www.samajalive.in
Wednesday, December 10, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ସରକାର ସଜାଗ

ଭୁବନେଶ୍ୱର : ବାତ୍ୟା ‘ତିତ୍‍ଲି’କୁ ଦୃଷ୍ଟିରେ ରଖି ଆଗାମୀ ଦୁଇଦିନ ୧୧ ଓ ୧୨ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ତଥା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ତେବେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ଏବଂ ଛୁଟି ନେଇଥିବା କର୍ମଚାରୀ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଛି।
ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଚିବାଳୟରେ ସମୀକ୍ଷା କରି ବାତ୍ୟାରେ ଯେପରି କାହାରି ମୃତ୍ୟୁ ନହୁଏ ସେଥିପାଇଁ ଶୂନ୍ୟ ଜୀବନହାନି(ଜିରୋ କାଜୁଆଲିଟି) ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।
ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ଉପକୂଳବର୍ତ୍ତୀ ଜିଲାର ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦେଶ ଦିଆଯାଇଛି। ଆଶ୍ରୟସ୍ଥଳରେ ଖାଦ୍ୟ, ପିଇବା ପାଣି, ବିଦ୍ୟୁତ୍‍ ଓ ପରିମଳ ବ୍ୟବସ୍ଥା ସହିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଘୂର୍ଣ୍ଣିଝଡ଼ ପରେ କ୍ଷତିଗ୍ରସ୍ତ ରାସ୍ତାଘାଟ, ବିଜୁଳି, ପାନୀୟ ଜଳଯୋଗାଣ ଆଦିର ତୁରନ୍ତ ପୁନଃସଂସ୍ଥାପନ ସହିତ ଡ଼ାକ୍ତରଖାନାରେ ବିକଳ୍ପ ବିଦ୍ୟୁତ୍‍ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଣ୍ଟାକୁ ୧୪୦ରୁ ୧୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏଥିପାଇଁ ସମସ୍ତଙ୍କୁ ସତର୍କ କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନରେ ଯାଇ ‘ତିତ୍‍ଲି’ ପରିସ୍ଥିତିର ମୁକାବିଲା ନେଇ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ବର୍ତ୍ତମାନ ସୁଦ୍ଧା ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ତଳିଆ ଅଞ୍ଚଳର ୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜଳଭଣ୍ଡାରର ସ୍ଥିତି ବିଷୟରେ ମଧ୍ୟ ସମୀକ୍ଷା କରିଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସମୀକ୍ଷାବେଳେ ଉପସ୍ଥିତ ଥିଲେ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ ସାମ୍ବାଦିକଙ୍କୁ କହିଥିଲେ ଯେ ବାତ୍ୟାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବାତ୍ୟା ପାଇଁ ସ୍କୁଲ କଲେଜ ଛୁଟି କରାଯିବା ସହିତ ଏହି ସମୟରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ବାତ୍ୟା ବିପର୍ଯ୍ୟୟ ନେଇ ଆମେ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗରେ ଅଛୁ।

ଛାତ୍ର ସଂସଦ ନିର୍ବାଚନ ବାତିଲ
ସାମୁଦ୍ରିକ ବାତ୍ୟା ‘ତିତ୍‍ଲି’ ଦ୍ୱାରା ରାଜ୍ୟର ଅଧିକାଂଶ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆସନ୍ତାକାଲି(୧୧ତାରିଖ) ବିଭିନ୍ନ ସରକାରୀ ଓ ସାହାଯ୍ୟପ୍ରାପ୍ତ ବେସରକାରୀ କଲେଜରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ସମେତ ଅନ୍ୟାନ୍ୟ ଛାତ୍ର ସମିତି/ଆସୋସିଏସନର ନିର୍ବାଚନକୁ ବାତିଲ କରିଦେଇଛନ୍ତି। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଏକ ନିର୍ଦେଶନାମା ପ୍ରକାଶ ପାଇଛି ବୋଲି ବିଭାଗର ଅତିରିକ୍ତ ସଚିବ ଡ.ପାର୍ଥସାରଥି ମିଶ୍ର ସୂଚନା ଦେଇଛନ୍ତି।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories