www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ଗମ ଗାଁ କୁଚୁପାଜୁରେ ମୌଳିକ ବିକାଶ ବାଟବଣା

ହରଭଙ୍ଗା : ଦେଶ ସ୍ୱାଧିନ ହେବାର ବହୁବର୍ଷ ବିତିଯାଇଛି। ଆଧୁନିକ ଯୁଗରେ ମଣିଷ ପାଦଥାପିବା ସହିତ ପାଣି ଭିତରେ ଟ୍ରେନ ଚଳାଇବା ଠାରୁ ଆରମ୍ଭ କରି ଚନ୍ଦ୍ରପୃଷ୍ଠରେ ବସବାସ ପାଇଁ ମନକଲାଣି। ଏତେସବୁ ପରେ ମଧ୍ୟ ଦୁର୍ଗମ ଅଂଚଳରେ ରହୁଥିବା ଆଦିମ ଅଧିବାସୀଙ୍କ ନିମନ୍ତେ ପାଦଚଲା ରାସ୍ତା,ଶିକ୍ଷା,ସ୍ୱାସ୍ଥ୍ୟ ,ପିଇବା ପାଣି ଭଳି ମୌଳିକ ସୁବିଧା ଅପହଂଚ ହୋଇରହିବା ସରକାରଙ୍କ ବିକାଶ ନାରା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏଭଳି ଏକ ଦୁର୍ଗମ ଗାଁ ହେଉଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ପଂଚାୟତର ଆଦିବାସୀ ବହୁଳ କୁଚୁପାଜୁ ଗାଁ। ଜିଲ୍ଲା ସଦରମହକୁମାରୁ ୪୮ କିଲୋମିଟର ଗଲେ ପଡେ ଆଡେଣିଗଡ ପଂଚାୟତ। ଏହି ପଂଚାୟତ ସଦରମହକୁମାରୁ ୪କିଲୋମିଟର ଜଙ୍ଗଲ ପାହାଡ ରାସ୍ତାରେ ପନାସୀ ଘାଟି,ଦାନ୍ତୁରୀ ପଥର ଭଳି ଦୁଇ ତିନୋଟି ଘାଟି ରାସ୍ତା ଅତିକ୍ରମ କରି ଗଲେ ପଡେ ଦୁର୍ଗମ କୁଚୁପାଜୁ ଗାଁ। ପଂଚାୟତର ୧ନଂ ଓାର୍ଡ ଅର୍ନ୍ତଗତ ଏହି ଗାଁରେ ଉପର ଏବଂ ତଳ ଭଳି ଦୁଇଟି ସାହିରେ ୨୧ଟି ଆଦିବାସୀ ପରିବାରରେ ପାଖାପାଖି ଦେଢଶହ ଲୋକ ବସବାସ କରନ୍ତି। କେଉଁ ରାଜରାଜୁଡା ଅମଳରୁ ସେମାନେ ଏଠାରେ ବସତି ସ୍ଥାପନ କରି ଚାଷବାସ କରି ଜୀବନ ବିତାଉଛନ୍ତି। ଧାନ, ହଳଦୀ, ସୋରିଷ ଚାଷ ଏମାନଙ୍କ ମୁଖ୍ୟଜୀବିକା ହୋଇଛି। ମାତ୍ର ଯାତାୟତ ସୁବିଧା ନଥିବାରୁ ପାଖ ବଜାରକୁ ଏସବୁ ସାମଗ୍ରୀକୁ ନେଇ ବିକ୍ରୀ କରିବା ବହୁବିଧି ଅସୁବିଧା ହୋଇଥାଏ।

ଫଳରେ ସେମାନେ ଗାଁ ମହାଜନକୁ ସେସବୁ ସାମଗ୍ରୀକୁ ତେଲ ,ଲୁଣ ଦରରେ ବିକ୍ରୀ କରିବା ପାଇଁ ବାଧ୍ୟ ହୋଇଥାନ୍ତି। କୃଷିଭିତିକ ଚାଷରେ ଧାନ ଅମଳ ଭଲ ହେଉଥିଲେ ମଧ୍ୟ ଚଳିତ ବର୍ଷ ବର୍ଷାଭାବରୁ ଉପର ସାହିର ୨୫ ଏକର ଏବଂ ତଳସାହିର ୧୦ଏକର ଜମିରେ ଧାନ ଚାଷ ସଂମ୍ପୂର୍ଣ୍ଣ ଉଜୁଡି ଯାଇଥିବାରୁ ଏମାନେ ବର୍ଷକର ଜୀବିକା ହରାଇବସିଛନ୍ତି। ଧାନଚାଷ ଉଜୁଡିଯାଇଥିବାରୁ ବର୍ଷକର ତେଲ ,ଲୁଣ ଯୋଗାଡ କରିବା ଏମାନଙ୍କ ପାଇଁ କାଠିକର ପାଠ ।। ପାହାଡିଆ ଜଙ୍ଗଲୀ ରାସ୍ତାରେ ଗୋଟିଏ ଦିନ ଅକ୍ଲାନ୍ତ ପରିଶ୍ରମ କରି ସେମାନେ ନିଜର ଭତା ପଇସା,ଚାଉଳ ସଂଗ୍ରହ କରିଥାନ୍ତି। ସରକାରୀ କଟକଣା ଯୋଗୁଁ ବର୍ତମାନ ବାଇଓମେଟ୍ରିକ ମେସିନରେ ଟିପଚିହ୍ନ ଦେଲେ ଚାଉଳ ମିଲୁଥିବାରୁ ଅନେକ ବୃଦ୍ଧ,ବୃଦ୍ଧା ହିତାଧିକାରୀ ଚାଉଳ ପାଇଁ ପଂଚାୟତକୁ ଆସିପାରୁନଥିବା କହିଛନ୍ତି।ଆଦିମ ଅଧିବାସୀଙ୍କ ଶିକ୍ଷା ପାଇଁ ୧୯୭୯ ମସିହାରେ ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଗତ ୪ବର୍ଷ ହେଲା କମ୍ ସଂଖ୍ୟକ ପିଲା ଯୋଗୁଁ ସ୍କୁଲ ବନ୍ଦ ହୋଇପଡିଛି।ଏପରିକି ଗାଁରେ ପ୍ରାକ୍ ଶିକ୍ଷା ପାଇଁ ଅଙ୍ଗନବାଡି  କେନ୍ଦ୍ରଟିଏ ମଧ୍ୟ ନାହିଁ। ଯାହାଫଳରେ ପିଲାମାନେ ପ୍ରାଥମିକ ଶିକ୍ଷାରୁ ବଂଚିତ ହୋଇ ଘରୋଇ କାମଧନ୍ଦାରେ ଲାଗିପଡିଛନ୍ତି। ଗାଁରେ ପିଇବା ପାଣି ପାଇଁ ଏକମାତ୍ର ନଳକୂପ ରହିଛି। ଫଳରେ ପାହାଡିଆ ଚୁଆର ଦୂଷିତ ପାଣିରେ ଏମାନେ ବର୍ଷସାରା ଜୀବନ କାଟୁଛନ୍ତି।। ବର୍ଷା ଚାରିମାସ ପାହାଡିଆ ରାସ୍ତାରେ ଗମନାଗମନ ସଂପୁର୍ଣ୍ଣ ଠପ୍ ହୋଇପଡୁଥିବାରୁ ରୋଗୀକୁ ମେଡିକାଲ ନେବା କଷ୍ଟକର ହୋଇପଡେ। ଗର୍ଭବତୀ ମହିଳାଙ୍କ ପ୍ରସବ ପାଇଁ ମାସେ କିମ୍ବା ଦୁଇମାସ ପୂର୍ବରୁ ସଂର୍ପକୀୟ ଘରେ ସେମାନେ ଛାଡିବାକୁ ବାଧ୍ୟ ହୋଇଥାନ୍ତି। ପ୍ରାୟତଃ ବର୍ଷାଦିନେ ଏମାନେ ଭଗବାନ ଭରସାରେ ପାହାଡ ଉପରେ ରହିଥାନ୍ତି। ଗମନାଗମନ ଅଧିବାସୀଙ୍କ ବିକାଶରେ ଅନ୍ତରାୟ ସୃଷ୍ଟି କରୁଥିବାରୁ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସାମଗ୍ରୀ ପାଇଁ ବହୁବିଧି ଅସୁବିଧା ହୋଇଥାଏ।
ଏବେ ମଧ୍ୟ ଗ୍ରାମର ବିନୋଦ ମଲ୍ଲିକ,ସଚିନ୍ଦ୍ର ଦେହୁରୀ,ବିଭୁଦେନ୍ଦ୍ର ମଲ୍ଲିକ,ରାଜେନ୍ଦ୍ର ଦେହୁରୀ,ନୀଳାଦ୍ରୀ ମଲ୍ଲିକ,ଚପଳା ପ୍ରଧାନ,ପ୍ରକାଶ ଦେହୁରୀ,ସୁନିଲ ଯାନୀ,ଦୌପଦୀ ମଲ୍ଲିକ ପ୍ରମୁଖ ଗରିବ ପରିବାର ଆବାସ ଯୋଜନାରୁ ବଂଚିତ ହୋଇରହିଛନ୍ତି। ସ୍ୱଛଭାରତ ମିଶନରେ ମିଳୁଥିବା ପାଈଖାନା ଗାଁ ଲୋକଙ୍କ ପାଇଁ ଅପହଂଚ ହୋଇରହିଛି। ବହୁବିଧି ଅସୁବିଧା ସତ୍ୱେ ସେମାନେ ଭିଟାମାଟି ଛାଡିଚାଲିଯିବାକୁ ମନବଳାଇ ନାହାଁନ୍ତି। ଆଜି ମଧ୍ୟ ସେମାନେ ସରକାରୀ ସହାଯ୍ୟକୁ ଅପେକ୍ଷା କରିରହିଛନ୍ତି। ଏଥର ପଂଚାୟତ ନିର୍ବାଚନ ଆସୁଥିବାରୁ ନିଜର ମୌଳିକ ହକ୍ ନମିଳିଲେ ଗାଁ ଲୋକେ ଭୋଟବର୍ଜ୍ଜନ କରିବା ପାଇଁ ସାମୁହିକ ନିଷ୍ପତି ଗ୍ରହଣ କରିବେ ବୋଲି ଗ୍ରାମର ଚିତରଂଜନ ମଲ୍ଲିକ,ପ୍ରଫୁଲ କୁମାର ଦେହୁରୀ,ଦୁଃଖିଶ୍ୟାମ କହଁର,ବାଳକୃଷ୍ଣ ଦେହୁରୀ,କୁଞ୍ଜବନ ମଲ୍ଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏମାନଙ୍କ ପ୍ରମୁଖ ଦାବୀ ଦିଗରେ ରାଜ୍ୟସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଦାବୀ ହେଉଛି।
ଗାଁ ଲୋକଙ୍କ ମତାମତ………….

୧.ଲକ୍ଷ୍ମୀ ମଲ୍ଲିକ – ସରକାର ଆଦିବାସୀଙ୍କ ବିକାଶ ପାଇଁ ସବୁ କରିଛେ କହୁଛେ । ମୋତେ ଷାଠିଏ ବର୍ଷ ହେଲାଣ ମୋର ଗାଁ କୁ ରାସ୍ତା ଖଣ୍ଡିଏ ହୋଇପାରୁନାହିଁ। ଆମେ ଜଙ୍ଗଲ ପାହାଡିଆ ରାସ୍ତାରେ ଗରିବ ଲୋକ ବହୁତ କଲବଲରେ ଚାଉଳ,ଭତା ସଂଗ୍ରହ କରୁଛୁ । ଏଥିପାଇଁ  କଠିନ ପରିଶ୍ରମ କରୁଛୁ। ବର୍ଷାଦିନେ ଦେହ ଖରାପ ହେଲେ ରୋଗୀକୁ ମେଡିକାଲ ନେବା କଷ୍ଟକର ହୋଇପଡୁଛେ।

୨.ଦୌପଦୀ ମଲ୍ଲିକ – ଏପର୍ଯ୍ୟନ୍ତ ଆମକୁ ଆବାସ ଘର ମିଳିନାହିଁ। ସରକାର ଆମ ଭଳି ଗରିବ ଲୋକ ପାଇଁ ମନରେଗା କାମ ସୁବିଧା କରିଥିଲେ ସୁଦ୍ଧା କାମଧନ୍ଦା ମିଳୁନାହିଁ। ଗାଁ ଦାଣ୍ଡ ରାସ୍ତା ପକ୍କା  ହୋଇପାରୁନାହିଁ। ସରକାର ଆମ ଲାଗି କିଛି କରୁନାହିଁ।

୩.ଚିତରଂଜନ ମଲ୍ଲିକ – ପୁରୁଷ ପୁରୁଷ ଧରି ଗାଁ କୁ ରାସ୍ତା ଖଣ୍ଡିଏ ନାହିଁ। ଫଳରେ ରୋଗୀକୁ ମେଡିକାଲ ନେଇହେଉନାହିଁ। ସ୍କୁଲ ବନ୍ଦ ଯୋଗୁଁ ପିଲାମାନେ ପାଠପଢାରୁ ବଂଚିତ ହେଉଛନ୍ତି। ଚାଷ ବାସ ପାଇଁ ଜଳସେଚନ ସୁବିଧା ନଥିବାରୁ ଚଳିତବର୍ଷ ପ୍ରାୟ ୩୫ଏକର ଚାଷ ଜମି ପଡିଆ ପଡିଛି। ଅଣାମୁଣ୍ଡା ଏବଂ ବିରକୁଡା ନାଳରେ ଆନିକଟ ହେଲେ ଆମେ ୨୫ ପରିବାର ଉପକୃତ ହେବୁ।

୪.ମଧୁସୂଦନ ମଲ୍ଲିକ – ରାସ୍ତା,ପିଇବାପାଣି,ଶିକ୍ଷା,ସ୍ୱାସ୍ଥ୍ୟ ଭଳି ସବୁ ମୌଳିକ ସୁବିଧାରୁ ଆମେ ବଂଚିତ। ନିର୍ବାଚନ ଆସିଲେ ସମସ୍ତେ ସବୁ କରିଦେବୁ କହି ତାପରେ କାହାର ଦେଖାନାହିଁ। ଗତ ପାଂଚ ବର୍ଷ ମଧ୍ୟରେ ଗାଁରେ କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇନାହିଁ। ଆମକୁ ମୌଳିକ ସୁବିଧା ନ ମିଳିଲେ ଆମେ ସାମୁହିକ ଭୋଟ ବର୍ଜ୍ଜନ ପାଇଁ ପଛାଇବୁ ନାହିଁ ବୋଲି କହିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories