ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ରକ୍ତଦାନ
ସମ୍ବଲପୁର: ବିଶ୍ୱପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ସର୍ବପୂରାତନ ନନ୍ଦପଡା ଯାତ୍ରା କମିଟି ଓ ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ରକ୍ତଦାନ କରାଯାଇଛି । ଶୀତଳଷଷ୍ଠୀ ଧାର୍ମିକ ମହୋତ୍ସବର ଅନ୍ୟତମ ନାମ ହେଉଛି ଜଗତ କଲ୍ୟାଣ ଯାତ୍ରା । ସାମାଜିକ ଦାୟିତ୍ୱ ନିର୍ବାହ ଓ ଲାଗି ରହିଥିବା ନିରନ୍ତର ରକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ବଲପୁରର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାରରେ ମହାଦେବଙ୍କ ପବିତ୍ର ଦିବସ ସୋମବାର ସନ୍ଧ୍ୟାରେ ୧୫ ୟୁନିଟ ରକ୍ତ ସଂଗ୍ରହ କରି ପ୍ରଦାନ କରାଯାଇଛି । ରକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ପ୍ରତି ବର୍ଷ ସ୍ୱତନ୍ତ୍ର ଭାବରେ ଶୀତଳଷଷ୍ଠୀ ଯାତ୍ରା ପୂର୍ବରୁ ରକ୍ତଦାନ କମିଟି ପକ୍ଷରୁ କରାଯାଇ ଆସୁଛି । ସୂଚନାଯୋଗ୍ୟ ଯେ, ଜଗତକଲ୍ୟାଣ ଉଦ୍ଦେଶ୍ୟ ନେଇ ବଂ ବରାଡ ବାଲୁଙ୍କେଶ୍ୱର ବାବା ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଆୟୋଜିତ ହେଉଥିବା ବେଳେ ଏହି ଭବ୍ୟ ଧାର୍ମିକ ଉତ୍ସବ ଶହ ଶହ ବର୍ଷ ଧରି ପିଢ଼ି ପରେ ପିଢ଼ି ଧରି ଜାରି ରହିଛି । ବର୍ଷତମାମ ବିଭିନ୍ନ ମାନବୀୟ ସେବାରେ ନିୟୋଜିତ ରଖିଥିବା ଶୀତଳଷଷ୍ଠୀ ଯାତ୍ରା କମିଟି ଓ ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ବିଗତ କରୋନା ସମୟରେ ନିଶୁଳ୍କ ଅମ୍ଲଜାନ ସିଲିଣ୍ଡର ସେବା, ରକ୍ତଦାନ ଆଦି ବିଭିନ୍ନ ମାନବୀୟ ସେବା କରାଯାଇଛି ଏବଂ ଏହି ଧାରା ବଜାୟ ରହିବ ବୋଲି ସୂଚନା ଦିଆଯାଇଛି ।
Comments are closed.