୧୬ ମାସ ହେଲା ଗ୍ରାମୀଣ ଆବାସ ଡାଟାବେସରେ ତାଲା

ପକ୍କାଘର ଅପେକ୍ଷାରେ ୫ହଜାର ୮୦୬ ହିତାଧିକାରୀ

ହରଭଙ୍ଗା : ସରକାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଗରିବ ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ, ଭଳି ମହତଙ୍କାକ୍ଷୀ ଲୋକାଭିମୁଖୀ ଯୋଜନାରେ ପକ୍କାଘର ଖଣ୍ଡିଏ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି। ମାତ୍ର ୨୦୨୧-୨୨ ଆର୍ଥୀକ ବର୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଡାଟାବେସରେ ଦୀର୍ଘ ୧୬ମାସ ହେଲା ତାଲାବନ୍ଦ ଯୋଗୁଁ ଅନିଶ୍ଚିତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଟକି ରହିଛି। ଯାହାଫଳରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ହଜାର ହଜାର ଗରିବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଭଳି ପକ୍କା ଘର ଯୋଜନାରୁ ବଂଚିତ ହୋଇ ବହୁ ଦୁଃଖ କଷ୍ଟରେ କାଳତିପାତ କରୁଥିବା ଦେଖିବାକୁ ମିଳୁଛି। କେବେ ଡାଟାବେସ୍ ଖୋଲିବ ତାକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବାରୁ ବକେୟା ତାଲିକାରେ ରହିଥିବା ହିତାଧିକାରୀଙ୍କ ଆବାସ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବା ଆଶଙ୍କା ପ୍ରକାଶ ପାଇଛି।
ପ୍ରକାଶ ଯେ ୧ଏପ୍ରିଲ ୨୦୧୬ରୁ କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟକାରୀ ହେଲା। ୨୦୧୬-୧୭ ଆର୍ଥୀକ ବର୍ଷରେ ଏହି ଯୋଜନାରେ ପ୍ରଥମ ଦଫାରେ ୨୭୭୪ଜଣ ହିତାଧିକାରୀଙ୍କୁ ପକ୍କାଘର ପ୍ରଦାନ କରାଯାଇଥିଲା। ସେହିପରି ୨୦୧୭-୧୮ରେ -୧୭୬୬ ଜଣ, ୨୦୧୮-୧୯ରେ-୧୭୩୫ ଜଣ, ୨୦୧୯-୨୦ରେ-୬୦୫୬ଜଣ  ଏବଂ ୨୦୨୦-୨୧ରେ-୨୩୮୬ଜଣଙ୍କୁ ମିଶାଇ ସମୁଦାୟ -୧୪ହଜାର୭୧୭ଜଣ ହିତାଧିକାରୀଙ୍କୁ ଗ୍ରାମୀଣ ଆବାସ ଘର ପ୍ରଦାନ କରାଯାଇଛି।
ସେଥିରୁ ବର୍ତମାନ ସୁଦ୍ଧା ୧୬୩୨ଟି ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବା ସୂଚନା ମିଳିଛି। ଅନ୍ୟପଟେ ଏହି ଯୋଜନା ଅପେକ୍ଷାରେ ୫ହଜାର୮୦୬ଜଣ ହିତାଧିକାରୀ ରହିଥିବା ଜଣାପଡିଛି। ସେହିପରି ବିଜୁପକ୍କାଘର ଯୋଜନାରେ ୨୦୧୬-୧୭,୨୦୧୭-୧୮ ଏବଂ ୨୦୧୮-୧୯ ଭଳି ତିନୋଟି ଆର୍ଥୀକ ବର୍ଷରେ ୬୭୮ଜଣ ହିତାଧିକାରୀଙ୍କୁ ପକ୍କାଘର ପ୍ରଦାନ କରାଯାଇଥିବାବେଳେ ଏବେ ସୁଦ୍ଧା ଆହୁରି ୩୨ଟି ଘର ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ୨୦୧୬-୧୭ ଏବଂ ୨୦୧୭-୧୮ ଆର୍ଥୀକ ବର୍ଷରେ ୨୧୫ ଜଣଙ୍କୁ ଘର ଯୋଗାଇ ଦିଆଯାଇଥିବାବେଳେ ବର୍ତମାନ ସୁଦ୍ଧା ସେଥିରୁ ୨୭ଟି ଘର ଅସମ୍ପୂର୍ଣ୍ଣ ରହିଥିବା ଜଣାପଡିଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ବ୍ଲକରେ ଭିିନ୍ନ ଭିନ୍ନ ଯୋଜନାରେ ଅଦ୍ୟାବିଧି ୧୫ ହଜାର ୬୧୦ଜଣଙ୍କୁ ପକ୍କାଘର ଯୋଜନାରେ ସାମିଲ କରାଯାଇଥିବା ବେଳେ ଅସମ୍ପୂର୍ଣ୍ଣ ଅବସ୍ଥାରେ ଆହୁରି ୧୬୯୧ ଘର ବାକି ରହିବା ଏକ ଉଦବେଗର ବିଷୟ। ଅନ୍ୟପଟେ ଗ୍ରାମୀଣ ଆବାସ ଯୋଜନାର ପ୍ରାଥମିକ ତାଲିକାରୁ ଅନେକ ପ୍ରକୃତ ହିତାଧିକାରୀ ବାଦପଡି ଅତି ଦୟନୀୟ ଅବସ୍ଥାରେ ଜୀବନ ବିତଉଥିବା ଦେଖିବାକୁ ମିଳିଛି। ତୁରନ୍ତ ଏ ଦିଗରେ କେନ୍ଦ୍ରସରକାର ବିଚାରବିମର୍ଷ କରିବା ସହିତ ଅପେକ୍ଷାରତ ହିତାଧିକାରୀଙ୍କୁ ଗ୍ରାମୀଣ ଆବାସରେ ସାମିଲ କରି ବାସଗୃହ ଭଳି ମୌଳିକ ସୁବିଧା ଯୋଗାଇଦେବାକୁ ଗରିବ ହିତାଧିକାରୀ ନରୋତମ ନାଏକ,ତରା ନାଏକ ,ଶ୍ରୀବତ୍ସ ନାଏକ,ଦାସରଥି ଭୋକ୍ତା,ସୂର୍ଯ୍ୟ ଭୋକ୍ତା, ମହଲରୁ ଦାବୀ ଉଠୁଛି।

ସଂଘର୍ଷ କଲେ ମିଳେ ସଫଳତା; ଦେଖନ୍ତୁ ଭିଡିଓ

ସେମାନଙ୍କ ମୁହଁରୁ——-
ନରୋତମ ନାଏକ (ଫଟୋ) – ଆମ ଭଳି ଅତ୍ୟନ୍ତ ଗରିବ ହିତାଧିକାରୀ ଆବାସ ଯୋଜନାରୁ ବାଦ ପଡିବା ଅତି ଦୁଃଖଦାୟ ବିଷୟ।ପକ୍କା ଘର ଆଶାରେ ପାଖାପାଖି ଦେଢବର୍ଷହେଲା ବସିରହିଛୁ।ଆସିଲେ ମିଳିବ ବୋଲି କହୁଛନ୍ତି ହେଲେ କାଇଁ ଏପର୍ଯ୍ୟନ୍ତ ମିଳୁନି।ତୁରନ୍ତ ଘର ଆମକୁ ଯୋଗାଇଦିଆଯାଉ।
ତରା ନାଏକ (ଫଟୋ) — ମୁଁ ଜଣେ ଗରିବ ଶ୍ରେଣୀର ଅସହାୟ ବୃଦ୍ଧା। ମୋତେ  ଘର ଖଣ୍ଡିଏ ମିଳିନାହିଁ। ଘର ଲାଗି ସବୁ କାଗଜପତ୍ର ଦେଇସାରିଛୁ। ମିଳବା ମିଳିବା ବୋଲି ପୂରା ଆଶା ଛାଡି ଦେଲୁଣ। ସରକାରଙ୍କ ଯୋଜନା କାହାଲାଗି ମୁଁଇ ଜାଣିନାଇପାରବାର।

Comments are closed.