www.samajalive.in
Friday, December 5, 2025
26.1 C
Bhubaneswar

ପରିବାର ସହ ଦେଶ ଛାଡ଼ିବେ ଘନି !

କାବୁଲ : ଆଫଗାନିସ୍ତାନ ରାଷ୍ଟ୍ରପତି ଅସ୍ରଫ ଘନି ନିଜ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ଚାଲିଥିବାବେଳେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସେ ଶୁକ୍ରବାର ରାତିରେ ଉଦ୍‌ବୋଧନ ଦେଇ ଦେଶରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ନିବେଦନ କରିଛନ୍ତି। ଶନିବାର ଏହି ରେକର୍ଡ ହୋଇଥିବା ଭାଷଣ ପ୍ରସାରିତ ହୋଇଛି। ଏଥିରେ ଆଗକୁ ଯେମିତି ହିଂସା ବୃଦ୍ଧି ନ ପାଏ ସେଥିପ୍ରତି ସେ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି। ଦେଶ ଏବେ ଘୋର ସଂକଟରେ ପଡ଼ିଛି। ଏଭଳି ସମୟରେ ସାମରିକ ବାହିନୀକୁ ଅଧିକ ସକ୍ରିୟ କରାଯିବାର ଆବଶ୍ୟକତା ଥିବା ସେ କହିଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ ହାସଲ ହୋଇଥିବା ସଫଳତାକୁ ନଷ୍ଟ କରିଦେଇ ହେବ ନାହିଁ। ଏଥିପାଇଁ ସେ ପ୍ରାଦେଶିକ ନେତା ଓ ଆନ୍ତର୍ଜାତିକ ମହଲ ସହ ବିଚାରବିମର୍ଶ କରୁଥିବା କହିଛନ୍ତି। ଲୋକଙ୍କ ହିତ ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି ବୋଲି କହିବାବେଳେ ନିଜର ଇସ୍ତଫା ସମ୍ପର୍କରେ ପାଟି ଖୋଲି ନାହାନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଇସ୍‌ଲାମିକ୍‌ ଆତଙ୍କବାଦୀ ଗୋଷ୍ଠୀ ତାଲିବାନକୁ ପ୍ରଥମ ଥର ନିବେଦନ କରି କହିଛନ୍ତି ଯେ ସେମାନେ ରକ୍ତପାତ ବନ୍ଦ କରି ବୁଝାମଣାକୁ ଆସିବା ଉଚିତ। ସାଧାରଣ ନାଗରିକଙ୍କ ପ୍ରତି ତାଲିବାନର ଅତ୍ୟାଚାର ତାଙ୍କୁ ବ୍ୟଥିତ କରିଥିବା ଗୁଟେରସ୍‌ କହିଛନ୍ତି।
ତାଲିବାନ ଆତଙ୍କବାଦୀମାନେ ଶନିବାର ରାଜଧାନୀ କାବୁଲର ଅତି ନିକଟତର ହୋଇଛନ୍ତି। ସେମାନେ ଏବେ କାବୁଲଠାରୁ ମାତ୍ର ୧୦କିଲୋମିଟର ଦୂରରେ ଥିବା ଖବର ମିଳିଛି। କେଉଁ ମୁହୂର୍ତ୍ତରେ ସେମାନେ କାବୁଲ ଦଖଲ କରିପାରନ୍ତି। ରାଷ୍ଟ୍ରପତି ଘନି ନିଜ ବକ୍ତବ୍ୟରେ ଏ ସମ୍ପର୍କରେ କିଛି କହି ନାହାନ୍ତି। ତାଲିବାନ କାନ୍ଦାହାର ଓ ହେରାତ୍‌ ପରେ ତୃତୀୟ ପ୍ରମୁଖ ସହର ମଜାର-ଇ-ସରିଫକୁ ଦଖଲ କରିଛି। ଏଥିସହିତ ଦେଶର ୧୯ଟି ପ୍ରଦେଶକୁ ତାଲିବାନ ଦଖଲ କଲାଣି। ହଜାର ହଜାର ଲୋକ ଘରଦ୍ବାର ଛାଡ଼ି ପଳାୟନ କରୁଛନ୍ତି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନାନୁଯାୟୀ, ରାଷ୍ଟ୍ରପତି ପଦରୁ ଘନି ଇସ୍ତଫା ଦେବା ପରେ ଦେଶରେ ତାଙ୍କ ଜୀବନ ପ୍ରତି ଭୟ ରହିଛି। ସେ ଦୃଷ୍ଟିରୁ ଘନି ପରିବାର ସହିତ କୌଣସି ରାଷ୍ଟ୍ରକୁ ପଳାଇ ଯିବା ସମ୍ଭାବନା ରହିଛି। ସେ ହୁଏତ ଭାରତ ଚାଲିଆସି ପାରନ୍ତି ବୋଲି କୁହାଯାଉଛି। ଅନ୍ୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆଫଗାନିସ୍ତାନରୁ ପଳାୟନ କରୁଥିବା ନିଜ ଦେଶର ସମର୍ଥକଙ୍କୁ ଭାରତ ସରକାର ଶରଣ ଦେଇପାରନ୍ତି। ଧର୍ମ ଓ ଜାତୀୟତା ବ୍ୟତିରେକେ ଭାରତ ଆଫଗାନ୍‌ ଶରଣାର୍ଥୀଙ୍କୁ ମାନବିକ ଦୃଷ୍ଟିକୋଣରୁ ଆଶ୍ରୟ ଦେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯେ ତାଲିବାନ କୌଣସି ଦୂତାବାସ କିମ୍ବା ରାଷ୍ଟ୍ରଦୂତଙ୍କୁ ନିଶାଣ କରିବ ନାହିଁ ବୋଲି ଘୋଷଣା କରିଛି। ତାଲିବାନ ମୁଖପାତ୍ର ମହମ୍ମଦ ସୁହେଲ ଶାହିନ୍ କହିଛନ୍ତି ଯେ ତାଙ୍କ ପକ୍ଷରୁ ଦୂତାବାସ ଓ କୂଟନୀତିଜ୍ଞଙ୍କ ପ୍ରତି କୌଣସି ବିପଦ ନାହିଁ। ଏହି ଅବସରରେ ସେ ଭାରତକୁ ପ୍ରଶଂସା କରିବା ସହ ଚେତାବନୀ ମଧ୍ୟ ଦେଇଛନ୍ତି। ଆଫଗାନିସ୍ତାନବାସୀଙ୍କ ପାଇଁ ଭାରତ ଅନେକ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କରିଛି। ଆଫଗାନିସ୍ତାନର ବିକାଶ, ପୁନଃ ନିର୍ମାଣ ଓ ଅର୍ଥନୈତିକ ସମୃଦ୍ଧି ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି; କିନ୍ତୁ ଭାରତ ଯଦି ସେନା ପଠାଏ; ତେବେ ପରିଣତି ଭଲ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଭଳି ସ୍ଥିତିରେ ଆମେରିକା ଏହାର ସୈନ୍ୟ ଓ ଦୂତାବାସ କର୍ମଚାରୀଙ୍କୁ ତୁରନ୍ତ ଫେରାଇ ନେବା ପାଇଁ ପଠାଇଥିବା ତିନି ହଜାର ସେନା କାବୁଲରେ ପହଞ୍ଚିଛନ୍ତି।
ତାଲିବାନ ଆତଙ୍କବାଦୀମାନେ ଶୁକ୍ରବାର ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିବା ଇସ୍‌ମାଇଲ ଖାଁ ଓ କାବୁଲ ପ୍ରଶାସନର କିଛି ବରିଷ୍ଠ ଅଧିକାରୀଙ୍କୁ ଅଟକ ରଖିଛି। ଏଥିସହିତ ଦୁଇଟି ସରକାରୀ ହେଲିକପ୍ଟରକୁ ମଧ୍ୟ ଅକ୍ତିଆର କରିଛି। ୧୯୯୭ରେ ତାଲିବାନ ଦ୍ବାରା ଅଟକ ଥିବା ଇସ୍‌ମାଇଲ ଦୁଇ ବର୍ଷ ପରେ କାନ୍ଦାହାରର ଏକ କାରାଗାରରୁ ଖସି ପଳାଇ ଆସିଥିଲେ। ଏବେ ଏହି ୭୫ବର୍ଷୀୟ ନେତାଙ୍କ ସହ ଅନ୍ୟମାନଙ୍କୁ କେଉଁଠି ରଖାଯାଇଛି ତାହା ଜଣାପଡ଼ି ନାହିଁ। ଇସ୍‌ମାଇଲ ହେଉଛନ୍ତି ଏକ ସାମରିକ ସଂଗଠନର ମୁଖ୍ୟ। ହେରାଥ୍‌ର ଏହି ନେତାଙ୍କ ସହଯୋଗରେ ଆମେରିକା ୨୦୦୧ରେ ତାଲିବାନକୁ ପରାସ୍ତ କରିଥିଲା। ତାଙ୍କୁ ପୁନର୍ବାର ଅଟକ ରଖି ତାଲିବାନ ବଡ଼ ସଫଳତା ପାଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories