www.samajalive.in
Monday, December 8, 2025
13.1 C
Bhubaneswar

ଜାତିଭିତ୍ତିକ ଜନଗଣନାର ପ୍ରାସଙ୍ଗିକତା

ସ୍ଥାନ ସଂରକ୍ଷଣ ପାଇଁ ମଣ୍ଡଳ କମିସନ ୧୯୮୦ ମସିହାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲା ବେଳେ ପଛୁଆ ଜାତି ବା ଓବିସିଙ୍କ ସଂଖ୍ୟା ହାରାହାରି ୫୨ ଶତକଡ଼ା ବୋଲି ଧରି ନେଇଥିଲେ। ଏହାର କାରଣ, ୧୮୭୨ରୁ ଆରମ୍ଭ ହୋଇଥିବା ଭାରତୀୟ ଜନଗଣନାରେ ଜାତି ସମ୍ପର୍କିତ ସୂଚନା ରହିଥିଲା ୧୯୩୧ ପର୍ଯ୍ୟନ୍ତ। ତା’ର ୧୦ ବର୍ଷ ପରେ, ଅର୍ଥାତ୍‍ ୧୯୪୧ ମସିହାରେ ଅନୁଷ୍ଠିତ ଜନଗଣନାରେ ଜାତିକୁ ଆଧାର କରାଯାଇ ନଥିଲା। ସେହି ୩୧ ମସିହାର ଜାତିଭିତ୍ତିକ ଜନଗଣନା ଅନୁସାରେ ମଣ୍ଡଳ କମିସନ ତାଙ୍କର ରାୟ ରଖିଥିଲେ। ୩୧ ମସିହା ପରେ ଜାତି ସମ୍ପର୍କରେ ଉଲ୍ଲେଖ ନ କରିବାର କାରଣ ଆଜି ମଧ୍ୟ ବିବଦମାନ। ଏପରି ଜନଗଣନା ବିଭେଦକାରୀ ବୋଲି କୁହାଯାଇ କେବଳ ଧର୍ମକୁ ଉଲ୍ଲେଖ କରି ଜାତିକୁ ବାଦ ଦିଆଗଲା। କେତେକ କହନ୍ତି ଏପରି ଧାରଣା ଭିତ୍ତିହୀନ, କାରଣ ଭାରତର ବିଭାଜନରେ ଧର୍ମ ହିଁ ମୂଳ କାରଣ ଓ ଆଜି ମଧ୍ୟ ଯେତେ ଦଙ୍ଗାଗୋଳ ଓ ବିଶୃଙ୍ଖଳା ହେଉଛି ସେ ସବୁରେ ଧର୍ମକୁ ନେଇ ତିକ୍ତତା ଅଧିକ।

ଭାରତୀୟ ସମାଜ ବ୍ୟବସ୍ଥାରେ ଜାତି ଏକ ଗୁରୁତ୍ୱପୂର୍ଣ୍ଣ ଖମ୍ବ। ଏହାକୁ ବାଦ ଦେଇ ଅନେକ କଥା ଚିନ୍ତା କରାଯାଇ ନପାରେ; କିନ୍ତୁ ବିଗତ ଏତେ ବର୍ଷ ଭିତରେ ଓ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଏହାକୁ ଅଣଦେଖା କରାଯିବା ଅଯୁକ୍ତିକର ମନେହୁଏ। ସମ୍ବିଧାନର ଚିଠା ପ୍ରସ୍ତୁତି ବେଳେ ୧୧୪ଥର ବୈଠକ ବସି ବିଭିନ୍ନ ଧାରା ଓ ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ତଥା ସଭିଙ୍କୁ ସମାନ ସୁଯୋଗ ଓ ମାନ୍ୟତା ଦେଇ ନବ ଭାରତ ଗଠନରେ ସହାୟକ ହେଲା ଭଳି ଏକ ସମୃଦ୍ଧ ସମ୍ବିଧାନ ପ୍ରସ୍ତୁତ କରିଥିଲେ ଆମର ସମ୍ବିଧାନ ପ୍ରଣେତାମାନେ। ଭାରତୀୟ ସମାଜରେ ଜାତି ଏକ ନିଷ୍ଠୁର ସତ୍ୟ ଯାହା ଅନେକଙ୍କୁ ଅସୁଖ ଲାଗିପାରେ। ଏହି ବ୍ୟବସ୍ଥା ବା ବିଭେଦର ମୂ​‌େ​‌ଳାତ୍ପାଟନ ଏକାନ୍ତ ଆବଶ୍ୟକ, କିନ୍ତୁ ଏଡ଼ାଇ ଯିବା ଦ୍ୱାରା ତାହାର ବିଲୋପ ହେବନାହିଁ। ଏହାକୁ ନିଃଶେଷ କରିବା ପାଇଁ ପ୍ରଥମେ ଜାତି ବ୍ୟବସ୍ଥାର ଭିତ୍ତିକୁ ଯିବା ଆବଶ୍ୟକ। ଏହାକୁ ଓ ବିଭିନ୍ନ ଉପାଦାନ ସହ ଏହାର ସମ୍ପର୍କକୁ ନ ଜାଣି ଏହା ବିରୁଦ୍ଧରେ ଲଢ଼େଇ ଅସମ୍ଭବ। ଗତ ୨୦ ବର୍ଷ ଭିତରେ ଆସିଥିବା କୌଣସି ସରକାର ନା ଜାତିଭିତ୍ତିକ ଜନଗଣନାକୁ ପ୍ରୋତ୍ସାହିତ କଲେ ନା ଜାତି ବ୍ୟବସ୍ଥାର ବିଲୋପ ପାଇଁ କୌଣସି ପଦକ୍ଷେପ ନେଲେ। ସମ୍ବିଧାନରେ ଜାତିଭିତ୍ତିକ ଜନଗଣନା ବିରୋଧରେ କୌଣସି ନିର୍ଦେଶ ନାହିଁ।

- Advertisement -

୧୯୯୨ ମସିହାରେ ଇନ୍ଦ୍ରସୋନି-ଭାରତ ସରକାର ମାମଲାରେ ରାୟ ଦେଇ ସୁପ୍ରିମକୋର୍ଟର ୯ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ତାହା ହେଲା କୌଣସି ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ୫୦ ଶତକଡ଼ାରୁ ଅଧିକ ହେବା ଉଚିତ୍‍ ନୁହେଁ। ଆଜି କିନ୍ତୁ ଅଧିକାଂଶ ରାଜ୍ୟରେ ପ୍ରାୟତଃ ବିଭିନ୍ନ ବର୍ଗ ପାଇଁ ସ୍ଥାନ ସଂରକ୍ଷଣ ୫୦ ଶତକଡ଼ା ଊର୍ଦ୍ଧ୍ବରେ। ହରିୟାଣାରେ ଏହା ୬୭% ହୋଇଥିବା ବେଳେ ରାଜସ୍ଥାନରେ ୬୪ ଶତକଡ଼ା, ମହାରାଷ୍ଟ୍ରରେ ୬୫, କେରଳରେ ୬୦, ପଞ୍ଜାବରେ ୬୦, ଝାଡ଼ଖଣ୍ଡରେ ୬୦, ହିମାଚଳରେ ୫୯ ଓ ଉତ୍ତର ପ୍ରଦେଶରେ ୫୯.୩୩ ଶତକଡ଼ା। ଭାରତର ସମସ୍ତ ରାଜ୍ୟର ସ୍ଥିତିକୁ ନିରୀକ୍ଷଣ କଲେ ୯୦ ଶତକଡ଼ା ରାଜ୍ୟରେ ସ୍ଥାନ ସଂରକ୍ଷଣ ୫୦ ଶତକଡ଼ା ଊର୍ଦ୍ଧ୍ବରେ ଅଛି। ସମତାଭିତ୍ତିକ ସମ୍ବିଧାନ ପ୍ରସ୍ତୁତ ପାଇଁ ପ୍ରଣେତାମାନେ ମୌଳିକ ଅଧିକାର କ୍ଷେତ୍ରରେ ୩ଟି ଗୁରୁତ୍ୱପୂର୍ଣ୍ଣ ଧାରାକୁ ସଂଯୁକ୍ତ କରିଥିଲେ। ଗୋଟିଏ ହେଲା ଅସ୍ପୃଶ୍ୟତା ନିବାରଣ (ଧାରା ୧୭), ଦ୍ୱିତୀୟରେ ବନ୍ଧୁଆ ଶ୍ରମିକ ପ୍ରଥା ଉଚ୍ଛେଦ (ଧାରା ୨୩), ତୃତୀୟରେ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ (ଧାରା ୨୪), ସୁବିଧା ସୁଯୋଗ ଠିକ୍‍ ଭାବରେ ପାଉନଥିବା ପଛୁଆ ବର୍ଗଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ନିମନ୍ତେ ୧୦ ବର୍ଷ ପାଇଁ ଅନୁସୂଚିତ ଜାତି ତଥା ଜନଜାତିଙ୍କୁ ବିଧାନସଭା ଓ ସଂସଦରେ ସ୍ଥାନ ସଂରକ୍ଷଣ କରାଯାଇଥିଲା। ଏହା ସହିତ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ରାଜ୍ୟ ଓ କେନ୍ଦ୍ରରେ ପ୍ରୟୋଗ ହେଲା। ଭାରତୀୟ ସମ୍ବିଧାନରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଜନ୍ମ ଊର୍ଦ୍ଧ୍ବରେ ସଭିଙ୍କୁ ସମାନ ସୁଯୋଗ ଦେବାର ପ୍ରାବଧାନ ରହିଛି। ସାମାଜିକ ସମତା ଆଣି ଶ୍ରେଣୀଗତ ବୈଷମ୍ୟକୁ ନିଃଶେଷ କରିବା ପାଇଁ ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ଯେଉଁମାନେ ଯୁଗ ଯୁଗ ଧରି ବିଭେଦର ଶିକାର ହୋଇ ଆସୁଥିଲେ ସେମାନଙ୍କ ଉତ୍ତରଣ ପାଇଁ ଏହି ବ୍ୟବସ୍ଥା ହୋଇଥିଲା। ୧୯୯୦ ମସିହାରେ ବିଶ୍ୱନାଥ ପ୍ରତାପ ସିଂଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା। ତାହା ହେଉଛି ମଣ୍ଡଳ କମିସନଙ୍କ ଅନୁମୋଦନ କ୍ରମେ ପଛୁଆ ବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ୨୭ ଶତକଡ଼ା ସ୍ଥାନ ସଂରକ୍ଷଣ ହେଲା। ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଥିବା ୨୨.୫ ଶତକଡ଼ା ମିଶେଇଲେ ସର୍ବମୋଟ ୪୯.୫ ଶତକଡ଼ା ହେଲା। ଏଥିରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଇତିହାସ ଏହାର ସାକ୍ଷୀ। ଇନ୍ଦ୍ରସୋନି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ୨୭ ଶତକଡ଼ା ସଂରକ୍ଷଣକୁ ନିୟମ ରଖି ଅର୍ଥନୈତିକ ଅନଗ୍ରସରଙ୍କ ପାଇଁ ଉଦ୍ଦିଷ୍ଟ ୧୦ ଶତକଡ଼ା କାଟିବା ସହିତ ସମଗ୍ର ସଂରକ୍ଷଣକୁ ୫୦ରେ ସୀମିତ ରଖିବା ପାଇଁ ମତ ଦେଇଥିଲେ। ସେହି ରାୟରେ କୁହାଯାଇଥିଲା ଯେ ସାଧାରଣତଃ ଜାତି ଏକ ସାମାଜିକ ଶ୍ରେଣୀର ଅନ୍ତର୍ଗତ। ଯଦି ସାମାଜିକ କ୍ଷେତ୍ରରେ କେହି ପଛୁଆ ଅଛି ତା’ ହେଲେ ସମ୍ବିଧାନ ଅନୁସାରେ ଏହା ଏକ ପଛୁଆ ଶ୍ରେଣୀ।

ଏହି ସମୟରେ ହିଁ ସଂରକ୍ଷଣ ସୁବିଧା ପାଉଥିବା ଲୋକଙ୍କ ଭିତରେ ସ୍ୱଚ୍ଛଳ ବର୍ଗଙ୍କ କଥା ଉଠିଥିଲା। ଜାତି ଆଧାରରେ ଯେଉଁମାନେ ସଂରକ୍ଷଣର ସୁବିଧା ପାଇ ଥରେ ସ୍ୱଚ୍ଛଳ ଅବସ୍ଥାକୁ ଆସି ଯାଉଛନ୍ତି ସେମାନଙ୍କୁ ଆଉ ପୁନର୍ବାର ସେ ସୁବିଧା ଦିଆନଯାଉ ବୋଲି ୧୯୭୧ ମସିହାରେ ସତାନାଥନ୍‍ କମିସନ୍‍ ପ୍ରଥମେ କଥା ଉଠେଇଥିଲେ। ସେମାନଙ୍କୁ ସ୍ୱଚ୍ଛଳ ବର୍ଗ ବା କ୍ରିମିଲେୟର କୁହାଗଲା। ୧୯୯୩ ମସିହାରେ ଆରମ୍ଭ ହୋଇଥିବା ସ୍ୱଚ୍ଛଳ ବର୍ଗଙ୍କ ସିଲିଂ ୧ ଲକ୍ଷରୁ ବଢ଼ି ବାର୍ଷିକ ୧୫ ଲକ୍ଷରେ ପହଞ୍ଚି ଗଲାଣି; କିନ୍ତୁ ସ୍ୱଚ୍ଛଳ ବର୍ଗ କ୍ଷେତ୍ରରେ ଏହି ସିଲିଂ ମଧ୍ୟ ବାସ୍ତବ କ୍ଷେତ୍ରରେ ଲାଗୁ ହେଉ ନାହିଁ। ବରଂ ସମସ୍ତ ସୁବିଧା ସୁଯୋଗ ହାତେଇ ସ୍ୱଚ୍ଛଳ ହେବା ପରେ ମଧ୍ୟ ସେମାନେ ଶିକ୍ଷା, ନିଯୁକ୍ତି, ଏପରି କି ପଦୋନ୍ନତିରେ ସଂରକ୍ଷଣ ସୁବିଧା ପାଉଛନ୍ତି।
ବର୍ତ୍ତମାନ କିନ୍ତୁ ସଂରକ୍ଷଣ ବ୍ୟବସ୍ଥାର ଭିତ୍ତିକୁ ଖୋଜୁ ଖୋଜୁ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଏକ ଦୃଢ଼ ସ୍ୱର ଉଠିଲାଣି। ଥରେ ଯଦି ପଛୁଆବର୍ଗଙ୍କ ସଂଖ୍ୟା ଆନୁପାତିକ ଭାବେ ଅଧିକ ବୋଲି ଜଣାପଡ଼େ ତା’ହେଲେ ୫୦ ଶତକଡ଼ା ସ୍ଥାନ ସଂରକ୍ଷଣକୁ ଯେଉଁ ସୀମିତ କରାଯାଉଛି ସେ ସୀମା ମଧ୍ୟ ଉଠି ଯିବାକୁ ବାଧ୍ୟ। ୟୁପିଏ ସରକାର ଅନିଚ୍ଛା ସତ୍ତ୍ବେ ୨୦୧୧ ମସିହାରେ ସାମାଜିକ, ଅର୍ଥନୈତିକ ଓ ଜାତିଭିତ୍ତିକ ଜନଗଣନା କରାଇଥିଲେ। ଯଦିଓ ଏହି ସର୍ଭେ ୯୮.୮୭ ଶତକଡ଼ା ଠିକ୍‍ ବୋଲି ଏକ ସଂସଦୀୟ କମିଟି ମତ ଦେଇଥିଲେ; କିନ୍ତୁ ଏନ୍‍.ଡି.ଏ. ସରକାର ସୁପ୍ରିମକୋର୍ଟ ଓ ସଂସଦକୁ ଏହି ଜନଗଣନାର ତଥ୍ୟ ଭ୍ରମାତ୍ମକ ବୋଲି ଦର୍ଶାଇ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ନିଃସନ୍ଦେହରେ ଏହା କୁହାଯାଇପାରେ ଯେ ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ବହୁ ବ୍ୟକ୍ତି ଲାଭାନ୍ୱିତ ହୋଇଛନ୍ତି; କିନ୍ତୁ ଏହା ଅନେକ କ୍ଷେତ୍ରରେ ଅସମତୁଲ ବିକାଶ ପାଇଁ କାରଣ ହୋଇଛି। ଜାତି ଗୋଟିଏ ଶ୍ରେଣୀର ବୋଲି ନ୍ୟାୟପାଳିକା ଯେତେବେଳେ କହିଲାଣି ସେଭଳି ସ୍ଥିତିରେ ସାମାଜିକ-ଅର୍ଥନୈତିକ-ଜାତିଭିତ୍ତିକ ଜନଗଣନା ଏକାନ୍ତ ଆବଶ୍ୟକ ବୋଲି ମନେହୁଏ। ଜାତି ଅନୁସାରେ ଅର୍ଥନୈତିକ ଓ ସାମାଜିକ ସ୍ଥିତିର ଥରେ ନିର୍ଭୁଲ ପରୀକ୍ଷା ହେଲେ ଯୋଜନାବଦ୍ଧ ଭାବେ ସେମାନଙ୍କ ଉତ୍ତରଣ କଥା ଚିନ୍ତା କରାଯାଇ ପାରିବ ଏବଂ ନବ ଭାରତର ନିର୍ମାତାମାନଙ୍କର ସ୍ୱପ୍ନ ପୂରଣ ହୋଇପାରିବ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories