ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବାର କାରଣ ଡାକ୍ତରଖାନା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେଣି। ପ୍ରତିଦିନ ଶହ ଶହ ରୋଗୀ ଡାକ୍ତରଖାନା ଆସିବା ଦ୍ୱାରା ରୋଗୀ, ସମ୍ପର୍କୀୟ ଏବଂ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ ହେଉଛନ୍ତି। ଏଭଳି ପ୍ରମାଣ ଖୋଦ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଦେଖିବାକୁ ମିଳିଛି। ଗତ କିଛି ଦିନ ମଧ୍ୟରେ ରୋଗୀଙ୍କ ସଂସ୍ପର୍ଶରେ ଆସି ଏମ୍ସର ୫୪ ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମୀ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୧୭ତାରିଖରୁ ଏମ୍ସ ବହିର୍ବିଭାଗ(ଓପିଡି)ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଏମ୍ସ ପକ୍ଷରୁ ଆଜି ଏକ ଆଦେଶନାମା ପ୍ରକାଶ ପାଇଛି।
ଆଦେଶନାମାରେ କୁହାଯାଇଛି, ଓପିଡି ବନ୍ଦ ରହିଲେ ମଧ୍ୟ ରୋଗୀଙ୍କୁ ଦୂରଭାଷ ଏବଂ ସ୍ୱାସ୍ଥ୍ୟଆପ ମାଧ୍ୟମରେ ଚିକିତ୍ସା ଯୋଗାଇ ଦିଆଯିବ। ପୂର୍ବପରି ଦୈନନ୍ଦିନ ଯତ୍ନସେବା କେନ୍ଦ୍ର, ରେଡିଓଥେରାପି, ଡାଏଲେସିସ୍, ଟ୍ରମା କେୟାର, ଆପାତକାଳୀନ ସେବା, ଜରୁରୀ ଅସ୍ତ୍ରୋପଚାର, ଅନ୍ତର୍ବିଭାଗ(ଆଇପିଡି)ରେ ରୋଗୀସେବା ଉପଲବ୍ଧ ହେବ। ଛାତିରୋଗ ଚିକିତ୍ସା ଏବଂ କରୋନା ଟିକାକରଣ ଆଦି ସେବା କାର୍ଯ୍ୟ ଜାରି ରହିବ। ଦୂରଭାଷ ଚିକିତ୍ସା ସୋମବାରରୁ ଶୁକ୍ରବାର ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଶନିବାର ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୧ଟା ଯାଏଁ ଚାଲିବ। ସ୍ୱାସ୍ଥ୍ୟଆପରେ ଚିକିତ୍ସା ସୋମବାରରୁ ଶୁକ୍ରବାର ପୂର୍ବାହ୍ନ ସାଢେ ୮ଟାରୁ ଅପରାହ୍ଣ ୫ଟା ଯାଏଁ ଚାଲିବ। ଶନିବାର ସକାଳ ୮.୩୦ ମିନିଟରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ରୋଗୀସେବା ଚାଲିବ। ସଂକ୍ରମଣ କମିଲେ ଓପିଡିରେ ଚିକିତ୍ସା ରୋଗୀଙ୍କୁ ମିଳିବ। ଓପିଡି ବନ୍ଦ ରହିଲେ ବି ସମସ୍ତ ଜରୁରୀକାଳୀନ ସେବା ଉପଲବ୍ଧ ହେବ ବୋଲି ଏମ୍ସ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଏସ.ଏନ ମହାନ୍ତି କହିଛନ୍ତି।



