ଇଂଲଣ୍ଡ ୩୩୨ରେ ଅଲ୍ ଆଉଟ
ଲଣ୍ଡନ : ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ମ ଟେଷ୍ଟମ୍ୟାଚ୍ର ପ୍ରଥମ ଇନିଂସରେ ଇଂଲଣ୍ଡ ୩୩୨ ରନରେ ଅଲ୍ ଆଉଟ ହୋଇଯାଇଛି। ପ୍ରଥମଦିନ ଶେଷ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୭ ୱିକେଟ ହରାଇ ମାତ୍ର ୧୯୮ ରନ୍ କରିଥିବା ବେଳେ ଶନିବାର ଆଉ ୧୩୪ ରନ କରି ଅଲ୍ ଆଉଟ ହୋଇଯାଇଛି। ଦଳ ପକ୍ଷରୁ ବଟଲର ସର୍ବାଧିକ ୮୯ ରନ କରିଥିବା ବେଳେ କୁକ୍ ୭୧ ଓ ଅଲ୍ଲୀ ୫୦ ରନ କରିଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ୱିକେଟ ହାସଲ କରିଛନ୍ତି।
କ୍ରମାଗତ ୫ମ ଟେଷ୍ଟମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ବ୍ୟାଟିଂ ନେଇଥିଲେ। ଇଂଲଣ୍ଡର ଓପ୍ନିଂ ଯୋଡ଼ି ଆଲଷ୍ଟାୟାର କୁକ୍ ଓ କିଟନ ଜେନିଙ୍ଗ୍ସ ଆରମ୍ଭରୁ ଭାରତୀୟ ନୂଆ ବଲ୍ ଆକ୍ରମଣର ସଫଳ ମୁକାବିଲା କରି ୨୪ତମ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହି ୬୦ ରନ୍ର ଭାଗିଦାରୀ କରିଥିଲେ। ବାମହାତି ଜେନିଙ୍ଗ୍ସ ୭୫ ବଲ୍ ଖେଳି ୨ଟି ଚୌକା ସହ ୨୩ ରନ୍କରି ଆଉଟ ହୋଇଥିଲେ। ଭାରତକୁ ଏହି ପ୍ରଥମ ସଫଳତା ଏହି ସିରିଜ୍ରେ ପ୍ରଥମ ମ୍ୟାଚ୍ ଖେଳୁଥିବା ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ଦେଇଥିଲେ। ପରେ କୁକ୍ ଓ ମୋଇନ୍ ଅଲୀ ଧୀରେସୁସ୍ଥେ ସ୍କୋର୍କୁ ଆଗେଇ ନେଇଥିଲେ। ତେବେ ୩ଟି ବଲ୍ ମଧ୍ୟରେ ଭାରତୀୟ ଫିଲ୍ଡର ଉଭୟଙ୍କୁ ଜୀବନଦାନ ଦେଇଥିଲେ। କୁକ୍ ୩୭ ରନ୍ କରିଥିବା ବେଳେ ଅଜିଙ୍କ୍ୟ ରାହାଣେ ଏବଂ ମୋଇନ୍ ୨ ରନ୍ କରିଥିବା ବେଳେ ବିରାଟ କୋହଲି ସ୍ଲିପ୍ରେ ଉଭୟଙ୍କ କ୍ୟାଚ୍ ଛାଡ଼ିଥିଲେ। ୨ୟ ୱିକେଟ ପାଇଁ କୁକ୍ ଓ ମୋଇନ୍ ୭୩ ରନ୍ ଯୋଡ଼ିଥିଲେ। ତେବେ ଯଶପ୍ରୀତ ବୁମ୍ରା ଗୋଟିଏ ଓଭରରେ ୨ଟି ୱିକେଟ ନେଇ ଭାରତକୁ ବଡ଼ ସଫଳତା ଦେଇଥିଲେ। କୁକ୍ ୮ଟି ଚୌକା ସହ ୭୧ ରନ୍କରି ଆଉଟ ହୋଇଥିଲେ। ଏହାର ୩ଟି ବଲ୍ ପରେ ଅଧିନାୟକ ଜୋ ରୁଟ୍ ବିନା ସ୍କୋର୍ରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ପରେପରେ ଜନି ବେୟାରଷ୍ଟୋ ବିନା ସ୍କୋର୍ରେ ଈଶାନ୍ତ ଶର୍ମାଙ୍କ ପ୍ରଥମ ଶିକାର ହୋଇଥିଲେ। ଏହିପରି ୧ ରନ୍ରେ ୩ଟି ୱିକେଟ ନେଇ ଭାରତୀୟ ଦଳ ମ୍ୟାଚ୍କୁ ଫେରିଥିଲା। ୧୩୪ ରନ୍ରେ ୪ଟି ୱିକେଟ ପଡ଼ିଯିବା ପରେ ଦୁଇ ବାମହାତି ମୋଇନ୍ ଅଲୀ ଓ ବେନ୍ ଷ୍ଟୋକ୍ସ ୩୭ ରନ୍ ଯୋଗ କରିଥିଲେ। ଷ୍ଟୋକ୍ସ ୧୧ ରନ୍କରି ଆଉଟ ହୋଇଥିଲେ। ଈଶାନ୍ତ ଶର୍ମା ଗୋଟିଏ ଓଭରରେ ୨ଟି ୱିକେଟ ନେଇଥିଲେ। ପାଖାପାଖି ୫ ଘଣ୍ଟା କ୍ରିଜ୍ରେ ରହି ୧୭୦ଟି ବଲ୍ର ମୁକାବିଲା କରି ୫୦ ରନ୍କରି ମୋଇନ୍ ଆଉଟ ହୋଇଥିଲେ। ସିରିଜ୍ରେ ଭାରତ ପାଇଁ କଣ୍ଟା ସାଜିଥିବା ସାମ୍ କରନ୍ ବିନା ସ୍କୋର୍ରେ ଆଉଟ ହୋଇଥିଲେ। ଜୋସ୍ ବଟ୍ଲର ୧୧ ଓ ଆଦିଲ ରସିଦ୍ ୪ ରନ୍କରି କ୍ରିଜ୍ରେ ଅଛନ୍ତି। ଈଶାନ୍ତ ଶର୍ମା ୩ଟି ଏବଂ ବୁମ୍ରା ଓ ଜାଡ଼େଜା ୨ଟି ଲେଖାଏଁ ୱିକେଟ ନେଇଛନ୍ତି।
ଏହି ମ୍ୟାଚ୍ରେ ଇଂଲଣ୍ଡ ଅପରିବର୍ତ୍ତିତ ଏକାଦଶ ଖେଳାଉଛି। ତେବେ ଭାରତୀୟ ଦଳରେ ୨ଟି ପରିବର୍ତ୍ତନ କରାଯାଇଛି। ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ଖେଳୁଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ହନୁମା ବିହାରୀ ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। ଘରୋଇ ଇଂଲଣ୍ଡ ୩-୧ରେ ଆଗୁଆରହି ସିରିଜ୍ ଜିତିସାରିଛି।