କଟକ : ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଜାତୀୟ ସଦ୍ଭାବନା ଦିବସ ଅବସରରେ ଏକ ଶପଥ ପାଠ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଦ୍ଭାବନା ଶପଥ ପାଠ କରାଇଥିଲେ। ଏହି ଅବସରରେ ପୋଲିସ ମୁଖ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଜାତି, ଧର୍ମ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଦେଶରେ ସଦ୍ଭାବ ଏବଂ ଭାବନାତ୍ମକ ଏକତା ନିମନ୍ତେ କାର୍ୟ୍ୟ କରିବା ସହ ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଆପୋଷ ଆଲୋଚନା, ଅହିଂସା ତଥା ସାମ୍ୱିଧାନିକ ବିଧି ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବାକୁ ଶପଥ କରିଥିଲେ। ଏହି ଶପଥ ପାଠ କାର୍ୟ୍ୟକ୍ରମରେ ଆର୍. କେ ଶର୍ମା, ଆଇ.ପି.ଏସ, ଏଡିଜି (ଆଇନ ଶୃଙ୍ଖଳା), ଏସ. ଦେବଦତ୍ତ ସିଂ, ଆଇ.ପି.ଏସ, ଆଇ.ଜି (ହେଡକ୍ୱାର୍ଟର), ୟତିନ୍ଦ୍ର କୋଏଲ, ଆଇ.ପି.ଏସ, ଆଇ.ଜି (ପ୍ରୋଭିଜନିଙ୍ଗ), ଏସ୍. ପ୍ରବିଣ କୁମାର, ଆଇ.ପି.ଏସ, ଆଇ.ଜି (ପର୍ସୋନେଲ)ଙ୍କ ସମେତ ସମସ୍ତ ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।
ସଦ୍ଭାବନା ଦିବସ ଶପଥ
ମୁଁ ଶପଥ କରୁଅଛି ଜାତି, ଧର୍ମ, ଭାଷା ତଥା କ୍ଷେତ୍ର ନିର୍ବିଶେଷରେ ଭାରତର ଜନସାଧାରଣଙ୍କର ସଦ୍ଭାବ ଏବଂ ଭାବନାତ୍ମକ ଏକତା ନିମନ୍ତେ କାର୍ୟ୍ୟ କରିବି। ମୁଁ ପୁନଃ ଶପଥ କରୁଅଛି କି ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଆପୋଷ ଆଲୋଚନା, ଅହିଂସା ତଥା ସାମ୍ବିଧାନିକ ମାଧ୍ୟମରେ ସମାଧାନ କରିବି।



