ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତି ମାମଲାରେ ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଜେରା କରିଛି ମହାରାଷ୍ଟ୍ର ପୁଲିସର ଅପରାଧ ଶାଖା (କ୍ରାଇମ ବ୍ରାଞ୍ଚ)। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କ୍ରାଇମ ବ୍ରାଞ୍ଚ ପ୍ରପର୍ଟି ସେଲ୍ ବା ସମ୍ପତ୍ତି ପ୍ରକୋଷ୍ଠ ଅଧିକାରୀମାନେ ଶୁକ୍ରବାର ଶିଳ୍ପାଙ୍କ ଜୁହୁସ୍ଥିତ ବାସଭବନରେ ପହଞ୍ଚିବା ସହ ତାଙ୍କୁ ଏହି ଅଶ୍ଳୀଳ ବ୍ୟବସାୟରେ ସମ୍ପୃକ୍ତି ନେଇ ପଚରାଉଚୁରା କରିଛନ୍ତି।
ପୂର୍ବରୁ ପୁଲିସ ପଶ୍ଚିମ ଅନ୍ଧୋରୀସ୍ଥିତ ଭିଆନ୍ ଇଣ୍ଡଷ୍ଟ୍ରିଜ୍ର କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଏଠାରୁ ଜବତ ନଥିପତ୍ର ଓ ଇଲେକ୍ଟ୍ରୋନିକ୍ ତଥ୍ୟରୁ ସୂଚନା ମିଳିଛି ଯେ କୁନ୍ଦ୍ରା ୨୦୧୯ ଅଗଷ୍ଟ ପରଠାରୁ ଦେଢ଼ ବର୍ଷ ମଧ୍ୟରେ ୧୨୧ରୁ ଅଧିକ ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରିଛନ୍ତି। ପୁଲିସ ଗିରଫ ପରଠାରୁ ୪୮ଟିଭି ଡାଟା ଆଧାରିତ ଏକ ସ୍ୟାଣ୍ଡବକ୍ସ ଜବତ କରିଛି। ସେଥିରୁ ୫୧ଟି ଅଶ୍ଳୀଳ କ୍ଲିପ୍ ଥିବାବେଳେ ୩୫ଟି ‘ହଟ୍ସଟ୍’ ଆପ୍ରେ ରହିଥିଲା। ଏ ସବୁ ଚଳଚ୍ଚିତ୍ର ମୋବାଇଲ ଆପ୍ ‘ହଟସଟ୍’ରେ ମୁକ୍ତିଲାଭ କରାଯାଉଥିଲା।
ଇଲେକ୍ଟ୍ରୋନିକ୍ ତଥ୍ୟ ଭଣ୍ଡାରରୁ ଅନେକକୁ ଉଡ଼ାଇ ଦିଆଯାଇଥିବାରୁ ପୁଲିସ ବିଶେଷଜ୍ଞଙ୍କ ମାଧ୍ୟମରେ ଏଗୁଡ଼ିକର ପୁନରୁଦ୍ଧାର କରାଇବ ବୋଲି କହିଛି। ଉକ୍ତ ଆପ୍କୁ ଗୁଗୁଲ୍ ଷ୍ଟୋର୍ରୁ ଉଡ଼ାଇ ଦିଆଯିବା ସହ ‘ଆକ୍ଟିଭେଟେଡ୍ ପ୍ଲାନ ବି’ ନାମରେ ନୂଆ ଆପ୍ କାର୍ଯ୍ୟକାରୀ କରାଯାଇଛି। ଅଦାଲତରେ ପୁଲିସ ରଖିଥିବା ତଥ୍ୟ ଅନୁସାରେ ଏହି ଆପ୍ର ଦେୟଯୁକ୍ତ ଗ୍ରାହକଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ। ଏ ବାବଦରେ କୁନ୍ଦ୍ରା ୧.୨ ନିୟୁତ ବା ବାର ଲକ୍ଷ ଡଲାର ଆୟ କରିଥିବା ସୂଚନା ମିଳିଛି। କୁନ୍ଦ୍ରାଙ୍କ ହିସାବ ସମୀକ୍ଷକ ଓ ପ୍ରଯୁକ୍ତି ବିକାଶକାରୀଙ୍କ ସୂଚନାନୁଯାୟୀ, ଏସବୁର ପ୍ରଚଳନ ବାବଦରେ ମାସିକ ୪ହଜାରରୁ ୧୦ହଜାର ପର୍ଯ୍ୟନ୍ତ ପାଉଣ୍ଡ ବ୍ୟୟ ହେଉଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଏହି ଅର୍ଥକୁ କୁନ୍ଦ୍ରା ଅନ୍ଲାଇନ୍ ବେଟିଂ ଭଳି ବେଆଇନ ବ୍ୟବସାୟରେ ବିନିଯୋଗ କରୁଥିଲେ। ୟେସ୍ ବ୍ୟାଙ୍କ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଆଫ୍ରିକାରେ ଥିବା ଆକାଉଣ୍ଟ ମାଧ୍ୟମରେ ଏହି ଅର୍ଥ କାରବାର ହେଉଥିଲା। ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।



