www.samajalive.in
Thursday, December 11, 2025
13.1 C
Bhubaneswar

ଭାରତ-ବାଂଲାଦେଶ ଫାଇନାଲ ଆଜି

ଦୁବାଇ : ଶୁକ୍ରବାର ଚଳିତ ଏସିଆ କପ୍‍ କ୍ରିକେଟର  ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସଫଳତମ ଦଳ ଭାରତ ଓ ପଡ଼ୋଶୀ ବାଂଲାଦେଶ। ଏହି ଟୁର୍ଣ୍ଣାମେଣ୍ଟ ଜିତି ମହାଦେଶରେ ତା’ର ପ୍ରାଧାନ୍ୟ ଜାହିର କରିବାକୁ ଭାରତ ଲକ୍ଷ୍ୟ ରଖିଛି। ଆହତ ସମସ୍ୟା ଯୋଗୁଁ ପ୍ରମୁଖ ଖେଳାଳିଙ୍କୁ ହରାଇଥିବା ବାଂଲାଦେଶ ଆଶାରଖିଛି ଯେ ଅଦ୍ୟାବଧି ଟୁର୍ଣ୍ଣାମେଣ୍ଟରେ ଏହା ଯେପରି ପ୍ରଦର୍ଶନ କରିଛି; ତା’ଠାରୁ ଉନ୍ନତ ପ୍ରଦର୍ଶନ କରି ଭାରତକୁ ଚକିତକରି ପ୍ରଥମଥର ଏସିଆ କପ୍‍ ଜିତିବ। କ୍ରିକେଟପ୍ରେମୀ ଏସିଆ କପ୍‍ ଫାଇନାଲରେ ଭାରତ-ପାକିସ୍ତାନ ମୁକାବିଲା ଦେଖିବାକୁ ଅନାଇ ରହିଥିବା ବେଳେ ଏହି ଆଶାରେ ପାଣି ପୂରାଇ ଦେଇଥିଲା ବାଂଲାଦେଶ। ନିମ୍ନମାନର ପ୍ରଦର୍ଶନ କରିଥିବା ପାକିସ୍ତାନକୁ ହରାଇ ଏହା ୩ୟ ଥର ପାଇଁ ଏସିଆ କପ୍‍ ଫାଇନାଲରେ ପହଞ୍ଚିଛି। ୨ଟି ଫାଇନାଲ ମୁକାବିଲାରେ ବାଂଲାଦେଶ ହାରିଥିବା ବେଳେ ୩ୟ ଥର ଭାଗ୍ୟଦେବୀ ଏହା ପ୍ରତି ସଦୟ ହେବ ବୋଲି ଆଶାରଖିଛି। ଅନ୍ୟପକ୍ଷରେ ରେକର୍ଡ ୭ମ ଥର ଏସିଆ କପ୍‍ ଜିତିବା ପାଇଁ ଭାରତ ବଡ଼ ଫେଭରିଟ୍‍।
ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ଅଦ୍ୟାବଧି କୌଣସି ମ୍ୟାଚ୍‍ରେ ପରାସ୍ତ ହୋଇନାହିଁ। ଯେଉଁ ୨ଟି ମ୍ୟାଚ୍‍ରେ ଭାରତକୁ କସରତ କରିବାକୁ ପଡ଼ିଛି; ସେହି ୨ଟି ଦଳ ପ୍ରତିଷ୍ଠିତ ଟେଷ୍ଟ ଖେଳୁଥିବା ଦେଶ ନୁହନ୍ତି। ପ୍ରଥମ ମ୍ୟାଚ୍‍ରେ ହଂକଂ ବିପକ୍ଷରେ ଭାରତ କଷ୍ଟସାଧ୍ୟ ବିଜୟ ହାସଲ କରିଥିବା ବେଳେ ଅନ୍ତିମ ସୁପର ଫୋର୍‍ ମ୍ୟାଚ୍‍ରେ ଦଳର ୫ ପ୍ରମୁଖ ଖେଳାଳିଙ୍କୁ ଭାରତ ବିଶ୍ରାମ ଦେଇଥିଲା। ଆଫ୍‍ଗାନିସ୍ତାନ ବିପକ୍ଷ ଏହି ମ୍ୟାଚ୍‍ ଟାଇ ରହିଥିଲା। ତେବେ ଫାଇନାଲରେ ପୂରା ଶକ୍ତିରେ ଭାରତ ଓହ୍ଲାଇବ। ଅଦ୍ୟାବଧି ସମସ୍ତ ମ୍ୟାଚ୍‍ରେ ଭାରତୀୟ ବୋଲର ଚମତ୍କାର ବୋଲିଂ କରିଛନ୍ତି। ଯଶ୍‍ପୀତ ବୁମ୍‍ରା ଓ ରବୀନ୍ଦ୍ର ଜାଡ଼େଜା ୩ଟି ଲେଖାଏଁ ମ୍ୟାଚ୍‍ରୁ ୭ଟି ଲେଖାଏଁ ୱିକେଟ ନେଇଛନ୍ତି। କୁଲଦୀପ ଯାଦବ ୭ଟି, ଭୁବନେଶ୍ୱର କୁମାର ୬ଟି ଓ ୟୁଜବେନ୍ଦ୍ର ଚହଲ ୫ଟି ୱିକେଟ ନେଇଛନ୍ତି। ଏହି ୫ ବୋଲର ଫାଇନାଲରେ ଖେଳିବା ନିଶ୍ଚିତ। ପୁଣି ଦୁଇ ଭାରତୀୟ ଓପ୍‍ନର ରୋହିତ ଶର୍ମାର୍ ଓ ଶିଖର ଧାୱନ ଚମତ୍କାର ଫର୍ମରେ ଅଛନ୍ତି। ୪ଟି ମ୍ୟାଚ୍‍ରୁ ଦୁଇ ଓପ୍‍ନର ଶିଖର ଧାୱନ ୩୨୭ ଓ ଅଧିନାୟକ ରୋହିତ ଶର୍ମା ୨୬୯ ରନ୍‍ କରିଛନ୍ତି। ଧାୱନ ୨ଟି ଓ ରୋହିତ ଗୋଟିଏ ଶତକ ଅର୍ଜନ କରିଛନ୍ତି। ଅମ୍ବତି ରାୟୁଡୁ ୨ଟି ଅର୍ଦ୍ଧଶତକ ସହ ୧୭୩ ରନ୍‍ କରିଛନ୍ତି। ତେବେ ବ୍ୟାଟ୍‍ସମ୍ୟାନ୍‍ ଭାବେ ସଫଳ ହୋଇନାହାନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କେ.ଏଲ୍‍. ରାହୁଲ ଆଫ୍‍ଗାନିସ୍ତାନ ବିପକ୍ଷ ମ୍ୟାଚ୍‍ରେ ଅର୍ଦ୍ଧଶତକ ମାରିଥିଲେ ହେଁ ଦିନେଶ କାର୍ତ୍ତିକ ପୁଣି ଏକ ସୁଯୋଗ ପାଇପାରନ୍ତି। ଭାରତୀୟ ଦଳର ସବୁଠାରୁ ବଡ଼ ଶକ୍ତି ହେଲା ଏହାର ଆତ୍ମବିଶ୍ୱାସ। ଦଳର ଅଧିକାଂଶ ଖେଳାଳି ଫର୍ମରେ ରହିବା ଏହାକୁ ଟାଇଟଲ ଫେଭରିଟ୍‍ର ଆଖ୍ୟା ଦେଇଛି। ପାକିସ୍ତାନ ବିପକ୍ଷ ସୁପର ଫୋର୍‍ ମ୍ୟାଚ୍‍ରେ ଖେଳିଥିବା ଏକାଦଶ ସହ ଭାରତ ଫାଇନାଲରେ ଓହ୍ଲାଇପାରେ। ପୁଣି ଇଂଲଣ୍ଡ ମାଟିରେ ଭାରତ ୧-୪ରେ ଟେଷ୍ଟ ସିରିଜ୍‍ ହାରି ସମାଲୋଚିତ ହେଉଥିବା ବେଳେ ଏସିଆ କପ୍‍ ବିଜୟ ଏହି ପ୍ରସଙ୍ଗରୁ ସାମାନ୍ୟ ଧ୍ୟାନ ହଟାଇପାରେ।
ଗତ କିଛିବର୍ଷ ହେଲା ଭାରତ-ବାଂଲାଦେଶ କ୍ରିକେଟ ମୁକାବିଲା ବେଶ୍‍ ରୋଚକ ହୋଇଥିବା ବେଳେ ଏଥର ମଧ୍ୟ ସେପରି ହେବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି। ତେବେ ବାଂଲାଦେଶର ଦୁଇ ପ୍ରମୁଖ ଖେଳାଳି ତମିମ୍‍ ଇକ୍‍ବାଲ ଓ ସାକିବ୍‍ ଅଲ୍‍ ହାସନ୍‍ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍‍ପଡ଼ିବା ଦଳକୁ ଦୁର୍ବଳ କରିଦେଇଛି। ଏଦୁହିଁଙ୍କ ବିନା ପାକିସ୍ତାନକୁ ବାଂଲାଦେଶ ପରାସ୍ତ କରିଥିଲେ ହେଁ ଭାରତକୁ ହରାଇବା କଷ୍ଟସାଧ୍ୟ ହୋଇପାରେ। ଅଦ୍ୟାବଧି ମୁସ୍‍ଫିକୁର ରହିମ୍‍ ଗୋଟିଏ ଶତକ ଓ ୯୯ ରନ୍‍ର ଇନିଂସ ଖେଳିଥିବା ବେଳେ ମହମ୍ମଦ ମିଠୁନ ୨ଟି ଅର୍ଦ୍ଧଶତକ ମାରିଛନ୍ତି। ତେବେ ଅନ୍ୟ ବ୍ୟାଟ୍‍ସମ୍ୟାନଙ୍କୁ ଦାୟିତ୍ୱବାନ ହୋଇ ଖେଳିବାକୁ ପଡ଼ିବ। ଭାରତକୁ ହରାଇବା ପାଇଁ ମୁସ୍‍ଫିକୁରଙ୍କଠାରୁ ବଡ଼ ଇନିଂସର ଆଶାରଖିବ ବାଂଲାଦେଶ। ସୁପର ଫୋର୍‍ ପର୍ଯ୍ୟାୟରେ ଉଭୟ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଭାରତୀୟ ପେସ୍‍ ଯୋଡ଼ି ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‍ରା ଏବଂ ସ୍ପିନର ରବୀନ୍ଦ୍ର ଜାଡ଼େଜା ମିଳିତ ଭାବେ ବାଂଲାଦେଶକୁ ୧୭୩ ରନ୍‍ରେ ଅଲ୍‍ଆଉଟ କରିଥିଲେ। ପରେ ରୋହିତ ଶର୍ମାଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ଭାରତ ସହଜରେ ଜିତିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଅଦ୍ୟାବଧି ରନ୍‍ର ପିଛା କରିବାକୁ ପସନ୍ଦ କରିଥିବା ବେଳେ ଫାଇନାଲରେ ମଧ୍ୟ ଏହା ହିଁ କରିପାରେ। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories