ବ୍ରଜରାଜନଗର: ଲମଟିବାହାଲ ସୀତାରା ଛକ ଅଂଚଳର ଏକ ପୁରୁଣା ଗ୍ୟାରେଜରେ ଚାଲିଥିବା ଜୁଆ ଆଡ୍ଡା ଉପରେ ବ୍ରଜରାଜନଗର ପୋଲିସ ଅଚାନକ ଚଢ଼ାଉ କରି ୯ ଜଣ ଜୁଆଡିଙ୍କୁ ଧରିବା ସହ ୩ଟି ବାଇକ ଏବଂ ୪୪୧୬୦ ହଜାର ଟଙ୍କା ଜବତ କରିଛି । ଅଟକ ଜୁଆଡିମାନେ ହେଲେ ଅବତାର ସିଂହ, ନୃପ ତାଣ୍ଡି, ରମେଶ ପ୍ରସାଦ, କୁନ୍ଦନ ସିଂହ, ରାଜେଶ୍ୱର ରାଏ, ହରେ ରାମ ପାଣ୍ଡେ, ରାଜ କିଶୋର ପ୍ରଧାନ, ବିଜୟ ଦାସ ମହନ୍ତ, ଶତ୍ରୁଘନ ଦାଶ ବୋଲି ପୋଲିସ କହିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ୩.୩୦ ବେଳେ ଲମଟିବାହାଲ ସୀତାରା ଛକ ନିକଟସ୍ଥ ଏକ ଗ୍ୟାରେଜରେ ଜୁଆ ଚାଲିଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା।
ତେଣୁ ବ୍ରଜରାଜନଗର ଥାନା ଏସଆଇ ସଚିନ୍ଦ୍ର ପଟେଲ ସଦଳବଳ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୯ ଜଣ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଥିଲେ। ସେପଟେ ଏନେଇ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠ ସୂଚନା ଦେଇଛନ୍ତି।



