ଏସିଆ କପ୍ ପାଇଁ ଭାରତୀୟ ଦଳ ; କୋହଲିଙ୍କୁ ବିଶ୍ରାମ, ରୋହିତ ଅଧିନାୟକ

0

ମୁମ୍ବଇ : ଚଳିତମାସ ୧୫ରୁ ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ)ରେ ଆରମ୍ଭ ହେବାକୁ ଥିବା ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଶନିବାର ବିସିସିଆଇ ପକ୍ଷରୁ ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ ବୋଲି ଜଣାପଡିଛି।
ଏମ.ଏସ.କେ.ପ୍ରସାଦଙ୍କ ଅଧ୍ୟକ୍ଷତାରେ ଜାତୀୟ ମନୋନୟନ କମିଟି ବୈଠକ ଅନୁଷ୍ଠିତ ହୋଇ ଦଳ ଘୋଷଣା କରାଯାଇଛି। ରାଜସ୍ଥାନର ବାମହାତି ଯୁବ ଫାଷ୍ଟ ବୋଲର ଖଲିଲ ଅହମ୍ମଦଙ୍କୁ ଦଳରେ ସୁଯୋଗ ପ୍ରଦାନ କରାଯାଇଛି। ଖଲିଲ ଚଳିତବର୍ଷ ଆଇପିଏଲରେ ସନରାଇଜର୍ସ ହାଇଦରାବାଦକୁ ପ୍ରତିନିଧିତ୍ୱ କରିଥିଲେ। ସେ କେବଳ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ ସୁଦ୍ଧା ଟ୍ୱେଣ୍ଟି୨୦ ଓ ଲିଷ୍ଟ୍‍-ଏ ଫର୍ମାଟରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ନିକଟରେ ଖଲିଲ ବେଙ୍ଗାଲୁରୁରେ ଖେଳାଯାଇଥିବା ଚର୍ତୁଦଳୀୟ ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ (ଏ) ପକ୍ଷରୁ ମ୍ୟାଚ ଖେଳିଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ବାଦପଡିବାପରେ ତିନି ମଧ୍ୟକ୍ରମ ବ୍ୟାଟସମ୍ୟାନ ଅମ୍ବତି ରାୟୁଡୁ, ମନୀଷ ପାଣ୍ଡେ ଓ କେଦାର ଯାଦବ ପୁଣି ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଖେଳିଥିବା ଶ୍ରେୟସ ଆୟାର, ସୁରେଶ ରୈନା, ସିଦ୍ଧାର୍ଥ କାଉଲ ଓ ଉମେଶ ଯାଦବଙ୍କୁ ଏଥର ନିରାଶ ହେବାକୁ ପଡିଛି।

ସଂପ୍ରତି ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଦଳ ପାଞ୍ଚଟିକିଆ ଟେଷ୍ଟ ସିରିଜ ଖେଳିବାପରେ ସେପ୍ଟେମ୍ବର ୧୧ ସୁଦ୍ଧା ପ୍ରତ୍ୟାବର୍ତ୍ତନ କରିବେ। ଅର୍ଥାତ ଇଂଲଣ୍ଡ ସିରିଜ ଓ ଏସିଆ କପ୍‍ ମଧ୍ୟରେ କେବଳ ତିନିଦିନର ବ୍ୟବଧାନ ରହୁଛି। ପୁନଶ୍ଚ ଅକ୍ଟୋବର ୪ରୁ ଘରୋଇ ମାଟିରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଆରମ୍ଭ କରିବ। ଏଭଳି ଏକ ବ୍ୟସ୍ତବହୁଳ ଟୁର୍ଣ୍ଣାମେଣ୍ଟ ପରିପ୍ରେକ୍ଷୀରେ ଅଧିନାୟକ କୋହଲିଙ୍କୁ ବିଶ୍ରାମ ଦେବାକୁ ମନୋନୟନ କମିଟି ଉଚିତ ମଣିଛି। ଭାରତୀୟ ଦଳରେ ଆଠଜଣ ବ୍ୟାଟସମ୍ୟାନ, ତିନିଜଣ ସ୍ପିନର, ଚାରିଜଣ ଫାଷ୍ଟ ବୋଲର ଓ ଜଣେ ଅଲରାଉଣ୍ଡରଙ୍କୁ ସାମିଲ କରାଯାଇଛି।
ଏସିଆ କପରେ ଭାରତ ବ୍ୟତୀତ ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଏବଂ ଏକ କ୍ୱାଲିଫାୟାର ଦଳ ଭାଗ ନେବେ । ଏଥର ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି ।

ଭାରତୀୟ ଦଳ  ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ (ଉପ ଅଧିନାୟକ), ଲୋକେଶ ରାହୁଲ, ଅମ୍ବତି ରାୟୁଡୁ, ମନୀଷ ପାଣ୍ଡେ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟ ରକ୍ଷକ), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କୁଳଦୀପ ଯାଦବ, ୟୁଜ୍‍ବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍‍ରା, ସାର୍ଦ୍ଦୁଳ ଠାକୁର ଓ ଖଲିଲ ଅହମ୍ମଦ।

Leave A Reply