ଓଭାଲରେ ପଞ୍ଚମ ଟେଷ୍ଟ ; ସମ୍ମାନ ବଞ୍ଚାଇବାକୁ ଭାରତର ପ୍ରୟାସ

0

ଲଣ୍ଡନ : ଲଣ୍ଡନର ଓଭାଲ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‍ରେ ପଞ୍ଚମ ତଥା ଚୂଡାନ୍ତ କ୍ରିକେଟ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଟସ୍‍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।
ଇଂଲଣ୍ଡ ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୩-୧ରେ ଆଗୁଆ ରହିଛି ।

ବିଦେଶ ମାଟିରେ କ୍ରମାଗତ ୨ୟ ଟେଷ୍ଟ ସିରିଜ୍‍ ହାରିଥିବା ଭାରତ ଏହି ମ୍ୟାଚ୍‍ ଜିତି କିଞ୍ଚିତ୍‍ ସମ୍ମାନ ଫେରି ପାଇବାକୁ ପ୍ରୟାସ କରିବ। କାରଣ ୪-୧ ଅପେକ୍ଷା ସିରିଜ୍‍ର ଫଳାଫଳ ୩-୨ କରିବାକୁ ଭାରତ ନିଶ୍ଚୟ ଚାହିଁବ। ଦକ୍ଷିଣ ଆଫ୍ରିକା ଗସ୍ତରେ ମଧ୍ୟ ପ୍ରଥମ ୨ଟି ଟେଷ୍ଟ ହାରି ସିରିଜ୍‍ ହାତଛଡ଼ା କରିବା ପରେ ଭାରତୀୟ ଦଳ ୩ୟ ଟେଷ୍ଟରେ ଲଢ଼ୁଆ ପ୍ରଦର୍ଶନ କରି ଜିତିଥିଲା । ଅନୁରୂପ ରଣନୀତି ନେଇ ଭାରତ ଏହି ମ୍ୟାଚ୍‍ରେ ଓହ୍ଲାଇବ। ଅନ୍ୟପକ୍ଷରେ ଭାରତ ବିପକ୍ଷରେ ତା’ର ପ୍ରାଧାନ୍ୟ ଅବ୍ୟାହତ ରଖିବାକୁ ଇଂଲଣ୍ଡ ନିଶ୍ଚୟ ଚାହିଁବ । ଏହାସହ ଇଂଲଣ୍ଡ କ୍ରିକେଟ ଇତିହାସରେ ସଫଳତମ ଟେଷ୍ଟ ବ୍ୟାଟ୍‍ସମ୍ୟାନ ଆଲଷ୍ଟାୟାର କୁକ୍‍ଙ୍କର ଏହା ଅନ୍ତିମ ଟେଷ୍ଟମ୍ୟାଚ୍‍ ଥିବାରୁ ଏହି ମ୍ୟାଚ୍‍ ଜିତି କୁକ୍‍ଙ୍କୁ ବିଦାୟୀ ଭେଟି ଦେବାକୁ ଇଂଲଣ୍ଡ ନିଶ୍ଚୟ ଚାହିଁବ। ତେଣୁ ସିରିଜ୍‍ର ଫଇସଲା ହୋଇ ସାରିଥିଲେ ହେଁ ଉଭୟ ଦଳ ଏହି ମ୍ୟାଚ୍‍ ଜିତିବାକୁ ପ୍ରବଳ ପ୍ରୟାସ କରିବେ।
ପ୍ରଥମ ଟେଷ୍ଟରେ ମାତ୍ର ୧୯୪ ରନ୍‍ର ଲକ୍ଷ୍ୟ ଥିବା ବେଳେ ଭାରତ ୧୬୨ ରନ୍‍ରେ ଏବଂ ୪ର୍ଥ ଟେଷ୍ଟରେ ଭାରତ ୨୪୫ ରନ୍‍ର ପିଛାକରି ୨ ୱିକେଟରେ ୧୨୩ ରନ୍‍ କରିବା ସତ୍ତ୍ବେ ପରାସ୍ତ ହୋଇଥିଲା। ପ୍ରଥମ ୨ଟି ଟେଷ୍ଟ ହାରିବା ପରେ ଭାରତ ଯେପରି ଲଢ଼ୁଆ ପ୍ରଦର୍ଶନ କରି ୩ୟ ଟେଷ୍ଟ ଜିତିଥିଲା; ସେଥିରୁ ଆଶା ଜାଗ୍ରତ ହୋଇଥିଲା ଯେ ଭାରତ ସିରିଜ୍‍କୁ ଫେରିପାରିବ। ତେବେ ୪ର୍ଥ ଟେଷ୍ଟରେ ଭାରତକୁ ନିଜ ଔଷଧର ସ୍ୱାଦ ଚାଖିବାକୁ ପଡ଼ିଥିଲା। ସ୍ପିନ୍‍ ବିପକ୍ଷରେ ବିଶ୍ୱରେ ଶ୍ରେଷ୍ଠ ଭାବେ ପରିଗଣିତ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ ଅଫ୍‍ସ୍ପିନର ମୋଇନ୍‍ ଅଲୀଙ୍କ ପାଖରେ ଆତ୍ମସମର୍ପଣ କରି ତାଙ୍କୁ ୯ଟି ୱିକେଟ ଦେଇଥିଲେ। ତେଣୁ ମୋଟଉପରେ ଭାରତୀୟ ବ୍ୟାଟିଂ ଏହି ସିରିଜ୍‍ରେ ବିଫଳ ହୋଇଛି ବୋଲି ସ୍ୱୀକାର କରିବାକୁ ହେବ। ଏକମାତ୍ର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବୋଲରଙ୍କ ମୁକାବିଲା କରି ୫୪୪ ରନ୍‍ ସ୍କୋର୍‍ କରିଛନ୍ତି। ତେଣୁ ଭାରତୀୟ ବ୍ୟାଟିଂ କୋହଲିଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ।
ଏହି ମ୍ୟାଚ୍‍ରେ ଭାରତ ୨/୩ଟି ପରିବର୍ତ୍ତନ କରିପାରେ। ଓପ୍‍ନର ଭାବେ ବିଫଳ ହୋଇଥିବା କେ.ଏଲ୍‍. ରାହୁଲଙ୍କ ସ୍ଥାନରେ ଯୁବ ବ୍ୟାଟ୍‍ସମ୍ୟାନ୍‍ ପୃଥ୍ୱୀ ସ’ଙ୍କୁ ସୁଯୋଗ ମିଳିବା ନେଇ ଆଲୋଚନା ହେଉଛି। ତେବେ ଭାରତ ରାହୁଲ ଓ ଧାୱନ ଯୋଡ଼ିକୁ ପୁଣି ଏକ ସୁଯୋଗ ମଳିବା ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନପାରେ। ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଯୁବ ବ୍ୟାଟ୍‍ସମ୍ୟାନ ହନୁମା ବିହାରୀ ଖେଳିପାରନ୍ତି। ଫଳରେ ୪ ବିଶେଷଜ୍ଞ ବୋଲରଙ୍କୁ ନେଇ ଭାରତ ଖେଳିବ। ପୁଣି ରବିଚନ୍ଦ୍ରନ ଅଶ୍ୱିନ ସମ୍ପୂର୍ଣ୍ଣ ଫିଟ୍‍ ନଥିବାରୁ ତାଙ୍କ ସ୍ଥାନରେ ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ଖେଳିପାରନ୍ତି। ଜାଡ଼େଜା ଖେଳିଲେ ବି ମ୍ୟାଚ୍‍ ଜିତିବା ପାଇଁ ଭାରତ ତା’ର ୩ ପେସ୍‍ ବୋଲର- ଯଶପ୍ରୀତ ବୁମ୍‍ରା, ଈଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ଉପରେ ନିର୍ଭର କରିବ। ଈଶାନ୍ତ ଏଯାବତ୍‍ ୧୫ଟି ୱିକେଟ ନେଇ ସାରିଲେଣି। ଅଦ୍ୟାବଧି ଉଭୟ ଦଳର କୌଣସି ଓପ୍‍ନର ଅର୍ଦ୍ଧଶତକ ହାସଲ କରିନଥିବା ବେଳେ ଇଂଲଣ୍ଡର ଦୁଇ ଓପ୍‍ନର ଆଲଷ୍ଟାୟାର କୁକ୍‍ ଓ କିଟନ୍‍ ଜେନିଙ୍ଗ୍‍ସ ଚାପରେ ରହିବେ। ଜୀବନର ଅନ୍ତିମ ଟେଷ୍ଟରେ ବଡ଼ ସ୍କୋର୍‍ କରିବାକୁ କୁକ୍‍ ନିଶ୍ଚୟ ପ୍ରୟାସ କରିବେ। ଇଂଲଣ୍ଡ ଦଳ ଘୋଷଣା କରିଛି ଯେ ୪ର୍ଥ ଟେଷ୍ଟରେ ଦଳକୁ ଜିତାଇଥିବା ଏକାଦଶରେ କୌଣସି ପରିବର୍ତ୍ତନ ହେବନାହିଁ। ତେବେ ଫିଟ୍‍ ହୋଇ ଯାଇଥିବାରୁ ଜୋସ୍‍ ବଟ୍‍ଲରଙ୍କ ସ୍ଥାନରେ ଜନି ବେୟାରଷ୍ଟୋ ୱିକେଟ ରକ୍ଷଣ କରିବେ। ଇଂଲଣ୍ଡକୁ ୩ଟି ଟେଷ୍ଟ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୁଇ ଫାଷ୍ଟବୋଲର ଜେମ୍‍ସ ଆଣ୍ଡରସନ୍‍ ଓ ଷ୍ଟୁଆର୍ଟ ବ୍ରଡ୍‍ ପୁଣି ଭାରତ ପାଇଁ ଚିନ୍ତାର କାରଣ ପାଲଟିବେ। ପିଚ୍‍ରେ ଆରମ୍ଭରୁ ପେସ୍‍ ବୋଲରଙ୍କୁ ସହାୟତା ମିଳିବ ଏବଂ ପରେ ବଲ୍‍ ସ୍ପିନ୍‍ କରିପାରେ।

Leave A Reply