ଗୋପାଳପୁର ବେଳାଭୂମି: ‘ନୋ ପାର୍କିଂ ଜୋନ’ରେ ଗାଡ଼ି ରଖିଲେ ଜୋରିମାନା ନେଉନି ପୁଲିସ, କିନ୍ତୁ ମନଇଚ୍ଛା ଫି ଆଦାୟ କରୁଛନ୍ତି ଲିଜଧାରୀ

ଗୋପାଳପୁର: ଗଞ୍ଜାମ ଜିଲା ପ୍ରଶାସନ ଏବଂ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ ପକ୍ଷରୁ ବତୀଘର ସମ୍ମୁଖ ରାସ୍ତା ଠାରୁ ଓମସାଇ ନର୍ସିଂ କଲେଜ ସମ୍ମୁଖ ରାସ୍ତା ପର୍ୟ୍ୟନ୍ତ ପ୍ରାୟ ୧ କିମି ରାସ୍ତାକୁ ନୋ ପାର୍କିଂ ଜୋନ ଘୋଷଣା କରାଯାଇଥିଲା। ଏହାର ଉଭୟ ରାସ୍ତାରେ ଦୁଇଟି ଫାଟକ ନିର୍ମାଣ ହୋଇଥିଲା, କିନ୍ତୁ ଏହା ମଧ୍ୟରେ ଉଭୟ ଫାଟକ ଭାଙ୍ଗି ଯାଇଥିବା ବେଳେ ଏହାର ମରାମତି କରାଯାଇନାହିଁ। ଏହା ସହ ଗାଡ଼ି ପାର୍କିଂ ଲିଜଧାରୀମାନେ ଅନେକ ସମୟରେ ବିଶେଷ କରି ରବିବାର ଓ ଛୁଟି ଦିନ ମାନଙ୍କରେ ନୋ ପାର୍କିଂ ଜୋନରେ ଗାଡିରଖି ପାର୍କିଂ ଫି ଆଦାୟ କରୁଥିବା ଜଣାପଡ଼ିଛି। ବିଶେଷ କରି ବେଳାଭୂମିରେ ଥିବା ପୁଲିସ ସହାୟତା କେନ୍ଦ୍ର ନୋ ପାର୍କିଂ ଜୋନରେ ଗାଡି ମୋଟର ପାର୍କିଂ କଲେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବା ନେଇ ନୋଟିସ ଟଙ୍ଗା ଯାଇଥିଲେ ମଧ୍ୟ ବେଧଡକ ଭାବେ ସେଠାରେ ମଧ୍ୟ ଗାଡି ପାର୍କିଂ କରାଯାଉଥିବା ଦେଖିବାକୁ ମିଳିଛି ଏବଂ ସେଠାରୁ ମନ ଇଚ୍ଛା ଗାଡ଼ି ପାର୍କିଂ ଫି ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।

 

prayash

ବେଳାଭୂମିର ସହର ଗୋପାଳପୁରକୁ ଆକର୍ଷଣୀୟ ତଥା ଉନ୍ନତ ମାନର ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ କରିବା ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। କିନ୍ତୁ ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ଗାଡି ଓ ମୋଟର ସାଇକେଲଗୁଡିକୁ ସୁବ୍ୟବସ୍ଥିତ ଢଙ୍ଗରେ ଗୋଟିଏ ସ୍ଥାନରେ ରଖି ବେଳାଭୂମି ବୁଲିବାକୁ ଯିବା ନିମନ୍ତେ ଏନଏସି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପୁରୁଣା ପାନ୍ଥନିବାସ କଡ଼ରେ ପ୍ରାୟ ୨ ଏକର ଜାଗାରେ ପାର୍କିଂ ସ୍ଥାନ ନିର୍ମାଣ କରାଯାଇଛି। କିନ୍ତୁ ବେଳାଭୂମି ପାର୍କିଂ ଟେଣ୍ଡର ପାଇଥିବା ଟେଣ୍ଡର ଧାରୀଙ୍କ ପକ୍ଷରୁ ପାର୍କିଂ ସ୍ଥଳରେ ରହୁଥିବା ଗାଡି ମୋଟର ଠାରୁ ପାର୍କିଂ ଆଦାୟ କରିବାକୁ ନିୟମ ରହିଥିଲେ ସୁଦ୍ଧା ବେଳାଭୂମି ସନ୍ନିକଟ ଯେକୌଣସି ସ୍ଥାନରେ ଗାଡି ରଖିଲେ ଜୋରଜବରଦସ୍ତ ପାର୍କିଂ ଫି ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏହା ସହ ପାର୍କିଂ ସ୍ଥଳ ବ୍ୟତିରକେ ମନ ଇଛା ରାସ୍ତା କଡ଼ରେ ଗାଡି ରଖି ପାର୍କିଂ ଫିସ ଆଦାୟ କରାଯାଉଥିବା ଯୋଗୁଁ ଅନେକ ସମୟରେ ଏଠାକୁ ଆସୁଥିବା ପର୍ୟ୍ୟଟକ ମାନେ ରାସ୍ତା ରେ ଯିବାଆସିବା କରିବାରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି। ଗୋପାଳପୁର ବେଳାଭୂମି ଅଞ୍ଚଳରେ ଗାଡି ମୋଟର ପାର୍କିଂ ନିମନ୍ତେ ଦୁଇଚକିଆ ଯାନ ନିମନ୍ତେ ୧୦ ଟଙ୍କା ପାର୍କିଂ ଫି ଏବଂ ଚାରି ଚକିଆ ନିମନ୍ତେ ୪୦ ଟଙ୍କା ଆଦାୟ କରାଯାଉଥିବା ବେଳେ ଆଜି ଯାଏଁ ଏନଏସି ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ପାର୍କିଂ ଫି ନେଇ ସୂଚନା ଫଳକ ଟିଏ ଲାଗି ନଥିବାରୁ ଅନେକ ସମୟରେ ପାର୍କିଂ ଫି ପ୍ରଦାନ କୁ ନେଇ ଉଚ୍ଚବାଚ ହେଉଥିବାର ମଧ୍ୟ ନଜିରକୁ ଆସିଛି।

ରବିବାର ଓ ଛୁଟି ଦିନମାନଙ୍କରେ ଗୋପାଳପୁରରେ ପ୍ରବଳ ଗହଳି ହେଉଥିବା ଯୋଗୁଁ ପାର୍କିଂ ଫି ଆଦାୟ କରୁଥିବା ଟେଣ୍ଡର ଧାରୀମାନେ ମନ ଇଛା ରାସ୍ତା କଡ଼ରେ ପାର୍କିଂ କରିବାକୁ ବାଧ୍ୟ କରୁଥିବାରୁ ପର୍ୟ୍ୟଟକ ଙ୍କ ଯିବାଆସିବାରେ ଅସୁବିଧା ସୃଷ୍ଟି ହେଉଥିବା ପରିଲକ୍ଷିତ ହୋଇଛି। ଅନ୍ୟପଟେ ଏନଏସି ପ୍ରଶାସନ ପକ୍ଷରୁ ନଗର ଓ ଗୃହନିର୍ମାଣ ବିଭାଗରକୁ ଗତ ୧୪/୦୩/୨୦୧୯ରେ ଗୋପାଳପୁର ଏନଏସି ପକ୍ଷରୁ ବିଭିନ୍ନ ପ୍ରକାର ଟିକସ ଓ ପାର୍କିଂ ଫି ଆଦାୟର ତଥ୍ୟ ପ୍ରଦାନ କରାଯାଇଥିଲା। ଏହି ଚିଠିରେ ରହିଥିବା ତଥ୍ୟ ଅନୁସାରେ ଗୋପାଳପୁର ଏନଏସି ପକ୍ଷରୁ ବେଳାଭୂମି ପାର୍କିଂ ଫିସ ବାବଦରେ ଦୁଇ ଚକିଆ ଯାନ‌ ଠାରୁ ୫ ଟଙ୍କା ଏବଂ ଚାରି ଚକିଆ ଠାରୁ ୨୦ ଟଙ୍କା ଏବଂ ୩ ଚକିଆ ଯାନ‌ ଠାରୁ ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଉଲ୍ଲେଖ ରହିଛି। ଏହା ସହ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଗଞ୍ଜାମ ଦର୍ଶନ ଆପରେ ଗୋପାଳପୁର ବେଳାଭୂମି ରେ ପାର୍କିଂ ନେଇ ଆଉ ଏକ ତଥ୍ୟ ଦିଆଯାଇଛି। ଏଥିରେ ଦୁଇ ଚକିଆ ଓ ତିନି ଚକିଆ ଯାନ‌ ନିମନ୍ତେ ପାର୍କିଂ ଫି ୨୦ ଟଙ୍କା ଏବଂ ଚାରି ଚକିଆ ଯାନ ନିମନ୍ତେ ୪୦ ଟଙ୍କା ଫି ଆଦାୟ ନେଇ ଉଲ୍ଲେଖ ରହିଛି। ଏଣୁ ପ୍ରଶାସନ ପକ୍ଷରୁ ଏଥି ପ୍ରତି ଧ୍ୟାନ ଦେବା ସହ ପାର୍କିଂ ଫି ଆଦାୟ ଓ ବେଳାଭୂମି ଅଞ୍ଚଳରେ ସୁବ୍ୟବସ୍ଥିତ ଢଙ୍ଗରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବି ହେଉଛି।

kalyan agarbati

Comments are closed.