www.samajalive.in
Wednesday, December 10, 2025
26.1 C
Bhubaneswar

ସିଇସିଙ୍କୁ ଏନ୍‍ସିପିସିଆର୍‍ଙ୍କ ସୁପାରିସ; ଏକକାଳୀନ ନିର୍ବାଚନ ହେଲେ ଶିକ୍ଷାଦାନ ପାଇଁ ସମୟ ପାଇବେ ଶିକ୍ଷକ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ସମୟରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟୋଜିତ କରାଯାଉଛି। ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବା ନିମନ୍ତେ ସେମାନେ ବିଦ୍ୟାଳୟରେ ଅନୁପସ୍ଥିତ ରହୁ ଥିବାରୁ ଶିକ୍ଷାଦାନ ପାଇଁ ଉପଯୁକ୍ତ ସମୟ ପାଇ ନ ଥାଆନ୍ତି। ଫଳରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢା ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇପାରେ ନାହିଁ। ପ୍ରତ୍ୟେକ ନିର୍ବାଚନୀ ବର୍ଷରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରାୟ ଦଶ ଦିନର ଶିକ୍ଷାଦାନ କରିପାରି ନ ଥାଆନ୍ତି। ଏଣୁ ଯଥାସମ୍ଭବ ସ୍ୱଳ୍ପ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେଲେ ଶିକ୍ଷାଦାନ ଲାଗି ଶିକ୍ଷକ ଶିକ୍ଷୟତ୍ରୀମାନେ ଅଧିକ ସମୟ ପାଇବେ ବୋଲି ଦର୍ଶାଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‍ସିପିସିଆର୍‍) ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବିତ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ବିଶେଷ କରି ଏହା ଶିକ୍ଷାଧିକାର ଆଇନର ସଫଳ ରୂପାୟନ ଦିଗରେ ସହାୟକ ହେବ ବୋଲି ଏନ୍‍ସିପିସିଆର୍‍ ପକ୍ଷରୁ ଦର୍ଶାଯାଇଛି।
ଏକ ବିଶେଷ ଅନୁଧ୍ୟାନମୂଳକ ରିପୋର୍ଟକୁ ଭିତ୍ତି କରି ଏନ୍‍ସିପିସିଆର୍‍ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଓମ୍‍ ପ୍ରକାଶ ରାୱତ୍‍ଙ୍କ ନିକଟକୁ ଏକ ସୁପାରିସ ପତ୍ର ପଠାଇଛନ୍ତି। ଏଥିରେ କୁହାଯାଇଛି, ଶିକ୍ଷକମାନଙ୍କୁ ବୁଥ୍‍ସ୍ତରରେ ନିଯୁକ୍ତ କରାଯିବା ଉଚିତ ନୁହେଁ। କାରଣ ଏହି ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବା ଦ୍ୱାରା ବିଦ୍ୟାଳୟଗୁଡିକରେ ସେମାନଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏନ୍‍ସିପିସିଆର୍‍ ସଦସ୍ୟ ପ୍ରିୟଙ୍କା କାନୁନ୍‍ଗୋ କହିଛନ୍ତି, ରାଜ୍ୟ ସରକାର ଶିକ୍ଷାର ପ୍ରସାର ଲାଗି ବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗାଇ ଦେଇଛନ୍ତି; କିନ୍ତୁ ନିର୍ବାଚନ ବେଳେ ଏସବୁର ବ୍ୟବହାର ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି। ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ହେଲେ ବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବାରମ୍ବାର ନିର୍ବାଚନରେ ସାମିଲ ହେବାକୁ ପଡିବ ନାହିଁ ଏବଂ ପାଠପଢା ସୁରୁଖୁରୁରେ ଚାଲିବ। ଦେଶରେ ଏକକାଳୀନ ନିର୍ବାଚନରେ ସର୍ବୋପରି ସ୍କୁଲ୍‍ ଛାତ୍ରଛାତ୍ରୀମାନେ ଲାଭବାନ ହେବେ ବୋଲି ସେ ଦର୍ଶାଇଛନ୍ତି।
ସିଇସିଙ୍କୁ ଏନ୍‍ସିପିସିଆର୍‍ ଦେଇଥିବା ସୂଚନା ଅନୁସାରେ ପ୍ରତିବର୍ଷ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ମୋଟ ଶିକ୍ଷାଦାନ ସମୟ ମଧ୍ୟରୁ ପ୍ରାୟ ୧.୪% ନିର୍ବାଚନୀ କାର୍ଯ୍ୟ, ୧.୩% ନିର୍ବାଚନୀ ପୂର୍ବପ୍ରସ୍ତୁତି, ୨.୩% ସମସ୍ତ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ, ୧୫.୧୪% ବୁଥ୍‍ସ୍ତରୀୟ କର୍ମଚାରୀ ଦାୟିତ୍ୱ ତୁଲାଇବାରେ କଟିଥାଏ। ନିର୍ବାଚନ ସମୟରେ ସେମାନଙ୍କୁ ସ୍କୁଲରୁ ୧୦ ଦିନର ଛୁଟି ମଧ୍ୟ ମିଳେ। ଏନ୍‍ସିପିସିଆର୍‍ ଯୁକ୍ତି ଦର୍ଶାଇଛି, ଶିକ୍ଷା ଅଧିକାର ଆଇନ (ଆର୍‍ଟିଇ) ଧାରା ୨୦୦୯ ଅନୁସାରେ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବିଧାନସଭା ଓ ଲୋକସଭା ନିର୍ବାଚନ, ଜନଗଣନା ଏବଂ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟ ଭିନ୍ନ ଅନ୍ୟ କୌଣସି କାର୍ଯ୍ୟରେ ସାମିଲ କରାଯାଇ ପାରିବ ନାହିଁ। ମାତ୍ର ସେମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟରେ ବହୁଳ ଭାବେ ନିୟୋଜିତ କରାଯିବା କାରଣରୁ ଆର୍‍ଟିଇର ସଫଳ ରୂପାୟନ ହୋଇପାରୁ ନାହିଁ। ଏଥିସହ ୨୦୧୭ରେ ସ୍କୁଲ୍‍ ଶିକ୍ଷା ଉପରେ ନିର୍ବାଚନର ପ୍ରଭାବ ସମ୍ବନ୍ଧରେ ରିପୋର୍ଟ ପ୍ରସ୍ତୁତ କରିବାକୁ ଏନ୍‍ସିପିସିଆର୍‍ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନକୁ କହିଛି। ସୂଚନା ଅନୁସାରେ ୨୦୧୫-୨୬ରେ ୧୪.୬୭ ଲକ୍ଷ ସ୍କୁଲର ୧୫.୧୪% ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବୁଥ୍‍ସ୍ତରୀୟ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories