୁନିକ ସଭ୍ୟତା ଠିଆ ହୋଇଛି। କୋଡ଼ିଏ ଲକ୍ଷ୍ୟ ବର୍ଷ ତଳେ ମଣିଷର ସୃଷ୍ଟି। ସେଥିରୁ ଶତକଡ଼ା ୯୯.୯ ଭାଗ ସମୟ ମଣିଷ ଅନ୍ୟ ଜୀବଜନ୍ତୁଙ୍କ ପରି ପ୍ରକୃତି ମାତାର କୋଳରେ କଟେଇଛି। କାହିଁ ଏତେ କାଳଧରି ମଣିଷ ଯୋଗୁଁ ତ ପୃଥିବୀର କୌଣସି କ୍ଷତି ହୋଇଯାଇନଥିଲା। ମଣିଷ ସୃଷ୍ଟିର ମାତ୍ର ଶତକଡ଼ା ୦.୧ କାଳଖଣ୍ଡରେ ଆଧୁନିକ ସଭ୍ୟତାର ରାଜୁତି। ମାତ୍ର ଏତିକି ସମୟ ଭିତରେ ମଣିଷ ପାଇଁ ଏବେ ପୃଥିବୀ ଧ୍ବଂସର ଦ୍ବାର ଦେଶରେ ! ମିରୁର ମନ ଘୃଣାରେ ଭରିଗଲା। ସେଇ ରାତିରେ ହିଁ ସେ ନିଷ୍ପତ୍ତି ନେଲା, ଗାଁକୁ ଫେରିଯିବ। ଚିରନ୍ତନ ବିକାଶର ପାଠ ତା’ ବୁଢ଼ୀ ଆଈଠୁ, ଜାତିଭାଇଙ୍କଠୁ ପଢ଼ିବ; ଯୋଉମାନେ କୋଡ଼ିଏ ଲକ୍ଷ ବର୍ଷର ଗୂଢ଼ ଜ୍ଞାନକୁ ସାଇତି ରଖିଛନ୍ତି ତାଙ୍କ ଚଳଣିରେ, ଅତି ଯତ୍ନରେ, ଅଜାଣତରେ।

ପରବର୍ତ୍ତୀ କ୍ଲାସ୍‌ରେ ପଢ଼ାହେଲା- ପ୍ରକୃତି ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରି ଏକ ସନ୍ତୁଳିତ ଜୀବନ ଜିଇବାର କଳା ଆଦିମ ଅଧିବାସୀଙ୍କୁ ଜଣା। ଜୈବବିବିଧତା ସଂରକ୍ଷଣର ସୂତ୍ର, ଚିରନ୍ତନ ବିକାଶର ରହସ୍ୟ ସେମାନଙ୍କ ପାରମ୍ପରିକ ଜ୍ଞାନକୌଶଳରେ ଭରିରହିଛି। ସେ ବିଦ୍ୟା ଆମକୁ ସେମାନଙ୍କଠୁ ଶିଖିବାକୁ ପଡ଼ିବ। ସେତେବେଳକୁ ମିରୁ ତା’ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିସାରିଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories