ସ୍ୱାସ୍ଥ୍ୟମନ୍ତ୍ରୀ କରିଥିଲେ ପଞ୍ଜୀକରଣ ଶୁଭାରମ୍ଭ, ଅଥଚ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଦଳି
କଟକ: ରାଜ୍ୟ ରୋଗୀ ସ୍ବାସ୍ଥ୍ୟସେବାର ମୁଖଶାଳା ହେଉଛି କଟକ ବଡ଼ ଡାକ୍ତରଖାନା। ଏହା ହେବ ବିଶ୍ବସ୍ତରୀୟ। ଏଥିପାଇଁ ପ୍ରସ୍ତୁତ ହେଉଛି ବିଶାଳ ଭିତ୍ତିଭୂମି। ଚାଲିଛି ଭଙ୍ଗାଗଢା। ତେବେ ଏଠାରେ ଯକୃତ(ଲିଭର) ପ୍ରତିରୋପଣ କରାଯିବା ନେଇ ପୂର୍ବ ଘୋଷଣା ଓ ପଞ୍ଜିକରଣର ଶୁଭାରମ୍ଭ ସତ୍ତ୍ବେ ଅଦ୍ୟାବଧି ଏହା ଆରମ୍ଭ ହୋଇନି। କେବେ ଆରମ୍ଭ ହେବ ସେଥିନେଇ ମଧ୍ୟ ସ୍ପଷ୍ଟତା ମିଳିପାରୁନି। କାରଣ ଯକୃତ ପ୍ରତିରୋପଣ ପାଇଁ ତାଲିମପ୍ରାପ୍ତ ଡାକ୍ତରଙ୍କୁ ପଦୋନ୍ନତି ଦିଆଯାଇ ବଡ଼ ଡାକ୍ତରଖାନାରୁ ଅନ୍ୟତ୍ର ବଦଳି କରିଦିଆଯାଇଛି। ଡାକ୍ତର ଅଭାବ ସାଙ୍ଗକୁ ଭିତ୍ତିଭୂମି ନ ଥିବାରୁ ବଡ଼ ଡାକ୍ତରଖାନାରେ ଯକୃତ ପ୍ରତିରୋପଣ ବ୍ୟବସ୍ଥା ଆଶଙ୍କା ସୃଷ୍ଟି ହୋଇଛି। ଯକୃତ ପ୍ରତିରୋପଣ ଆରମ୍ଭ ହୋଇ ନ ଥିବାବେଳେ ଏଥିପାଇଁ ଆଶାୟୀଙ୍କ ତାଲିକା କିନ୍ତୁ ଦିନକୁ ଦିନ ଲମ୍ବି ଚାଲିଛି। ଏଥିମଧ୍ୟରେ ୧୮୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ପ୍ରତିରୋପଣ ସକାଶେ ନାମ ପଞ୍ଜୀକରଣ କରି ଧାଡି ଲଗାଇଲେଣି। ଗୋଟିଏ ପଟେ ଆଶାୟୀଙ୍କ ତାଲିକା ବଢ଼ି ଚାଲିଥିବାବେଳେ ଅନ୍ୟପଟେ ଯକୃତ ପ୍ରତିରୋପଣ ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନି।
ବଡ଼ ଡାକ୍ତରଖାନାରେ ବୃକ୍କ ଓ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହ ଆରମ୍ଭ ହେବା ପରେ ରାଜ୍ୟ ସରକାର ବେଶ୍ ପ୍ରଶଂସା ସାଉଣ୍ଟିଥିଲେ। ଏହାକୁ ଆଧାର କରି ଯକୃତ ପ୍ରତିରୋପଣ କରିବାକୁ ଘୋଷଣା ସହ ପ୍ରସ୍ତୁତି ଆରମ୍ଭ କରିଥିଲେ। ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ଲିଭର ପ୍ରତିରୋପଣ ପାଇଁ ୨୦୧୦-୧୧ରେ ସ୍ୱାସ୍ଥ୍ୟ ବିଭାଗ ଅର୍ଥ ବ୍ୟବସ୍ଥା କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ ଆଶୁ ଚିକିତ୍ସା ବିଭାଗର ୩ୟ ଓ ୪ର୍ଥ ମହଲାରେ ଯକୃତ ପ୍ରତିରୋପଣ କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ୩ୟ ମହଲାରେ ଷ୍ଟେରିଲାଇଜେସନ ପ୍ରକୋଷ୍ଠ ଏବଂ ୪ର୍ଥ ମହଲାରେ ଏକ ଅତ୍ୟାଧୁନିକ ମଡୁଲାର ଅସ୍ତ୍ରୋପଚାର ଗୃହ(ଓଟି) ତିଆରି ପାଇଁ ସରକାର ଅର୍ଥ ଯୋଗାଇ ଦେଇଥିଲେ। ଷ୍ଟେରିଲାଇଜେସନ ସାମଗ୍ରୀ ପାଇଁ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାକୁ ଲକ୍ଷାଧିକ ଟଙ୍କା ପ୍ରଦାନ କରାଯାଇଥିଲା। ୨୦୧୪ରୁ ୨୦୧୬ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୮ଜଣ ଡାକ୍ତର, ଜଣେ ରେଡିଓଲୋଜିଷ୍ଟ ଓ ୧୧ଜଣ ସେବିକାଙ୍କୁ ତାଲିମ ସକାଶେ ନୂଆଦିଲ୍ଲୀସ୍ଥିତ ଆପୋଲୋ ଇନ୍ଦ୍ରପ୍ରସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ଏକ ମାସ ଧରି ଏସବୁ କର୍ମଚାରୀ ଓ ଡାକ୍ତର ଉକ୍ତ ହସ୍ପିଟାଲରେ ତାଲିମ ନେଇଥିଲେ।
ମଡୁଲାର ଓଟି ପ୍ରସ୍ତୁତ ହୋଇ ନ ଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଯକୃତ ପ୍ରତିରୋପଣ କାର୍ଯ୍ୟ ମୂତ୍ରଶଲ୍ୟ ବିଭାଗରେ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ୨୦୨୧ ଅକ୍ଟୋବର ୨୫ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଯକୃତ ପ୍ରତିରୋପଣ ପାଇଁ ବହିର୍ବିଭାଗରେ ନାମ ପଞ୍ଜୀକରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ସପ୍ତାହର ପ୍ରତି ସୋମବାର ଯକୃତ ପ୍ରତିରୋପଣର ବହିର୍ବିଭାଗ ସେବା ଉପଲବ୍ଧ କରାଯାଇଥିଲା। ବହିର୍ବିଭାଗରେ ଏ ପର୍ଯ୍ୟନ୍ତ ୧୮୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ନାମ ପଞ୍ଜୀକରଣ କରିସାରିଲେଣି।
ଅପରପକ୍ଷରେ ଯକୃତ ପ୍ରତିରୋପଣରେ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବିଭାଗର ୨ ଜଣ ଡାକ୍ତରଙ୍କୁ ଯକୃତ ପ୍ରତିରୋପଣ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରେ ସରକାର ବ୍ରହ୍ମପୁର ମେଡିକାଲ କଲେଜରେ ଡାକ୍ତର ଅଭାବକୁ ଦୃଷ୍ଟିରେ ରଖି ଏଠାରେ କାର୍ଯ୍ୟରତ ଡା. ସତ୍ୟ ସାମନ୍ତରାୟଙ୍କୁ ବଦଳି କରାଯାଇଛି। ଡାକ୍ତର ସାମନ୍ତରାୟଙ୍କ ବଦଳି ପରେ ବିଭାଗରେ ଜଣେ ମାତ୍ର ବିଶେଷଜ୍ଞ ଡାକ୍ତର ଅଛନ୍ତି। ସେହିପରି ଯକୃତ ପ୍ରତିରୋପଣ ପାଇଁ କଟକ ବଡ଼ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ବିଶେଷକରି ଯକୃତ ପ୍ରତିରୋପଣ ପାଇଁ ତାଲିମପ୍ରାପ୍ତ ପାଥୋଲୋଜି, ରେଡିଓଲୋଜି, କାର୍ଡିଓ ଭାସ୍କୁଲାର ସର୍ଜରୀ ଏବଂ ଏମରଜେନ୍ସି ଡାକ୍ତରଙ୍କ ଆବଶ୍ୟକତା ରହିଛି। ଯାହା ବଡ଼ ଡାକ୍ତରଖାନାରେ ଅଭାବ ରହିଛି। ଏହିସବୁ ବିଶେଷଜ୍ଞ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ନଥିବାରୁ ଏସସିବିରେ ଯକୃତ ପ୍ରତିରୋପଣ ହେବା ସମ୍ଭବ ନୁହେଁ ବୋଲି ଜଣେ ବିଶେଷଜ୍ଞ ଡାକ୍ତର କହିଛନ୍ତି।



