www.samajalive.in
Tuesday, December 9, 2025
23.1 C
Bhubaneswar

ବିନା ସୂଚନା ଫଳକରେ ପୋଖରୀ କାର୍ଯ୍ୟ ନାମରେ ୩ ଲକ୍ଷ ଟଙ୍କା ଚଳୁ, ତଦନ୍ତ ଦାବି

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ କୋଟି କୋଟି ଟଙ୍କାର କାର୍ଯ୍ୟ ଚାଲିଥିବାବେଳେ କାର୍ଯ୍ୟଗୁଡିକ ଟେଣ୍ଡର କରା ନ ଯାଇ ବିଭାଗୀୟ କର୍ମଚାରୀଙ୍କ ନାମରେ କାର୍ୟ୍ୟାଦେଶ ରଖି ସମସ୍ତ କାର୍ଯ୍ୟ କରାଯାଉଛି । ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । କାର୍ୟ୍ୟଗୁଡିକ ଗ୍ରାମରେ ଥିବା ଶାସକ ଦଳର କୁଜିନେତାମାନେ କରୁଥିବାଯୋଗୁଁ ସେମାନେ ନିଜ ଇଛା ମୁତାବକ କରୁଛନ୍ତି । ଫଳରେ କାର୍ୟ୍ୟଗୁଡିକ ନିମ୍ନ ମାନର ହେବା ସହ ସ୍ଥାୟୀତ୍ୱ ମଧ୍ୟ ବେଶିଦିନ ରହୁନାହିଁ । ସରକାର ଯେଉଁ ମହତ ଉଦେଶ୍ୟ ନେଇ ଲୋକମାନଙ୍କ ହିତରେ କାର୍ୟ୍ୟ ଗୁଡିକ କରୁଛନ୍ତି ଜନସାଧାରଣ ତାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । କିଛି ମୁଷ୍ଟିମେୟ ଲୋକ ନିମ୍ନ ମାନର କାର୍ୟ୍ୟ କରି ବେଶ ଭଲ ଫାଇଦା ହାତେଇ ନେଉଛନ୍ତି । ମନରେଗା କାର୍ୟ୍ୟ ଗୁଡିକ ସରକାରଙ୍କର ଗାଇଡ଼ଲାଇନ ଅନୁସାରେ ଶ୍ରମିକମାନଙ୍କ ଦ୍ୱାରା କରିବା ପାଇଁ ଥିବାବେଳେ ଏଠାରେ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରାଯାଇ ଅଧିକ ଲାଭ ପାଇଁ କାର୍ୟ୍ୟଗୁଡିକ ମେସିନ ଦ୍ୱାରା କରାଯାଉଛି । ଫଳରେ ଜବକାର୍ଡ଼ଧାରୀ ଶ୍ରମିକ ମାନେ କାମଧନ୍ଦା ନ ପାଇ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ।

ଏପରିକି ଶ୍ରମିକମାନଙ୍କ କାର୍ୟ୍ୟ ମେସିନ ଦ୍ୱାରା କରାଯାଉଥିବାବେଳେ ଜବକାର୍ଡଧାରୀ ମାନଙ୍କୁ କାମ ନଦେଇ ବିଲ କରିବା ପାଇଁ ସେମାନଙ୍କୁ ପାଞ୍ଚ ଶହରୁ ଏକ ହଜାର ଦେଇ କାର୍ଡ ଗୁଡିକ କରାୟତ କରି ମଷ୍ଟରରୋଲ ପ୍ରସ୍ତୁତ କରାଯାଉଛି । କାର୍ୟ୍ୟ ପ୍ରକଳ୍ପ ସଂକ୍ରାନ୍ତରେ ଜନସାଧାରଣ ଜାଣିବା ପାଇଁ ସରକାର କାର୍ୟ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ନିକଟରେ ସମସ୍ତ ବିବରଣୀ ସହିତ ଏକ ସୂଚନା ଫଳକ ମାରିବା ପାଇଁ ନିର୍ଦେଶ ଥିବାବେଳେ ଏଠାରେ କିନ୍ତୁ ତାର ବିପରୀତ କାର୍ୟ୍ୟ ଦେଖିବାକୁ ମିଳୁଛି । କାମ ସାରି ବିଲ କରିସାରିବା ପରେ ସୂଚନା ଫଳକ ଲଗାଯାଉଛି । ସୂଚନା ଫଳକ ଠିକ ସମୟରେ ଲଗା ନଯାଇ ଜନସାଧାରଣଙ୍କୁ ଅନ୍ଧାରରେ ରଖି ସମସ୍ତ ଉନ୍ନୟନ ମୂଳକ କାର୍ୟ୍ୟ କରାଯାଉଛି । ଏହିପରି ଏକ ଉଦାହରଣ ଏବେ ପୋଡାଡିହ ପଞ୍ଚାୟତର ଶଙ୍ଖୁଆ ପୋଖରୀ କାର୍ୟ୍ୟରେ ଦେଖିବାକୁ ମିଳିଛି । ବ୍ଲକ କର୍ତୃପକ୍ଷଙ୍କ ଅଗୋଚରରେ ୩ ଲକ୍ଷ ଟଙ୍କା ପଞ୍ଚାୟତ ଅର୍ଥ ରାଶିରେ ଉକ୍ତ ପୋଖରୀ କାର୍ୟ୍ୟ ଗତ ଏକ ମାସ ତଳେ କରାଯାଇଥିବାବେଳେ ସୂଚନା ଫଳକ ସେଠାରେ ଲଗାଯାଇ ନାହିଁ । ଗତ ଏକମାସ ତଳେ ଶେଷ ହୋଇଥିବା ଏହି କାର୍ୟ୍ୟ ଆରମ୍ଭ ହେବା ସମୟରେ ବ୍ଲକର କନିଷ୍ଠ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ଙ୍କର ପରାମର୍ଶ ନିଆଯାଇନାହିଁ କିମ୍ବା କାର୍ୟ୍ୟ କିପରି କରାଯିବ ସେ ସଂକ୍ରାନ୍ତରେ ସେମାନଙ୍କ ସହିତ ଆଲୋଚନା କରାଯାଇନାହିଁ । କାମ ଆରମ୍ଭ ହୋଇ ସରିଥିଲେ ମଧ୍ୟ ଦାୟିତ୍ୱରେ ଥିବା କୌଣସି ଯନ୍ତ୍ରୀ କାର୍ୟ୍ୟ କିପରି ଚାଲିଛି ତାହା ଦେଖିବା ପାଇଁ ଘଟଣାସ୍ଥଳକୁ ଥରକ ପାଇଁ ମଧ୍ୟ ଯାଇନାହାନ୍ତି । ପଞ୍ଚାୟତ କର୍ତ୍ତୃପକ୍ଷ ତାଙ୍କ ଇଚ୍ଛା ମୁତାବକ ୨ ଲକ୍ଷ ଟଙ୍କାର ମାଟି କାମ ଉକ୍ତ ପୋଖରୀରେ କରିଥିବାବେଳେ ମାଟିଗୁଡିକ ବାହାରେ ନେଇ ପକାଇବା ପରିବର୍ତ୍ତେ ପୋଖରୀ ହୁଡାର ଭିତର ପାର୍ଶ୍ଵରେ ମାଟିଗୁଡିକ ପକାଯାଇଛି । ଫଳରେ ଗୋଦର କୋଡେ ଯେତେ ମାଡ଼େ ସେତେ ନ୍ୟାୟରେ ମାଟି ଗୁଡିକ ଭିତର ପାର୍ଶ୍ଵରେ ପଡିଥିବା ଯୋଗୁଁ ବର୍ଷାରେ ମାଟି ଗୁଡିକ ଧୋଇ ହୋଇ ପୋଖରୀ ଭିତରେ ପଶି ପୁନଶ୍ଚ ପୋତି ହେଉଥିବାର ଅଭିଯୋଗ ହେଉଛି । ଏକ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ପାହାଚ କାର୍ୟ୍ୟ ନିମ୍ନ ମାନର ହୋଇଥିବା ଯୋଗୁଁ ପାହାଚ ଗୁଡିକ ଗଡ ଗଡ଼ ହୋଇ ଫାଟିଗଲାଣି । ସ୍ଥାନୀୟ ଲୋକମାନେ ଉକ୍ତ ପୋଖରୀକୁ ଯିବା ପାଇଁ ଭୟ କଲେଣି । ଜନସାଧାରଣ ଏହି କାର୍ୟ୍ୟରେ ଅସନ୍ତୋଷ ପ୍ରକାଶ କରି ବେଗୁନିଆ ବି ଡ଼ି ଓଙ୍କ ନିକଟରେ ଅଭିଯୋଗ କରିବା ସହିତ ଉକ୍ତ କାର୍ୟ୍ୟର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।

- Advertisement -

ଏ ସଂକ୍ରାନ୍ତରେ ସମ୍ପୃକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନିଳିମା ମହାନ୍ତିଙ୍କୁ ପଚାରିବାରେ ସେ ଅସନ୍ତୋଷ ପ୍ରକାଶ କରିବା ସହିତ ଉକ୍ତ କାର୍ୟ୍ୟ କେବେ ଆରମ୍ଭ ହୋଇଛି ତାହା ସେ ଜାଣିନାହାନ୍ତି, ତାଙ୍କ ଅନୁପସ୍ଥିତିରେ ତାଙ୍କୁ ନ ଜଣାଇ କାର୍ୟ୍ୟ ଆରମ୍ଭ ହୋଇଛି, ତେଣୁ ଏହି କାର୍ୟ୍ୟରେ ସେ ସନ୍ତୁଷ୍ଟ ନୁହନ୍ତି ଏବଂ ବିଲ ମଧ୍ୟ କରିବି ନାହିଁ ବୋଲି କହିଥିଲେ । ସହକାରୀ ଯନ୍ତ୍ରୀ ଉପେନ୍ଦ୍ରକୁମାର ନାୟକଙ୍କୁ ପଚାରିବାରେ ସେମାନେ ମନଇଚ୍ଛା କାର୍ୟ୍ୟ କରିଛନ୍ତି  ଆମକୁ ଜଣାଇ ନାହାନ୍ତି । ଯଦି ପୋଖରୀ ହୁଡାର ଭିତର ପାର୍ଶ୍ଵରେ ଖୋଲାଯାଇଥିବା ମାଟି ପଡିଥିବ ତାହେଲେ ସେ କାର୍ୟ୍ୟର ବିଲ କେବେ ହୋଇ ପାରିବ ନାହିଁ ବୋଲି କହିଥିଲେ ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories