କଟକ : ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ପୁଲିସ ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଛି। ଉକ୍ତ ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ତେବେ ଅଭିଯୋଗ ଆସିଥିବା ୨ ପୁଲିସ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯିବାକୁ ଆବେଦନରେ ପ୍ରାର୍ଥନା କରାଯାଇ ଥିବାବେଳେ ଏହି ମାମଲାରେ ଭଞ୍ଜନଗର ଏସ୍ଡିପିଓ ଓ ଆଇଆଇସିଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।
ସୂଚନାଯୋଗ୍ୟ ମାର୍ଚ୍ଚ ୨୫ ତାରିଖରେ ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ନିଜ ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ଦେବ ଗମାଙ୍ଗ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ସେହି ସମୟରେ ତାଙ୍କ ସରକାରୀ କ୍ୱାଟର୍ସରେ ଭଞ୍ଜନଗର ଏସ୍ଡିପିଓ ଓ ଆଇଆଇସି ଉପସ୍ଥିତ ଥିବା ମୃତ ଦେବ ଗମାଙ୍ଗଙ୍କ ମା’ ସୂଚନା ଦେଇଥିଲେ। ତେବେ କେମିତି ଗୁଳି ଫୁଟିଲା ସେନେଇ ଏଯାଏ କିଛି ସ୍ପଷ୍ଟ ହୋଇନାହିଁ। ଉକ୍ତ ଘଟଣାର ସିବିଆଇ ତଦନ୍ତ କରାଗଲେ ସତ୍ୟାସତ୍ୟ ଘଟଣା ସାମନାକୁ ଆସିବ ବୋଲି ଦର୍ଶଯାଇଛି।



