ନୂଆଦିଲ୍ଲୀ: ବୈବାହିକ ବଳାତ୍କାରକୁ ଅପରାଧ ବିବେଚନା ଦାବି କରି ବହୁଦିନ ତଳୁ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ କୌଣସି ଗୋଟିଏ ନିଷ୍ପତ୍ତିରେ ଉପନୀତି ହୋଇପାରି ନାହାନ୍ତି। ଏହି ପ୍ରସଙ୍ଗ ଉପରେ ଶୁଣାଣି କରିଥିବା ହାଇକୋର୍ଟଙ୍କ ଦୁଇ ବିଚାରପତିଙ୍କ ମଧ୍ୟ ଦ୍ବିମତ ପ୍ରକାଶ ପାଇଛି। ଅର୍ଥାତ୍ ବୈବାହିକ ବଳାତ୍କାରକୁ ଜଣେ ବିିଚାରପତି ଅପରାଧ ବୋଲି ବିବେଚନା କରିଥିବା ବେଳେ ଅନ୍ୟ ଜଣେ ବିଚାରପତି ଏହାକୁ ଅପରାଧ ନୁହେଁ ବୋଲି କହିଛନ୍ତି। ପତ୍ନୀଙ୍କ ଅନିଚ୍ଛା ସତ୍ତ୍ବେ ପତି ଯଦି ତାଙ୍କ ସହିତ ସହବାସ କରନ୍ତି ତେବେ ଏହାକୁ ଅପରାଧ (ବୈବାହିକ ବଳାତ୍କାର) ବିବେଚନା କରାଯାଉ।
ଏପରି କ୍ଷେତ୍ରରେ ପତିଙ୍କ ବିରୋଧରେ ଆଇପିସି ଧାରା ୩୫୭ (ବଳାତ୍କାର) ମାମଲା ରୁଜୁ କରାଯାଉ ବୋଲି କେତେକ ମହିଳା ସଂଗଠନ ପକ୍ଷରୁ ଦାବି କରାଯାଇ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି। ଏନ୍ଜିଓ ଆରଟିଆଇ ଫାଉଣ୍ଡେସନ ଓ ଅଲ ଇଣ୍ଡିଆ ଡେମୋକ୍ରାଟିକ ମହିଳା ସଂଗଠନ ପକ୍ଷରୁ ଯଥାକ୍ରମେ ୨୦୧୫ ଓ ୨୦୧୭ରୁ ଏହି ମାମଲା ରୁଜୁ କରାଯାଇଥିଲା। ଦୀର୍ଘବର୍ଷ ଧରି ଏହି ମାମଲା ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ରହିବା ପରେ ଚଳିତବର୍ଷ ଜାନୁଆରୀ ୭ରୁ ଫେବୃଆରୀ ୨୧ ତାରିଖ ପର୍ଯ୍ୟନ୍ତ କ୍ରମାଗତ ୨୩ ଦିନ ଧରି ଶୁଣାଣି କରି ରାୟ ସଂରକ୍ଷଣ ରଖିଥିଲେ। ଏହି ସମୟରେ ଅଦାଲତ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡିଥିଲେ। ତେବେ କେନ୍ଦ୍ର ସରକାର ଏହା ଉପରେ କୌଣସି ମୌଖିକ ଜବାବ ଦେବା ପରିବର୍ତ୍ତେ ୨୦୧୭ରେ ଦେଇଥିବା ଲିଖିତ ଜବାବକୁ ଚୂଡାନ୍ତ ବୋଲି ଦର୍ଶାଇଥିଲେ। ନୂଆ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାର ଅଧିକ ସମୟ ମାଗିଥିବା ବେଳେ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।
କ’ଣ କହିଲେ ଦୁଇ ବିଚାରପତି
ବୈବାହିକ ବଳାତ୍କାର ପ୍ରସଙ୍ଗ ଉପରେ ଶୁଣାଣି କରିଥିବା ଦିଲ୍ଲୀ ହାଇକୋର୍ଟଙ୍କ ଦୁଇ ବିଚାରପତି ହେଲେ ଜଷ୍ଟିସ ରାଜୀବ ସଖଧେର ଓ ଜଷ୍ଟିସ ହରି ଶଙ୍କର। ବିଚାରପତି ରାଜୀବ ସଖଧେର ତାଙ୍କ ରାୟରେ ବୈବାହିକ ବଳାତ୍କାରକୁ ଅପରାଧ ବୋଲି ବିବେଚନା କରିଛନ୍ତି। ଆଇପିସି ଧାରା ୩୫୭ (ବଳାତ୍କାର)ର ଉପଧାରା ବା ବ୍ୟତିକ୍ରମ (ଏକ୍ସସେପ୍ସନ) ୨ ଅନୁଯାୟୀ ପତ୍ନୀଙ୍କ ଅନିଚ୍ଛା ସତ୍ତ୍ବେ ପତି ଯଦି ତାଙ୍କ ସହିତ ସହବାସ କରନ୍ତି ତେବେ ଏହାକୁ ବଳାତ୍କାର କୁହାଯାଇପାରିବ ନାହିଁ। ଏ କ୍ଷେତ୍ରରେ ପତ୍ନୀ ଯଦି ନାବାଳିକା ହୋଇ ନଥିବେ। ଆଇପିସି ୩୫୭ର ଏହି ଉପଧାରାକୁ ବିଚାରପତି ସଖଧେର ଅସାମ୍ବିଧାନିକ ବୋଲି କହିଛନ୍ତି। ତାଙ୍କ କହିବା କଥା ପତ୍ନୀଙ୍କ ଅନିଚ୍ଛା ସତ୍ତ୍ବେ ପତି ଯଦି ତାଙ୍କ ସହିତ ବଳପୂର୍ବକ ସହବାସ କରନ୍ତି ତେବେ ଏହାକୁ ଅପରାଧ ବିବେଚନା କରାଯାଉ ଓ ସମ୍ପୃକ୍ତ ସ୍ବାମୀଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରାଯାଉ। ବିଚାରପତି ସଖଧେରଙ୍କ ଏହି ରାୟ ସହିତ ସମ୍ମତି ପ୍ରକାଶ କରି ନାହାନ୍ତି ବିଚାରପତି ହରି ଶଙ୍କର। ବିଚାରପତି ହରି ଶଙ୍କର ତାଙ୍କ ରାୟରେ ବଳାତ୍କାର ଆଇନର ଉପଧାରା ୨ ଯଥାର୍ଥ। ଏହା ସମ୍ବିଧାନ ସମ୍ମତ। ଏହା ସମ୍ବିଧାନର ଧାରା ୧୪ (ସମାନତା ଅଧିକାର), ଧାରା ୧୯ (ସ୍ବାଧୀନତା ଅଧିକାର) ଓ ଧାରା ୨୧ (ଜୀବନ ଧାରଣ ଅଧିକାର)କୁ କ୍ଷୁଣ୍ଣ କରୁ ନାହିଁ। ମାମଲା ଉପରେ ଦୁଇ ବିଚାରପତି ଏକମତ ହୋଇ ନଥିବାବେଳେ ଏହାକୁ ସୁପ୍ରିମକୋର୍ଟଙ୍କ ବିଚାର ନିମନ୍ତେ ପଠାଇବା ଲାଗି ଉଭୟ ସମ୍ମତି ପ୍ରକାଶ କରିଛନ୍ତି। ମାମଲାରେ ଆଇନଗତ ବୈଧତା ଉପରେ ବିଚାର କରାଯିବା ଜରୁରୀ ହେଉଥିବାରୁ ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବା ଯଥାର୍ଥ ହେବ ବୋଲି ଉଭୟ ବିଚାରପତି କହିଛନ୍ତି। ଏନଜିଓ ପୁରୁଷ କଲ୍ୟାଣ ଟ୍ରଷ୍ଟ ଏହି ମାମଲା ବିରୋଧରେ ନିଜର ମତ ରଖିଥିଲା।



