www.samajalive.in
Sunday, December 7, 2025
18.1 C
Bhubaneswar

ମାଡି ଆସୁଥିବା ଦନ୍ତାକୁ ମଶାଲ ଧରି ଏକୁଟିଆ ଘଉଡାଇଲେ ବନରକ୍ଷୀ

ଭୁବନେଶ୍ବର: ରାଜ୍ୟରେ ହାତୀ-ମଣିଷ ଦ୍ଵନ୍ଦ୍ବକୁ ନେଇ ବନ କର୍ମଚାରୀମାନେ ସବୁ ବେଳେ ନିନ୍ଦିତ ହେଉଥିବା ବେଳେ କିଛି ସଚ୍ଚୋଟ ଓ ନିର୍ଭୀକ ବନ କର୍ମଚାରୀ ଜୀବନକୁ ବାଜି ଲଗାଇ ଗାଁ ଗହଳିରେ ଉଭୟ ହାତୀ ଓ ଜନ ସାଧରଣଙ୍କ ସୁରକ୍ଷା ପାଇଁ ନିରବଚ୍ଛିନ୍ନ ଭାବରେ କାମ କରିଚାଲିଛନ୍ତି । ରେଢ଼ାଖୋଲ ବନଖଣ୍ଡରୁ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଠି ଜଣେ ଫରେଷ୍ଟ ଗାର୍ଡ ଅତ୍ୟନ୍ତ ବାହାଦୂରୀ ଦେଖାଇ ଫସଲ ନଷ୍ଟ କରୁଥିବା ହାତୀକୁ କେବଳ ମଶାଲ ଦେଖାଇ ଜଙ୍ଗଲକୁ ଘଉଡାଇବା ପାଇଁ ସକ୍ଷମ ହୋଇଛନ୍ତି । ଗାର୍ଡ ଜଣଙ୍କ ହେଉଛନ୍ତି ଚିତ୍ତ ରଞ୍ଜନ ମିରି ।

ଚଡଚଡି ଓ ଅଙ୍ଗାବିରା ଗାଁ ମଝିରେ ଏକ ଦନ୍ତା ହାତୀ ଆସି ଫସଲ ଖାଇବା ସହ ନଷ୍ଟ କରିବା ଆରମ୍ଭ କରିଥିଲା। ଖବର ପାଇ ଚିତ୍ତ ରଞ୍ଜନ ତାଙ୍କର ହାତୀ ସ୍କ୍ବାଡ଼ର କିଛି ୱାଚରଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ଗାଁ ଲୋକଙ୍କୁ ସେହି ସ୍ଥାନକୁ ଛାଡିବା ପାଇଁ ବାରଣ କରାଗଲା । ସବୁ ଲୋକେ ସ୍ଥାନ ଛାଡି ଯିବା ପରେ ହାତୀଙ୍କୁ ଘଉଡାଇବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଚିତ୍ତ । ଆଗରୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଆଉ ହାବେଳି ବା ରକେଟ ବାଣ ବ୍ୟବହାର ମନା ହୋଇଥିବାରୁ, ହାତୀ ଘଉଡାଇବା ପାଇଁ ଚିତ୍ତ ନିଜେ ଗୋଟିଏ ୧୦/୧୨ ଫୁଟ ଲମ୍ବର ମଶାଲ ଧରିଲେ ଏବଂ ସାଙ୍ଗରେ ଆଉ ଜଣେ ଲୋକ ମଧ୍ୟ ଅନ୍ୟ ଏକ ମଶାଲ ଧରିଥିଲେ । ମାତ୍ର ୫ ଜଣ ଲୋକଙ୍କୁ ଧରି ଚିତ୍ତ ରଞ୍ଜନ ନିଜର ଅପରେସନ ଆରମ୍ଭ କଲେ ।

- Advertisement -

ତେବେ ଫସଲ ଖାଇବାରୁ ଘଉଡାଇବା ବେଳେ ଦନ୍ତା ହାତୀଟି ଲୋକଙ୍କ ଆଡକୁ ମାଡି ଆସିଥିଲା । ଚିତ୍ତ ରଞ୍ଜନଙ୍କ ସହିତ ଅନ୍ୟ ୪ ଜଣ ଜୀବନ ବଞ୍ଚାଇବା ପାଇଁ ପଛକୁ ଧାଇଁ ଆସିଥିଲେ ମଧ୍ୟ ସେ କିନ୍ତୁ ଗୋଟିଏ ଇଞ୍ଚ ପଛକୁ ଘୁଞ୍ଚି ନଥିଲେ । ହାତୀଟି ଭୟଙ୍କର ରୂପ ଧରି ମାଡି ଆସିଥିଲେ ମଧ୍ୟ ଚିତ୍ତ ରଞ୍ଜନ ଅବିଚଳିତ ଭାବରେ ନିଜ ସ୍ଥାନରେ ଛିଡା ହୋଇ ସାହସର ସହିତ ହାତୀକୁ ଜଳନ୍ତା ମଶାଲ ଦେଖାଇଥିଲେ । ହାତୀ ମାତ୍ର ୧୫ ଫୁଟ ଦୂରରେ ହଠାତ ରହିଯାଇଥିଲା । ଏହାପରେ ଅନ୍ୟ ଏକ ମଶାଲ ଦେଖାଇ ହାତୀକୁ ଚାଷ ଜମିରୁ ଘଉଡାଇବାରେ ସକ୍ଷମ ହୋଇଥିଲେ ଚିତ୍ତ ରଞ୍ଜନ ।

ଏହି ଘଟଣାକୁ ନେଇ ଫରେଷ୍ଟ ଗାର୍ଡ ଚିତ୍ତ ରଞ୍ଜନ ମିରି କହିଛନ୍ତି ‘ମୁଁ କିଛି ବାହାଦୂରୀ କାମ କରିନି । ଯାହା ମୋତେ ବନ ବିଭାଗ ତରଫରୁ ଟ୍ରେନିଂ ଦିଆଯାଇଥିଲା ତାକୁ ପାଳନ କରିଛି ମାତ୍ର । ହାତୀମାନେ ନିଆଁକୁ ଭୟ କରନ୍ତି, ତେଣୁ ମୁଁ ଜାଣିଥିଲି କି ହାତୀ ଯେତେ ଚାର୍ଜ କଲେ ମଧ୍ୟ ମୋ ପାଖକୁ ଆଦୌ ଆସିବନି’। ତେବେ ଲୋକଙ୍କ ଭିଡ଼ ଭିତରେ କାମ କରିବାରେ ସମସ୍ୟା ସୃଷ୍ଟି ହୋଇଯାଏ । ତେଣୁ ଆମେ ହାତୀ ଘଉଡାଇବା କାମ ଆରମ୍ଭ କରିବା ପୂର୍ବରୁ ସବୁ ଲୋକଙ୍କୁ ସେହି ସ୍ଥାନରୁ ହଟେଇ ଦେଇଥିଲୁ । ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଚିତ୍ତ ରଞ୍ଜନଙ୍କୁ ଭୁୟସୀ ପ୍ରଶଂସା କରି କହିଛନ୍ତି ‘ବନ ବିଭାଗର ଫିଲଡ଼ ଷ୍ଟାଫ ସମସ୍ତେ ଚିତ୍ତ ରଞ୍ଜନଙ୍କ ପରି ହେବା ଉଚିତ । ହାତୀ ବ୍ୟବହାର ବିଷୟରେ ଜ୍ଞାନ ରଖିବା ସହିତ ସ୍ଥାନୀୟ ଲୋକମାନଙ୍କ ଉପରେ କମାଣ୍ଡ ମଧ୍ୟ ଥିବା ଦରକାର । ଅନ୍ୟ କେଉଁ ସ୍ଥାନ ହୋଇଥିଲେ ଅଧିକ ସଂଖ୍ୟକ ଲୋକ ଉପସ୍ଥିତ ରହି କାମ କରିବାରେ ନିଶ୍ଚୟ ବାଧା ସୃଷ୍ଟି କରିଥାନ୍ତେ । ହେଲେ ମିରି ସାହାସିକତା ଓ କର୍ତ୍ତବ୍ୟ ପାଳନର ଅପୂର୍ବ ପରାକାଷ୍ଠା ଦେଖାଇଛନ୍ତି’।

ହାତୀକୁ ଜଙ୍ଗଲକୁ ଘଉଡାଇ ସାରିବା ପରେ କାମ ସରିଗଲା ବୋଲି ଭାବି ନ ଥିଲେ ଚିତ୍ତ ରଞ୍ଜନ। ଘଟଣା ସ୍ଥଳରେ ରହି ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ହାତୀ ଉପସ୍ଥିତି ବିଷୟରେ ସଚେତନ କରାଇଥିଲେ । ଖାଲି ସେତିକି ନୁହେଁ, ହାତୀଟି ଗାଁ ପାଖ ଜଙ୍ଗଲରେ ଥିବା କଥା ମାଇକ୍ ଧରି ଗାଁରେ ପ୍ରଚାର ମଧ୍ୟ କରାଇଥିଲେ ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories