କାବୁଲ: ତାଲିବାନ ଆଫଗାନିସ୍ତାନର ଯେଉଁ ଅଞ୍ଚଳ ଦଖଲ କରୁଛି ସେଠାକାର ମହିଳାଙ୍କୁ ଆତଙ୍କବାଦୀଙ୍କୁ ବିବାହ ପାଇଁ ବାଧ୍ୟ କରୁଛି। ଏଥିସହିତ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦେଉଛନ୍ତି ସେମାନେ ଅବିବାହିତ ଯୁବତୀଙ୍କୁ ବିବାହ ପାଇଁ ବାଧ୍ୟ କରୁଛନ୍ତି; ନଚେତ ଯୌନ ନିର୍ଯାତନା ଦେଉଛନ୍ତି। ଏଥିସହିତ ଆତଙ୍କବାଦୀମାନେ ସରକାରୀ ସୈନ୍ୟ ଓ ତାଲିବାନକୁ ବିରୋଧ କରୁଥିବା ନାଗରିକଙ୍କୁ ସର୍ବସାଧାରଣରେ ଫାଶୀ ଦେବା ସହ ନିର୍ମମ ଭାବେ ହତ୍ୟା କରୁଛନ୍ତି। ମାନବିକ ଅଧିକାର ସଂସ୍ଥାଗୁଡ଼ିକର ସୂଚନାକୁ ଆଧାରକରି ଏଭଳି ଲୋମଟାଙ୍କୁରା ଖବର ପ୍ରକାଶ କରିଛନ୍ତି ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ’ ଓ ‘ଏସିଆ ଟାଇମ୍ସ’ ଖବର କାଗଜ। ଦେଶର ମହିଳାମାନେ ଦୁଇ ଦଶନ୍ଧି ପୂର୍ବର ତାଲିବାନ ନିର୍ଯାତନାକୁ ମନେ ପକାଇ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ଯୁବତୀମାନେ ପ୍ରାଣ ବିକଳରେ ଲୁଚୁଥିବା ଏଥିରେ କୁହାଯାଇଛି। ଆତଙ୍କବାଦୀମାନେ ୧୫ରୁ ବର୍ଷରୁ ଅଧିକ ବୟସ୍କ ଯୁବତୀ ଓ ୪୦ବର୍ଷରୁ କମ୍ ବିଧବାଙ୍କୁ ନିଶାଣ କରୁଥିବା ଏଥିରେ ପ୍ରକାଶ ପାଇଛି। ଗୃହଶୂନ୍ୟ ହୋଇ ବିଭିନ୍ନ ଶିବିର ଓ ଖୋଲା ମଇଦାନରେ ଆଶ୍ରୟ ନେଇଥିବା ପରିବାରଗୁଡ଼ିକ ଅଧିକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବହୁ ମହିଳା ସେମାନଙ୍କ ପରିବାରରେ ଥିବା ଝିଅମାନଙ୍କୁ କିଭଳି ଲୁଚାଇ ରଖିବେ ତା’ର ଉପାୟ ପାଉ ନାହାନ୍ତି। ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦୟନୀୟ ଅବସ୍ଥାରେ ରହିଥିବା ଏଭଳି ଲୋକଙ୍କ ସଂଖ୍ୟା ୧୩ ନିୟୁତ ବୋଲି ଏଥିରେ ପ୍ରକାଶ ପାଇଛି। ଦେଶର ପ୍ରାୟ ୭୦ପ୍ରତିଶତ ମହିଳା ଓ ଶିଶୁ ଏବେ ସଂକଟରେ ଥିବାବେଳେ ଏଭଳି ନିର୍ଯାତନାକୁ ଆଫଗାନିସ୍ତାନ ସରକାର ସ୍ବୀକାର କରିଛନ୍ତି।



