ଭୁବନେଶ୍ବର: ଅସମ୍ଭାଳ ତାତି। ଡହଡହ ଖରାରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣି। ସୂର୍ଯ୍ୟଙ୍କ ସଳଖ ଚାହାଣୀ ପୂର୍ବାହ୍ନରୁ ସ୍ଥିତି ଅସମ୍ଭାଳ କରି ପକାଉଛି। ପ୍ରତିଦିନ ରାଜ୍ୟରେ ନୂଆ ରେକର୍ଡ କରୁଛି ଗ୍ରୀଷ୍ମ ପ୍ରବାହ। ଚଳିତ ବର୍ଷର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୪ ଡିଗ୍ରୀ ସହ ସୁବର୍ଣ୍ଣପୁର ମଙ୍ଗଳବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏପରିକି ୯ଟି ସହରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇ ଥିବାବେଳେ ୨୧ ସହରର ଦିନ ବେଳାର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ଉପକୂଳ ଓଡ଼ିଶା ବି ତାତିରୁ ବାଦ ପଡିନାହିଁ। ଉପକୂଳର କିଛି ଅଞ୍ଚଳରେ ପାରଦ ଉପରମୁହଁା ହୋଇଛି। ଡହଡହ ତାତି ଯୋଗୁଁ ପୂର୍ବାହ୍ନ ୧୦ଟା ବାଜିେଲ ପଦାକୁ ଗୋଡ଼ କାଢ଼ି ହେଉନାହିଁ। ବିଗତ ସପ୍ତାହେ ହେଲା ସୁବର୍ଣ୍ଣପୁର ଜିଲାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହି ଆସୁଛି। ମଙ୍ଗଳବାର ସୁବର୍ଣ୍ଣପୁର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୪.୪ ଡିଗ୍ରୀ ଅତିକ୍ରମ କରିବା ଦ୍ବାରା ଲୋକେ ବାହାରକୁ ବାହାରି ପାରିନାହାନ୍ତି। ମହାନଦୀ ଉପକୂଳ ଏବଂ ବଣ ଜଙ୍ଗଲ ଘେରା ପାର୍ବତ୍ୟ ଅଞ୍ଚଳ ହେଉଛି ସୁବର୍ଣ୍ଣପୁର ଜିଲା। ଚଳିତ ବର୍ଷ ଜିଲାରେ ସର୍ବାଧିକ ତାପମାତ୍ରା ବଢିବା ଯୋଗୁଁ ତତଲା କଡେଇରେ ଭାଜି ହେଉଛି। ବଲାଙ୍ଗୀରରେ ମଧ୍ୟ ଦିନ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ ହୋଇଥିବାରୁ ରାଜ୍ୟର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ବର ଓ କଟକରେ ଗତକାଲି ପାରଦ ୪୦ ଡିଗ୍ରୀ ଉପରେ ଥିବାବେଳେ ଆଜି ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିଛି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଝାଡଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କିମି ବାୟୁମଣ୍ଡଳ ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟତମ ଘୂର୍ଣ୍ଣିବଳୟ ଝାଡଖଣ୍ଡ, ପଶ୍ଚିମ ଆସାମ ଏବଂ ସମଗ୍ର ପଶ୍ଚିମବଙ୍ଗ ଅଞ୍ଚଳରେ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳର ୦.୯ କିମି ଉଚ୍ଚରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ଭଦ୍ରକ, ବାଲେଶ୍ବର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାରେ କିଛି ଅଞ୍ଚଳରେ ବଜ୍ରପାତ ସହ ବର୍ଷା ପବନ ବହିବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ଜନିତ ବଜ୍ରପାତ ଏବଂ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବା ନିମନ୍ତେ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।
ପାଣିପାଗ କେନ୍ଦ୍ରର ଆକଳନ କହୁଛି, ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ; କିନ୍ତୁ କେତେକ ଅଞ୍ଚଳରେ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ଆଉ କେତେକ ସ୍ଥାନରେ ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଜି ଅନୁଗୋଳ ୪୩.୧, ବାରିପଦା ୪୧, ଝାରସୁଗୁଡା ୪୨.୮, କେନ୍ଦୁଝର ୪୦.୨, ସମ୍ବଲପୁର ୪୨.୪, ସୁନ୍ଦରଗଡ ୪୨.୫, ହୀରାକୁଦ ୪୧.୬, ତାଳଚେର ୪୦.୬, ଭବାନୀପାଟଣା ୪୨, ଟିଟିଲାଗଡ ୪୩.୫, ମାଲକାନଗିରି ୪୦, ବୌଦ୍ଧ ୪୩, ପାରଳାଖେମୁଣ୍ଡି ୪୧, ଭଦ୍ରକ ଓ ଢେଙ୍କାନାଳ ୪୦, ଦେବଗଡ ୪୦.୫, ନୂଆପଡା ୪୧, ଖୋର୍ଦ୍ଧା ୪୦, ଭୁବନେଶ୍ବର ୩୭.୬ ଏବଂ କଟକରେ ୩୭ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।



