ଖୁଣ୍ଟା: ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଭୋଳାଗଡ଼ିଆ ପଞ୍ଚାୟତ ନୂଆଗାଁର ବନ୍ଧ ପୋଖରୀରେ ମାଛ ଧରିବା ବେଳେ ଜାଲରେ ଏକ ଛଅ ଫୁଟ ଲମ୍ବର କୁମ୍ଭୀର ଧରାପଡ଼ିଛି। ଖୁଣ୍ଟା ବ୍ଲକ ଅଞ୍ଚଳରେ ଏହା ପ୍ରଥମ ଘଟଣା। ତେବେ କୁମ୍ଭୀରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ସେମାନେ ପୋଖରୀରେ ଯାଅଁାଳ ଛାଡ଼ିଥିବାବେଳେ ମାଛ ନମିଳିବାରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି କୁମ୍ଭୀରକୁ ନେଇ ଯାଉଥିବା ବନ ବିଭାଗ ଗାଡ଼ିକୁ ଲୋକେ ଯିବାକୁ ଦେଇ ନଥିଲେ। କୁମ୍ଭୀରଟି ପୋଖରୀକୁ ଆସୁଥିବା ଛେଳି, ବତକ ଓ ନିକଟରେ ବୁଲୁଥିବା କୁକୁଡ଼ା ଖାଇ ଯାଇଥିବାରୁ ଗ୍ରାମବାସୀ କ୍ଷତିପୂରଣ ଦାବିରେ ବନ ବିଭାଗ ଗାଡ଼ିକୁ ତିନି ଘଣ୍ଟା ଧରି ଅଟକ ରଖିଥିଲେ।
ପ୍ରକାଶ ଯେ ନୂଆଗାଁର କିଛି ଲୋକ ବିଲ ମଝିରେ ଥିବା ପୋଖରୀରେ ମାଛ ଧରିବା ପାଇଁ ପୂର୍ବ ରାତିରେ ଜାଲ ବସାଇଥିଲେ। ବୁଧବାର ସକାଳେ ଜାଲ ଉଠାଇବା ବେଳକୁ ସେଥିରେ କୁମ୍ଭୀର ପଡ଼ିଥିଲା। ପ୍ରଥମେ କିଛି ଯୁବକ ତାହା ଏକ ବଡ଼ ଗୋଧି ବୋଲି ଭାବିଥିଲେ। ମାତ୍ର ପାଣିରୁ ଉଠେଇବା ପରେ ଜାଲରେ ପଡ଼ିଥିବା କୁମ୍ଭୀରକୁ ଦେଖି ଭୟଭୀତ ହୋଇପଡ଼ିଥିଲେ। ସୂଚନାଯୋଗ୍ୟ ଗତବର୍ଷ ଅଗଷ୍ଟ ମାସରେ କେତେକ ଗ୍ରାମବାସୀ ଉକ୍ତ ପୋଖରୀରେ ଛୋଟ କୁମ୍ଭୀର ଦେଖିଥିବା ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗର କେତେକ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ତାହା ଏକ ଗୋଧି ବୋଲି କହି ଫେରିଯାଇଥିଲେ। କିଛି ଲୋକ ମାଛ ଯାଆଁଳ ସହିତ କୁମ୍ଭୀର ଛୁଆ ଚାଲିଆସିଥିବା କହୁଥିବାବେଳେ ଶିମିଳିପାଳରୁ କେହି କୁମ୍ଭୀର ଶାବକ ଆଣି ଉକ୍ତ ପୋଖରୀରେ ଛାଡ଼ିଥିବା ଆଉ କିଛି ଆଶଙ୍କା କରୁଛନ୍ତି।
ଶିମିଳିପାଳ ଦାୟୀତ୍ୱରେ ଥିବା ଅବସରପ୍ରାପ୍ତ ଉପବନ ସଂରକ୍ଷକ ବଟକୃଷ୍ଣ ପାଢ଼ୀଙ୍କୁ ପଚାରିବାରୁ ଶିମିଳିପାଳରେ ପ୍ରବଳ ବର୍ଷା ଓ ବନ୍ୟା ସମୟରେ ଅଭୟାରଣ୍ୟରୁ ବିଭିନ୍ନ ନଦୀ ଓ ନାଳ ଦେଇ ଏହି ଜାତୀୟ କୁମ୍ଭୀର ବାହାରକୁ ଚାଲିଆସିଥିବାର ସମ୍ଭାବନା ରହିଛି ବୋଲି କହିଥିଲେ। ଅରିକୁଳ ଜଳଭଣ୍ଡାର, ଡଙ୍ଗାମ ପାର୍ଶ୍ବବର୍ତ୍ତୀ ଜଳାଶୟ, ନାହ୍ଲୁଆ ନଦୀ, ଦେବକୁଣ୍ଡ ଅଞ୍ଚଳରୁ ବାହାରିଥିବା ସଞ୍ଜ ଏବଂ ଦେଓ ନଦୀ, ଏପରିକି କାଳ ଜଳଭଣ୍ଡାରରେ କୁମ୍ଭୀର ପହଞ୍ଚିଥିବା ଆଶଙ୍କାକୁ ଏଡାଇ ଦେଇ ହେବନି। ଉକ୍ତ ପୋଖରୀରେ ଆଉ ଏକ କୁମ୍ଭୀର ଥିବା ଲୋକେ କହିଛନ୍ତି। ବନ ବିଭାଗ ପକ୍ଷରୁ କେମିତି କୁମ୍ଭୀର ନୂଆଗାଁରେ ପହଞ୍ଚିଲା ସେ ନେଇ ସ୍ୱତନ୍ତ୍ର ଭାବେ ତଦନ୍ତ କରାଯିବା, ମଣିଷ ଓ ଗୃହପାଳିତ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଜଳ ଭଣ୍ଡାର, ପୋଖରୀଗୁଡ଼ିକ ଯଥାଶୀଘ୍ର ଯାଞ୍ଚ କରାଯିବା ଜରୁରୀ ହୋଇପଡ଼ିଛି ା ଉଦଳା ବନ ବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ଲୋକେ ବିପଜ୍ଜନକ ଅବସ୍ଥାରେ କୁମ୍ଭୀରକୁ ସାଙ୍ଗି ଭାରରେ ନୂଆଗାଁ ବନ ବିଭାଗ ବିଟ ଘରକୁ ନେଇ ପହଞ୍ଚାଇ ଥିଲେ। ଉଦଳା ରେଞ୍ଜର ଅରୁଣ ବେହେରା, ଏସିଏଫଓ ରବିନାରାୟଣ ମହାନ୍ତି ଓ ଖୁଣ୍ଟା ପୁଲିସ ଉପ ନିରୀକ୍ଷକ ସସ୍ମିତା ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କ୍ଷତି ପୂରଣର ପ୍ରତିଶ୍ରୁତି ମିଳିବା ପରେ ଲୋକେ ବିରୋଧରୁ ଓହରି ଯାଇଥିଲେ। କୁମ୍ଭୀରକୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଛାଡ଼ି ଦିଆଯାଇଥିବା ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ କହିଛନ୍ତି।



