ଦେବଗଡ଼ :ଦେବଗଡ ଆଦର୍ଶ ପୁଲିସ ଆଜି ପ୍ରଧାନପାଟ ଜଳ ପ୍ରପାତ ନିକଟସ୍ଥ ପିଣ୍ଡିରୁ ସନ୍ଦେହଜନକ ଭାବେ ପଡିଥିବା ଏକ ଭ୍ୟାନିଟୀ ବ୍ୟାଗ ଏବଂ ହଳେ ସ୍ୟାଣ୍ଡାଲ ଚପଲ ଉଦ୍ଧାର କରିଥିବା ଜଣାପଡିଛି। ଏଗୁଡିକ କାହାର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡିନଥିଲେ ହେଁ ବ୍ୟାଗ ମଧ୍ୟରେ ନଗଦ ୩ହଜାର ରୁ ଅଧିକ ଟଙ୍କା, ଚୁଡି, ରୂପା ଗୋଡମୁଦି, ଏକ ସୁନେଲୀ ରଙ୍ଗର ଚେନ ସମେତ ବିଭିନ୍ନ ପ୍ରଶାଧନ ସାମଗ୍ରୀ ରହିଥିବାରୁ ଏହା କୌଣସି ଯୁବତୀଙ୍କର ହୋଇଥିବା ପୁଲିସ ଅନୁମାନ କରୁଛି। ତେବେ କେଉଁ ପରିସ୍ଥିତିରେ ଏହା ସେଠାକୁ ଆସିଲା ତାହା ବର୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ।
ଅନ୍ୟପକ୍ଷରେ ଏହା ପଛରେ କୌଣସି ଅପରାଧ କିମ୍ବା ଅଘଟଣ ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ସହରର କେତେକ ବ୍ୟକ୍ତି ଆଜି ସକାଳେ ମର୍ଣ୍ଣିଂ ୱାକ ପାଇଁ ପ୍ରଧାନପାଟ ଜଳ ପ୍ରପାତକୁ ଯାଇଥିବା ବେଳେ ପ୍ରପାତ ପାଦଦେଶରେ ଥିବା ପିଣ୍ଡିରେ ଏକ ହଳ ସ୍ୟାଣ୍ଡେଲ ଚପଲ ଓ ଏକ ନୂଆ ଭ୍ୟାନିଟୀ ବ୍ୟାଗ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଦେବଗଡ ଆଦର୍ଶ ଥାନା ପୁଲିସକୁ ସୂଚନା ଦେବାରୁ ପୁଲିସ ଏଗୁଡିକୁ ଉଦ୍ଧାର କରି ଥାନାକୁ ନେବାସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଯାଂଚ ସମୟରେ ଉକ୍ତ ଭ୍ୟାନିଟୀ ବ୍ୟାଗ ମଧ୍ୟରୁ ନଗଦ ୩ହଜାର ରୁ ଅଧିକ ଟଙ୍କା, କାଚ ଚୁଡି, ରୂପା ଗୋଡମୁଦି, ଏକ ସୁନେଲୀ ରଙ୍ଗର ଚେନ ସମେତ ବିଭିନ୍ନ ପ୍ରଶାଧନ ସାମଗ୍ରୀ ମିଳିଥିବା ଜଣାପଡିଛି।



