ଶ୍ରେଷ୍ଠ-୧୦ ଧନୀ ତାଲିକାରୁ ବାଦ୍‌ ପଡ଼ିଲେ ଅମ୍ବାନୀ; ବହୁତ ଆଗରେ ଆଦାନୀ

ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ବଡ଼ ପରିବର୍ତ୍ତନ ହୋଇଛି। ଗୋଟିଏ ପଟେ ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ହ୍ରାସ ଯୋଗୁ ସେ ତାଲିକାରୁ ବାଦ ପଡିଛନ୍ତି। ଅନ୍ୟପକ୍ଷରେ ପ୍ରସିଦ୍ଧ ନିବେଶକ ୱାରେନ୍ ବଫେଟ୍ ଧନୀ ତାଲିକାରେ ନବମ ସ୍ଥାନକୁ ଖସି ଆସିଛନ୍ତି।

ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ତଥା ଦୀର୍ଘ ଦିନ ଧରି ଦୁନିଆର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ସାମିଲ ମୁକେଶ ଅମ୍ବାନୀ ଏବେ ଆଉ ଶ୍ରେଷ୍ଠ ୧୦ ଧନୀ ତାଲିକାରେ ନାହାନ୍ତି। ତାଙ୍କ ସମ୍ପତ୍ତି ହ୍ରାସ ଯୋଗୁ ବର୍ତ୍ତମାନ ରିଲାଏନ୍ସ ଅଧ୍ୟକ୍ଷ ୧୧ ନମ୍ବରକୁ ଖସି ଆସିଛନ୍ତି। ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଅମ୍ବାନୀଙ୍କ ସମ୍ପତ୍ତି ବର୍ତ୍ତମାନ ୮୭.୪ ବିଲିୟନ ଡଲାରକୁ ଖସି ଆସିଛି। ତାଙ୍କ ପରିବର୍ତ୍ତେ ୮୮.୧ ବିଲିୟନ ଡଲାର୍ ମୋଟ୍‌ ସମ୍ପତ୍ତି ସହ ବିଲିୟନେୟାର ଷ୍ଟିଭ୍‌ ବାଲ୍ମର ୧୦ମ ସ୍ଥାନରେ ପହଞ୍ଚିଛନ୍ତି।

ଶ୍ରେଷ୍ଠ-୧୦ ଧନୀ ତାଲିକାରେ ଅନ୍ତର୍ଭୁକ୍ତ ଦ୍ୱିତୀୟ ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ପଞ୍ଚମ ସ୍ଥାନରେ ନିଜର ଉପସ୍ଥିତି ବଜାୟ ରଖିଛନ୍ତି। ନିଜର ଆଧିପତ୍ୟ ଜାରି ରଖି ଆଦାନୀ ୧୦୫ ବିଲୟନ ଡଲାର ମୋଟ୍‌ ସମ୍ପତ୍ତି ସହ ବିଶ୍ୱର ଦ୍ୱିତୀୟ ଧନୀ ଲ୍ୟାରି ପେଜ୍, ଲ୍ୟାରି ଏଲିସନ, ସର୍ଗୀ ବ୍ରିନଙ୍କୁ ଅତିକ୍ରମ କରିଛନ୍ତି। ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି।

ଧନୀ ତାଲିକାରେ ହୋଇଥିବା ଏହି ପରିବର୍ତ୍ତନ ପରେ ଦୁଇ ଭାରତୀୟ ଉଦ୍ୟୋଗପତିଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ, ଗୌତମ ଆଦାନୀ ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କଠାରୁ ବହୁତ ଆଗରେ ଅଛନ୍ତି। ଦୁଇ ଧନୀଙ୍କ ମୋଟ୍‌ ସମ୍ପତ୍ତିରେ ୧୭.୬ ବିଲିୟନ ଡଲାରର ବ୍ୟବଧାନ ରହିଛି।

ବର୍ତ୍ତମାନ ଟେସଲା ସିଇଓ ଏଲନ୍ ମସ୍କ ୨୩୭.୯ ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି। ଏହାପରେ ୧୪୯.୩ ବିଲିୟନ ଡଲାର ସମ୍ପତ୍ତି ସହ ଫ୍ରାନ୍ସର ବିଲିୟନେୟାର ବର୍ନାର୍ଡ ଅର୍ନାଲ୍ଟ ଦ୍ବିତୀୟ ଓ ୧୪୧.୨ ବିଲିୟନ ଡ଼ଲାର ସହ ଆମାଜନର ଜେଫ ବେଜୋସ ତୃତୀୟ ଧନୀ ବ୍ୟକ୍ତି ପାଲଟିଛନ୍ତି। ସେହିପରି ମାଇକ୍ରୋସଫ୍ଟର ବିଲ୍‌ ଗେଟ୍‌ସ ୧୨୪.୬ ବିଲିୟନ ଡଲାର ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି।

ସମ୍ପତ୍ତି ଉତ୍ଥାନ ପତନର ବଡ଼ ପ୍ରଭାବ ପଡ଼ିଛି ପ୍ରସିଦ୍ଧ ନିବେଶକ ୱାରେନ୍ ବଫେଟ୍‌ଙ୍କ ସମ୍ପତ୍ତି ଉପରେ ଏବଂ ସେ ଶ୍ରେଷ୍ଠ -୧୦ ତାଲିକାର ନବମ ସ୍ଥାନକୁ ଖସି ଆସିଛନ୍ତି। ତାଙ୍କର ମୋଟ୍‌ ସମ୍ପତ୍ତି ମୂଲ୍ୟ ହେଉଛି ୯୭.୭ ବିଲିୟନ ଡଲାର। ଏହା ବ୍ୟତୀତ, ଲ୍ୟାରି ପେଜ୍ ୧୦୨.୬ ବିଲିୟନ ଡ଼ଲାର ସହିତ ଷଷ୍ଠ ସ୍ଥାନରେ ଥିବାବେଳେ ଲ୍ୟାରି ଏଲିସନ ୯୯ ବିଲିୟନ ଡଲାର ସମ୍ପତ୍ତି ସହିତ ସପ୍ତମ ସ୍ଥାନରେ ଅଛନ୍ତି। ୯୮.୬ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ସର୍ଗୀ ବ୍ରିନ୍ ଅଷ୍ଟମ ଧନୀ ବ୍ୟକ୍ତି ଏବଂ ୮୮.୧ ବିଲିୟନ ଡ଼ଲାର୍ ସହିତ ଷ୍ଟିଭ୍ ବାଲ୍ମର ଦଶମ ଧନୀ ବ୍ୟକ୍ତି ହୋଇଛନ୍ତି।

Comments are closed.