ପ୍ରତିବର୍ଷ ଏପ୍ରିଲ ମାସ ୨ ତାରିଖରେ ବିଶ୍ବ ଅଟିଜିମ ସଚେତନତା ଦିବସ ପାଳନ କରାଯାଏ। ଆମ ଦେଶରେ ପ୍ରାୟ ୫୦ ଲକ୍ଷ ପିଲା ଅଟିଜିମ ରୋଗ ଦ୍ବାରା ପ୍ରଭାବିତ। ଭାରତରେ ଅଟିଜିମ ରୋଗର ଲକ୍ଷଣ ଓ ଚିକିତ୍ସ୍ୟା ସମ୍ବନ୍ଧରେ ଘୋର ସଚେତନତାର ଅଭାବ ରହିଛି। ଯାହା ଫଳରେ ସଠିକ ସମୟରେ ଏହି ରୋଗର ଲକ୍ଷଣକୁ ଚିହ୍ନି ଉପଯୁକ୍ତ ଚିକିତ୍ସ୍ୟା ପ୍ରଦାନ କରା ଯାଇ ପାରୁ ନାହିଁ। ଅଟିଜିମ ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ରୋଗ ଯାହା ସାଧାରଣତଃ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇ ଥାଏ।ଏହି ରୋଗରେ ସାମାଜିକ ସମ୍ପର୍କ ସ୍ଥାପନ, ଭାବର ଆଦାନ ପ୍ରଦାନ ଓ ଭାଷାର ପରିପ୍ରକାଶ ଆଦିରେ ଅସୁବିଧା ଦେଖା ଯାଇଥାଏ। ଜିନ ଗତ ଓ ପରିପାର୍ଶ୍ବିକ କାରଣ ଗୁଡିକ ଯୋଗୁଁ ଏହି ରୋଗ ଆରମ୍ଭ ହୋଇ ପାରେ।
ଅଟିଜିମ ରୋଗରେ ୧ ବର୍ଷ ବୟସର ଶିଶୁମାନଙ୍କୁ ନିଜ ନାଁ ଧରି ଡାକିଲେ ସେମାନେ ଜାଣି ପାରନ୍ତି ନାହିଁ। ନିଜ ଆଖପାଖ ଲୋକଙ୍କ ସହିତ ମିଳାମିଶା କରନ୍ତି ନାହିଁ ଓ କୌଣସି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କରି ପାରନ୍ତି ନାହିଁ। ୧ ରୁ ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ, ସବୁବେଳେ ଏକୁଟିଆ କେତେକ ନିର୍ଦ୍ଧିଷ୍ଟ ଖେଳ ହିଁ ଖେଳନ୍ତି। ସେମାନେ ଅନ୍ୟ ମାନଙ୍କ ଆଖିରେ ଆଖି ମିଳାଇ ପାରନ୍ତି ନାହିଁ।ଅଟିଜିମ ରୋଗରେ ଆକ୍ରାନ୍ତ ପିଲାର ଭାଷାର ବିକାଶରେ ଅସୁବିଧା ହୋଇ ଥାଏ। ସେମାନଙ୍କର ଭାଷାର ବିକାଶ ବିଳମ୍ବ ହୋଇ ପାରେ କିମ୍ବା ଭାଷା ଅସ୍ଵାଭାବିକ ହୋଇ ପାରେ। କଥା ବାର୍ତ୍ତା କଲାବେଳେ ସେମାନେ ବିଭିନ୍ନ ଶବ୍ଦର ସଠିକ ଭାବରେ ବ୍ୟବହାର କରିପାରନ୍ତି ନାହିଁ। ଅଟିଜିମ ରୋଗରେ ପିଲାମାନଙ୍କ ଖେଳିବାର ଶୈଳୀରେ ମଧ୍ୟ ଅସ୍ବାଭାବିକତା ଦେଖା ଯାଇ ଥାଏ। ସେମାନେ ସାଧାରଣ ଭାବରେ ବ୍ୟବହାର ହେଉ ଥିବା ଖେଳଣା ସହିତ ଖେଳି ନ ଥାନ୍ତି।ଏହି ରୋଗରେ ପିଲାମାନେ କେତେକ ନିର୍ଦ୍ଧିଷ୍ଟ ବ୍ୟବହାରକୁ ବାରମ୍ବାର କରିଥାନ୍ତି। ଯେମିତିକି ଆଗକୁ ପଛକୁ ଦୋହଲିବା, ଆଖି ଆଗରେ ଆଙ୍ଗୁଠି ମୋଡିବା, ଗୋଲ ଗୋଲ ହୋଇ ଘୁରିବା, କେତେକ ନିର୍ଦ୍ଧିଷ୍ଟ ଶବ୍ଦକୁ ବାରମ୍ବାର କହିବା ଆଦି।
ପ୍ରାରମ୍ଭିକ ଅବସ୍ଥାରେ ଅଟିଜିମ ରୋଗର ଲକ୍ଷଣକୁ ଚିହ୍ନି ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଉଚିତ। ଏଥି ନିମନ୍ତେ ମୁଖ୍ୟତଃ ବିଭିନ୍ନ ବ୍ୟବହାରିକ ଚିକିତ୍ସ୍ୟା ପଦ୍ଧତି (ସେନସୋରୀ ଇଣ୍ଟିଗ୍ରେସନ ଥେରାପି, ସ୍ପିଚ ଥେରାପି)ସହିତକେତେକ ଔଷଧ ବ୍ୟବହାର କରା ଯାଇଥାଏ। ଏହି ଚିକିତ୍ସ୍ୟା ପଦ୍ଧତି ଦ୍ବାରା ପିଲାର ସାମାଜିକ ଓ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଥାଏ। ତା’ର ଭାଷାରେ ମଧ୍ୟ ଧୀରେ ଧୀରେ ବିକାଶ ଘଟି ଥାଏ। ପିଲାର ବ୍ୟବହାରିକ ସମସ୍ୟା ନିମନ୍ତେ କେତେକ ଔଷଧ ବ୍ୟବହାର କରାଯାଇ ଥାଏ। ଅଭିଭାବକମାନେ ଧୈର୍ଯ୍ୟର ସହିତ ପିଲାର ଚିକିତ୍ସା କରାଇଲେ ଧୀରେ ଧୀରେ ପିଲାର ବ୍ୟବହାରରେ ଅନେକ ଉନ୍ନତି ଦେଖା ଯାଇଥାଏ।
ନୂତନ ଭିନ୍ନକ୍ଷମ ଆଇନ ଅନୁସାରେ ଅଟିଜିମ ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ଏବେ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରା ଯାଉଛି। ଯାହା ଫଳରେ ସେମାନେ ଅନେକ ମାତ୍ରାରେ ଉପକୃତ ହୋଇ ପାରୁଛନ୍ତି।
ଡ. ସତ୍ୟକାମ ମହାପାତ୍ର
ମାନସିକ ରୋଗ ବିଶେଷଜ୍ଞ, କଟକ. ଫୋନ- ୮୮୯୫୨୯୩୯୯୭



