ଭୁବନେଶ୍ବର: ଓଡ଼ିଆ ହ୍ବିଲଚେୟାର ବାସ୍କେଟବଲ ଖେଳାଳି ତଥା ଧାବକ କମଳା କାନ୍ତ ନାୟକ ଗିନିଜ ବୁକ୍ ଅଫ ୱାଲ୍ଡ ରେକର୍ଡ ଅଭିଯାନ ଆରମ୍ଭ କରିଛନ୍ତି। କ୍ରମାଗତ ୨୪ ଘଣ୍ଟା ହ୍ବିଲଚେୟାର ଚଲାଇ ୨୦୦ କିଲୋମିଟର ଅତିକ୍ରମ କରିବା ଲକ୍ଷ୍ୟରେ ବାହାରିଛନ୍ତି କମଳାକାନ୍ତ। ଶନିବାର ଅପରାହ୍ଣ ୩ଟାରୁ କମଳାକାନ୍ତ ଏହି ଅଭିଯାନ ଆରମ୍ଭ କରିଛନ୍ତି। ବେଟର ଲାଇଫ ଫାଉଣ୍ଡେସନ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଭୁବନେଶ୍ବର ସ୍ମାର୍ଟସିଟି ପକ୍ଷରୁ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ।
କମଳାକାନ୍ତ ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ପର୍ଯ୍ୟନ୍ତ ସାଇକଲ ଟ୍ରାକ୍ରେ ୨୪ ଘଣ୍ଟା କ୍ରମାଗତ ଭାବେ ହ୍ବିଲଚେୟାର ଚଲାଇବା ସହିତ ୨୦୦ କିଲୋମିଟର ଅତିକ୍ରମ କରିବା ଲକ୍ଷ୍ୟ ରଖିଛନ୍ତି। ଶନିବାର ଅପରାହ୍ଣ ୪ଟା୩୦ରୁ ରବିବାର ଅପରାହ୍ଣ ୪ଟା୩୦ ପର୍ଯ୍ୟନ୍ତ କମଳାକାନ୍ତ ଏହି ଅଭିଯାନ ଜାରି ରଖିବେ। ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସବ୍ୟସାଚୀ ମିଶ୍ର, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ପ୍ରମୁଖ ପତାକା ଦେଖାଇ କମଳାକାନ୍ତଙ୍କ ଏହି ଅଭିଯାନକୁ ଶୁଭାରମ୍ଭ କରିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହେଉଥିବା ଏଭଳି ଏକ କାର୍ଯ୍ୟକ୍ରମ ଓ ଦିବ୍ୟାଙ୍ଗ କମଳାକାନ୍ତଙ୍କ ଶତାଧିକ ଦିବ୍ୟାଙ୍ଗ କ୍ରୀଡ଼ାବିତ୍, ସାଧାରଣ ଜନତା ଉପସ୍ଥିତ ରହି ଉତ୍ସାହିତ କରିଛନ୍ତି। ଗିନିଜ୍ ବୁକ୍ ଅଫ ୱାଲ୍ଡ ରେକର୍ଡ , ବିଶ୍ବ ରେକର୍ଡ, ଲିମ୍କା ବୁକ୍ ଅଫ ରେକର୍ଡ ନେଇ ଆମେ ଅବେଦନ କରିଛୁ। ଏଥିପାଇଁ ଚାଟାର୍ଡ ଆକାଉଣ୍ଟ ଅଫ ଇଣ୍ଡିଆ ଭୁବନେଶ୍ବର ଶାଖା ପକ୍ଷରୁ ସ୍ବତନ୍ତ୍ର ସ୍ବେଚ୍ଛାସେବୀ ନିରିକ୍ଷଣ କରୁଛନ୍ତି। କମଳାକାନ୍ତ ପୂର୍ବରୁ ୨୦୧୯ରେ ବ୍ରହ୍ମଗିରୀରୁ ନିର୍ତାର ପର୍ୟ୍ୟନ୍ତ ୧୩୯ କିଲୋମିଟର ୧୫ ଘଣ୍ଟା ହ୍ବିଲଚେୟାର ମାରାଥନକୁ ଅତିକ୍ରମ କରିଥିଲେ। କଳଳାକାନ୍ତଙ୍କ ଅଭିଯାନ ସଫଳ ହେବ ବୋଲି ବେଟର ଲାଇଫ ଫାଉଣ୍ଡେସନ ତଥା ଓଡ଼ିଶା ହ୍ବିଲଚେୟାର ବାସ୍କେଟବଲ ସଂଘ ସମ୍ପାଦକ ଦୁର୍ଗା ପ୍ରସାଦ ପଟ୍ଟନାୟକ କହିଛନ୍ତି।



