ଭୁବନେଶ୍ବର : ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନଙ୍କ ମଧ୍ୟରେ ୩ ଜଣ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ,ପୁଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ରହିଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଏହି ୬ ଜଣଙ୍କ ମଧ୍ୟରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରର ୩ ଜଣ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ସରୋଜ କୁମାର ଦାସଙ୍କ କାର୍ଯ୍ୟଶୈଳୀ ଆଦୌ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ଅତୀତର ରେକର୍ଡରୁ ଜଣାଯାଇଛି, କାର୍ଯ୍ୟ କ୍ଷେତ୍ରରେ ଅତ୍ୟନ୍ତ ଅପାରଗ ଥିଲେ। ତାଙ୍କ କାର୍ଯ୍ୟଶୈଳୀରେ ଅସଙ୍ଗତି, ନିଷ୍ଠାର ଅଭାବ ଏବଂ ଅପାରଗତା ଯୋଗୁ ସେ ଜଣେ ସରକାରୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବା ଜନସ୍ବାର୍ଥର ପରିପନ୍ଥୀ । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେହିପରି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦୟାନିଧି ସାମଲଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ତୋଷଜନକ ନ ଥିଲା । ତାଙ୍କର କାର୍ଯ୍ୟକଳାପ ଜଣେ ଦାୟିତ୍ବବାନ ସରକାରୀ କର୍ମଚାରୀଙ୍କ କାର୍ଯ୍ୟର ପରିପନ୍ଥୀ ଓ ଜନସ୍ବାର୍ଥ ବିରୋଧୀ। ଏହାସହିତ ଅପାରଗତା ଓ ଅସାଧୁତା ଆଦି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ନିର୍ବାହୀ ଯନ୍ତ୍ରୀ ଶ୍ରୀ କରୁଣାକର ଘଡାଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଜଣେ ଯୋଗାଣକାରୀଙ୍କୁ ସେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ। ତାଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ନୁହେଁ ଏବଂ ତାଙ୍କ ବିରୁଦ୍ଧରେ ଅସାଧୁତାର ପ୍ରମାଣ ମଧ୍ୟ ରହିଛି । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଅନୁଗୁଳ ଜିଲ୍ଲା ପୁଲିସ ଇନ୍ସପେକ୍ଟର ଶ୍ରୀ ରତ୍ନାକର ମଲ୍ଲିକଙ୍କୁ ଅପାରଗତା କାରଣକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।ନୂଆପଡା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ରତ୍ନାକର ସେଠୀଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲ ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କ ନିକଟରୁ ୬.୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇ ତାଙ୍କୁ ଜେଲ୍କୁ ପଠାଯାଇଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଅନୁଗୁଳ ଜିଲ୍ଲାର ପୂର୍ବତନ କଲ୍ୟାଣ ଅଧିକାରୀ ମିସ୍ ଚାରୁଲତା ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି। ଜିଲ୍ଲା କଲ୍ୟାଣ ଅଧିକାରୀ ଭାବରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ। ସେ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।



