ଦୟାଳୁ ସ୍ବଭାବ ଦୂର କରିଥାଏ ଅବସାଦ
କୃପଣ ଲୋକଙ୍କୁ ସାଧାରଣତଃ ସମସ୍ତେ ବିରକ୍ତ ହୋଇଥାନ୍ତି। ଏହି କୃପଣ ବର୍ଗର ଲୋକ ଏକ ନିରାଟ ସତ୍ୟକୁ ଆଦୌ ଗ୍ରହଣ କରନ୍ତି ନାହିଁ ଯେ ଜୀବନ କ୍ଷଣସ୍ଥାୟୀ। ଏଣୁ ସ୍ବଳ୍ପ ଜୀବନକାଳରେ ଅନ୍ୟକୁ ସହାୟତା କରିବା ସହ ଦୟାଳୁ ହେବା ସର୍ବୋଚିତ ବ୍ୟବହାର ବୋଲି ବୈଜ୍ଞାନିକମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି। କାନାଡାର ୟାର୍କ ବିଶ୍ବବିଦ୍ୟାଳୟର ଗବେଷକ ଦଳ ପ୍ରାୟ ୬୪୦ଜଣ ଲୋକଙ୍କୁ ଏଇ ଗବେଷଣାରେ ସାମିଲ କରାଇବା ସହ ସେମାନଙ୍କ ପ୍ରକୃତି, ଆଚରଣକୁ ବରାବର ତଦାରଖ କରାଯାଇଥିଲା। ଲକ୍ଷ୍ୟ କରାଗଲା ଯେ କୃପଣ ବର୍ଗର ଲୋକେ ସବୁବେଳେ ଚିନ୍ତାଗ୍ରସ୍ତ ରହୁଛନ୍ତି। ପର୍ଯ୍ୟାପ୍ତ ପରିମାଣରେ ଧନସମ୍ପତ୍ତି ସେମାନଙ୍କ ପାଖରେ ଥିବା ସତ୍ତ୍ବେ ସେମାନଙ୍କ ଚିନ୍ତା ଯେ କିଭଳି ସେସବୁ ଦ୍ବିଗୁଣିତ ହେବ? ଏଇ ବର୍ଗର ଲୋେକ କୌଣସି କାମରେ ଆତ୍ମସନ୍ତୋଷ ପାଇପାରନ୍ତି ନାହିଁ। କୃପଣ ଲୋକଙ୍କ ଧାରଣା ସବୁବେଳେ ଥାଏ ଯେ କେବଳ ସେମାନଙ୍କ ପ୍ରାଚୁର୍ଯ୍ୟ କାରଣରୁ ହିଁ ଅନ୍ୟମାନେ ତାଙ୍କ ପଛରେ ଧାଇଁଥାନ୍ତି। ତେବେ ଦୟାଳୁ ବର୍ଗର ଲୋକେ ଟଙ୍କା ପଇସାର ଅଭାବ ଅସୁବିଧାକୁ ଏତେ ପରବାୟ କରୁନଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଏଇ ପ୍ରବୃତ୍ତି କାରଣରୁ ସେମାନେ ଅବସାଦଗ୍ରସ୍ତ ରୁହନ୍ତି ନାହିଁ। କେତେଜଣ ଦାନୀ ତଥା ଦୟାଳୁ ଲୋକଙ୍କ ମତାମତ ମଧ୍ୟ ଏ ସଂକ୍ରାନ୍ତରେ ନିଆଯାଇଥିଲା। ଜେନି ନାମ୍ନୀ ୬୬ ବର୍ଷୀୟା ମହିଳାଙ୍କ ମତରେ, ଯଦିଓ ସେ ଖୁବ୍ ଧନୀ ନୁହନ୍ତି, କିନ୍ତୁ ଅଭାବଅସୁବିଧା ମଧ୍ୟ ତାଙ୍କର ନାହିଁ। ଅନେକ ସମୟରେ ସୁପରମାର୍କେଟ୍ରୁ ଆବଶ୍ୟକ ସାମଗ୍ରୀ କିଣିବା ପରେ ସେ ଗରିବ ଲୋକଙ୍କୁ ଦାନ କରିଦିଅନ୍ତି। ଅନ୍ୟପାଖେ ୭୩ ବର୍ଷୀୟ ଷ୍ଟିଫେନ୍ କହିଛନ୍ତି, ଟଙ୍କା ଥିଲେ ମଣିଷମଣିଷକୁ ଚିହ୍ନେ। ଷ୍ଟିଫେନ୍ଙ୍କୁ ସାମାନ୍ୟ ଦାନ କରିବା ପାଇଁ ବିଶେଷଜ୍ଞ ଦଳ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ଜୀବିତ ଥିବା ପର୍ଯ୍ୟନ୍ତ ଏସବୁ କରିପାରିବେ ନାହିଁ ବୋଲି ସ୍ପଷ୍ଟ କହିଥିଲେ।