ବେଗୁନିଆ: ବେଗୁନିଆ ବ୍ଲକ ସିକୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିକୋ ଗ୍ରାମରେ ଥିବା ଦୋଳଯାତ୍ରା ପଡିଆକୁ ଗ୍ରାମର କେତେଜଣ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି କବଜା କରି ନିଜ ଅକ୍ତିଆରରେ ରଖି ସେଠାରେ ଦୋକାନଘରନିର୍ମାଣ କରି ଭଡା ଦେଇ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହୋଇଛି। ଫଳରେ ସିକୋ ପଞ୍ଚାୟତର ଜନସାଧାରଣ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ଅସୁବିଧାରେ ପଡୁଥିବାବେଳେ ଦୋଳ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ଏବଂ ଗ୍ରାମରେ ଅସନ୍ତୋଷ ଲାଗି ରହିଛି।
ଏହି ଦୋଳ ପଡ଼ିଆଟି ସିକୋ ଗ୍ରାମର ଚନ୍ଦ୍ରଶେଖରପୁର ମୌଜା ରେ ଖାତା ନଂ ୫୭୨ ପ୍ଲଟ ନଂ୪୯୦ ,୪୯୧ ଏବଂ ୪୯୨ ରେ ୧ ଏକର ୮୩୫ ଡ଼ିସିମିଲ ଜାଗା ଏବଂ ସିକୋ ମୌଜାରେ ଥିବା ଖାତା ନଂ୮୨୦ ପ୍ଲଟ ନଂ ୬୯୧ ଏବଂ ୬୯୫ରେ ୧ ଏକର ୫୦୫ ଡ଼ିସିମିଲ ଜାଗା ରେ ଅବସ୍ଥିତ। ଉକ୍ତ ସ୍ଥାନରେ ସମ୍ପୃକ୍ତ ପଞ୍ଚାୟତର ଲୋକମାନେ ପୁରୁଷ ପୁରୁଷ ଧରି ଦଖଲରେ ରହି ଦୋଳପର୍ବ ପାଳନ କରିଆସୁଛନ୍ତି। କିନ୍ତୁ ଏବେ କିଛି ଜବରଦଖଲକାରୀ ଅର୍ଥ ଏବଂ ବାହୁ ବଳରେ ବଳିୟାନ ହୋଇ ଗ୍ରାମରେ ଥିବା କୌଣସି କମିଟି କଥାକୁ ମାନୁ ନଥିବାବେଳେ ଭଦ୍ରଲୋକ ଏବଂ ବୁଦ୍ଧିଜୀବିମାନଙ୍କ କଥାକୁ ମଧ୍ୟ ଭ୍ରୁକ୍ଷେପ କରୁନାହାନ୍ତି। ଦୋଳ ପଡିଆକୁ ଜବରଦଖଲ କରି ଦୋକାନ ଗୃହ ନିର୍ମାଣ କରୁଥିବା ଯୋଗୁଁ ଯାତ୍ରାପଡ଼ିଆଟି ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି।ଫଳରେ ସିକୋ ଗ୍ରାମରେ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଯୋଗୁଁ ଆଇନ ଶୃଙ୍ଖଳା ସବୁ ସମୟରେ ବ୍ୟାହତ ହେଉଛି। ହଜାର ହଜାର ଲୋକମାନଙ୍କ ସ୍ୱାର୍ଥରେ ଲାଗୁଥିବା ଏହି ଦୋଳ ପଡ଼ିଆଟି ପ୍ରଶାସନିକ ନୀରବତା ଯୋଗୁଁ ସମ୍ପୂର୍ଣ ଜବରଦଖଲ ହେବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ପ୍ରଶାସନ ବେଳ ଥାଉ ଥାଉ ବନ୍ଧ ବାନ୍ଧିବା ନୀତିରେ ଯେଉଁ କେତେଜଣ ବ୍ୟକ୍ତି ଗ୍ରାମବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜ ସ୍ୱାର୍ଥ ପାଇଁ ଜବରଦଖଲ କରିଥିବା ବ୍ୟକ୍ତିମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେଠାରୁ ଉଚ୍ଛେଦ କରି ସମ୍ପୂର୍ଣ ଜାଗାଟିକୁ ଗ୍ରାମରେ ଥିବା ଦୋଳକମିଟି ସଭାପତି ଏବଂ ସମ୍ପାଦକଙ୍କ ଜିମା ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ନିଜର ଦାବି ହାସଲ କରିବା ପାଇଁ ଲୋକମାନେ ଆଇନକୁ ହାତକୁ ନେଇ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି।



