ଟୋକିଓ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶୁକ୍ରବାର ଜାପାନର ଟୋକିଓ ସହରରେ ଥିବା ଜାତୀୟ ଷ୍ଟାଡ଼ିୟମରେ ବିଶ୍ବର ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଉଦ୍ଘାଟିତ ହୋଇଯାଇଛି। ଏହି କ୍ରୀଡ଼ା ମହାକୁମ୍ଭ ଆସନ୍ତା ଅଗଷ୍ଟ ୮ ଯାଏ ଚାଲିବ। ବିଶ୍ବର ୨୦୬ଟି ଦେଶର ପ୍ରାୟ ୧୧୩୦୦ କ୍ରୀଡ଼ାବିତ୍ ଏଥିରେ ଭାଗ ନେଉଛନ୍ତି। ୧୯୬୪ ପରେ ଟୋକିଓ ଦ୍ବିତୀୟଥର ଅଲିମ୍ପିକ୍ସ ଆୟୋଜନ କରିଛି। ଏସିଆର ପ୍ରଥମ ସହର ଭାବେ ଟୋକିଓ ୨ଥର ଅଲିମ୍ପିକ୍ସ ଆୟୋଜନର ସୁଯୋଗ ପାଇଛି।
ଶୁକ୍ରବାର ଭାରତୀୟ ସମୟ ଅପରାହ୍ଣ ୪.୩୦ ମିନିଟ୍ରେ ଉଦ୍ଘାଟନୀ ଉତ୍ସବ ଆରମ୍ଭ ହୋଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା। ଉଦ୍ଘାଟନୀ ଉତ୍ସବରେ ୧ ହଜାରରୁ କମ୍ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଉଦ୍ଘାଟନୀ ଉତ୍ସବରେ ଭାଗ ନେବାକୁ ଆସିଥିବା ସମସ୍ତ ଦଳ ଖୁବ୍ କମ୍ ସଂଖ୍ୟକ ଖେଳାଳିଙ୍କୁ ନେଇ ଆସିଥିଲେ। ଉଦ୍ଘାଟନୀ ଉତ୍ସବ ଦେଖିବାକୁ ଜନସାଧାରଣଙ୍କୁ ଷ୍ଟାଡ଼ିୟମ ମଧ୍ୟକୁ ଛଡ଼ାଯାଇନଥିଲେ ମଧ୍ୟ ବେଶ୍ କିଛି ସଂଖ୍ୟକ ଲୋକେ ଷ୍ଟାଡ଼ିୟମ ବାହାରେ ଉପସ୍ଥିତ ରହିଥିବା ଦେଖିବାକୁ ମିିଳିଥିଲା। ପ୍ରତି ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ ଯେପରି ରଙ୍ଗାରଙ୍ଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିପୂର୍ଣ୍ଣ ହୋଇଥାଏ ତାହା ଶୁକ୍ରବାର ଦେଖିବାକୁ ମିଳିନଥିଲା। ଉଦ୍ଘାଟନୀ ଉତ୍ସବ ପାଇଁ ଷ୍ଟାଡ଼ିୟମ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।
ଉଦ୍ଘାଟନୀ ଉତ୍ସବ ଦେଖିବାକୁ ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ୍ ବାଇଡେନ୍ ଷ୍ଟାଡ଼ିୟମକୁ ଆସିଥିଲେ। ଜାପାନର ସମ୍ରାଟ୍ ନାରୁହିତୋ, ଜାପାନ ରାଷ୍ଟ୍ରପତି ସିକୋ ହାସିମୋଟୋ, ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ମୁଖ୍ୟ ଥୋମାସ୍ ବାଚ୍ ମଧ୍ୟ ଷ୍ଟାଡ଼ିୟମରେ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କେତେକ ଅତି ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଉଦ୍ଘାଟନୀ ଉତ୍ସବ ନିମନ୍ତେ ଷ୍ଟାଡ଼ିୟମରେ ଉପସ୍ଥିତ ଥିଲେ।
ଉଦ୍ଘାଟନୀ ଉତ୍ସବର ଘୋଷଣା ଚିତାକର୍ଷକ ଆତସବାଜିରୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଟୋକିଓ ଅଲିମ୍ପିକ୍ସ ନିମନ୍ତେ ପ୍ରସ୍ତୁତ ଗୀତ ‘ମୁଭିଙ୍ଗ ଫରୱାର୍ଡ’ ବାଜି ଥିଲା। ସ୍ଥାନୀୟ କଳାକାର ଏହି ଅବସରରେ ନୃତ୍ୟ, ଗୀତ ପରିବେଷଣ କରିଥିଲେ। ଜାପାନ ପତାକା ଉତ୍ତୋଳନ କରାଯାଇଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ଦଳ ମାର୍ଚ୍ଚଫାଷ୍ଟ କରି ଷ୍ଟାଡ଼ିୟମ ମଧ୍ୟକୁ ପ୍ରବେଶ କରିଥିଲେ। ପରମ୍ପରା ଅନୁଯାୟୀ ପ୍ରଥମେ ଗ୍ରୀସ୍ ଦଳ ଷ୍ଟାଡ଼ିୟମ ମଧ୍ୟକୁ ପ୍ରବେଶ କରିଥିଲା। ଏହା ପରେ ଗୋଟିଏ ପରେ ଗୋଟିଏ ଦଳ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିଥିଲେ।
ଭାରତୀୟ ସମୟ ପାଖାପାଖି ୫.୩୬ରେ ଭାରତୀୟ ଦଳ ମାର୍ଚ୍ଚଫାଷ୍ଟରେ ସାମିଲ ହୋଇଥିଲା। ଭାରତୀୟ ଦଳର ପତାକା ଧରିଥିଲେ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍ ସିଂହ ଓ ପ୍ରଖ୍ୟାତ ମହିଳା ବକ୍ସର ମେରି କମ୍। ଭାରତୀୟ ଦଳ ଷ୍ଟାଡ଼ିୟମରେ ପ୍ରବେଶ କରିବା ସମୟରେ ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଷ୍ଟାଡ଼ିୟମରେ ଉପସ୍ଥିତ ରହି ଦୂରଦର୍ଶନ ମାଧ୍ୟରେ ଉଦ୍ଘାଟନୀ ଉତ୍ସବ ଦେଖୁଥିବା କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ କରତାଳି ଦେଇ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କାର୍ଯ୍ୟାଳୟରେ ଦୂରଦର୍ଶନ ମାଧ୍ୟମରେ ଉଦ୍ଘାଟନୀ ଉତ୍ସବର ସିଧା ପ୍ରସାରଣ ଦେଖିଥିଲେ। ଭାରତୀୟ କ୍ରୀଡ଼ାବିତ୍ମାନେ ଏକତ୍ରିତ ହୋଇ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା।
ସବୁ ଦଳ ମାର୍ଚ୍ଚଫାଷ୍ଟ କରି ଯିବା ପରେ ଶେଷରେ ଆୟୋଜକ ଦଳ ଜାପାନ ଷ୍ଟାଡ଼ିୟମକୁ ପ୍ରବେଶ କରିଥିଲା। ମାର୍ଚ୍ଚଫାଷ୍ଟ ଶେଷ ହେବା ପରେ ଖେଳାଳିମାନେ ଖେଳୁଆଡ଼ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇବାକୁ ଶପଥ ପାଠ କରିଥିଲେ। ନିଜ ଅଭିଭାଷଣରେ ଜାପାନ ରାଷ୍ଟ୍ରପତି ସବୁ ଦେଶର କ୍ରୀଡ଼ାବିତ୍ମାନଙ୍କୁ ଅଲିମ୍ପିକ୍ସ ନିମନ୍ତେ ସ୍ବାଗତ କରିବା ସହ ଏକ କଠିନ ସମୟରେ ଜାପାନ ଅଲିମ୍ପିକ୍ସ ଆୟୋଜନ କରି ନିଜକୁ ଧନ୍ୟ ମନେ କରୁଥିବା କହିଥିଲେ। ଏଥିସହ ଅଲିମ୍ପିକ୍ସ ଆୟୋଜନକୁ ସଫଳ କରିବାକୁ ଯେଉଁମାନଙ୍କ ଅବଦାନ ରହିଛି ସମସ୍ତଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ମୁଖ୍ୟ ଥୋମାସ୍ ବାଚ୍ ନିଜ ଅଭିଭାଷଣରେ କହିଥିଲେ କରୋନା ସଂକ୍ରମଣ କାଳରେ ଆୟୋଜିତ ହେଉଥିବା ଏହି ଅଲିମ୍ପିକ୍ସ ଆୟୋଜନ କେବଳ ଜାପାନବାସୀଙ୍କ ଦୃଢ଼ତା ଯୋଗୁଁ ସମ୍ଭବପର ହୋଇପାରିଛି।
ଏହାପରେ ଜାପାନର ସମ୍ରାଟ ନାରୁହିତୋ ଆନୁଷ୍ଠାନିକ ଭାବେ ଟୋକିଓ ଅଲିମ୍ପିକ୍ସ ଉଦ୍ଘାଟନ ଘୋଷଣା କରିଥିଲେ। କରୋନା ସଂକ୍ରମଣ ସମୟରେ ଅଲିମ୍ପିକ୍ସ ଆୟୋଜନ କରିବା ପଛରେ ଯେଉଁମାନେ ରହିଛନ୍ତି ନାରୁହିତୋ ସମସ୍ତଙ୍କୁ ସାଧୁବାଦ ଅର୍ପଣ କରିବା ସହ େଖଳାଳି ଓ ଅଧିକାରୀମାନଙ୍କୁ ସ୍ବାଗତ କରିଥିଲେ। ଅଲିମ୍ପିକ୍ ପତାକା ଉତ୍ତୋଳନ ହେବା ପରେ ଟୋକିଓ ଅଲିମ୍ପିକ୍ସର ଶୁଭାରମ୍ଭ ହୋଇଛି। ଜାପାନର ମହିଳା ଟେନିସ ତାରକା ନାଓମି ଓସାକା ଅଲିମ୍ପିକ୍ ଜ୍ୟୋତି ପ୍ରଜ୍ବଳନ କରିଥିଲେ।



