www.samajalive.in
Monday, December 8, 2025
13.1 C
Bhubaneswar

୩ଟି ଅତ୍ୟାଧୁନିକ ଆଚାର ପ୍ରସ୍ତୁତି ଉଦ୍ୟୋଗ ସ୍ଥାପନ, ବାର୍ଷିକ ଉତ୍ପାଦନ ଲକ୍ଷ୍ୟ ୩୦୦ ମେଟ୍ରିକ ଟନ୍‌ ଆଚାର

ଭୁବନେଶ୍ୱର: ମହିଳାମାନଙ୍କର ଅର୍ଥନୈତିକ ଏବଂ ସାମାଜିକ ସଶକ୍ତିକରଣକୁ ମିଶନ ଶକ୍ତି ବିଭାଗ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଆସୁଛି। ସରକାରୀ ବିଭାଗଗୁଡ଼ିକ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୫ ବର୍ଷରେ ୫୦୦୦ କୋଟି ଟଙ୍କାର ବ୍ୟବସାୟ ଯୋଗାଇଦେବାକୁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଗତ ଦୁଇବର୍ଷରେ ପ୍ରାୟ ୨୮୦୦ କୋଟି ଟଙ୍କାର ବ୍ୟବସାୟ ଯୋଗାଇଦେବାରେ ମିଶନ ଶକ୍ତି ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ସେହିଭଳି ଏକ ମହତ୍‌ ପ୍ରୟାସ କ୍ରମେ ରାଜ୍ୟ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ସୁଡ଼ା)ଙ୍କ ମିଳିତ ସହଯୋଗରେ ମିଶନ ଶକ୍ତି ରାଜ୍ୟରେ ଥିବା ଆହାର କେନ୍ଦ୍ରଗୁଡ଼ିକର ଆବଶ୍ୟକତା ପୂରଣ ପାଇଁ ବାରିପଦା, ବ୍ରହ୍ମପୁର ଏବଂ ଢେଙ୍କାନାଳଠାରେ ତିନୋଟି ଅତ୍ୟାଧୁନିକ ପିକିଲ୍‌ ୟୁନିଟ୍‌(ଆଚାର ପ୍ରସ୍ତୁତି ଉଦ୍ୟୋଗ) ସ୍ଥାପନ କାର୍ଯ୍ୟ ଜାରି ରହିଛି। ଆହାର କେନ୍ଦ୍ରଗୁଡ଼ିକରେ ମାତ୍ର ୫ ଟଙ୍କାରେ ସୁଲଭ ମୂଲ୍ୟରେ ଭାତଡାଲ୍‌ମା ମିଲ୍‌ ରନ୍ଧାଖାଦ୍ୟ ଭାବେ ଯୋଗାଇ ଦିଆଯାଉଛି। ରାଜ୍ୟର ୧୬୬ଟି ଆହାର କେନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ପ୍ରତି ମିଲ୍‌ରେ ୧୦ ଗ୍ରାମର ଆଚାର ହିସାବରେ ପ୍ରତ୍ୟେକ ଦିନ ୧ ମେଟ୍ରିକ୍‌ ଟନ୍‌ ଏବଂ ବର୍ଷକୁ ପ୍ରାୟ ୩୦୦ ମେଟି୍ରକ୍‌ ଟନ୍‌ ଆଚାରର ଆବଶ୍ୟକତା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଖୋଲାବଜାରରୁ ଆଚାର କିଣି ଏହି ଚାହିଦା ପୂରଣ କରୁଥିଲେ।


ବର୍ତ୍ତମାନ ମିଶନ ଶକ୍ତି ଜରିଆରେ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାର ଆଭିମୁଖ୍ୟ ନେଇ ରାଜ୍ୟ ସରକାର ଆଂଶିକ ଯନ୍ତ୍ରଚାଳିତ ଆଚାର ଉତ୍ପାଦନ ଉଦ୍ୟୋଗ ସ୍ଥାପନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମା’ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ, ବାରିପଦା, ବିଘ୍ନେଶ୍ୱର-୨ ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ରହ୍ମପୁର ଏବଂ ମହାସଂଗମ ମିଶନ ଶକ୍ତି ଆଞ୍ଚଳିକ ମହାସଂଘ, ଢେଙ୍କାନାଳଙ୍କୁ ଏହି ତିନୋଟି ଉଦ୍ୟୋଗ ପରିଚାଳନା ପାଇଁ ଚୟନ କରାଯାଇଛି। ସେମାନେ ଆହାର କେନ୍ଦ୍ରଗୁଡ଼ିକୁ ବାର୍ଷିକ ୩୦୦ ମେଟ୍ରିକ୍‌ ଟନ୍‌ ଆଚାର ଆବଶ୍ୟକତା ଅନୁସାରେ ଯୋଗାଇଦେବେ। ପ୍ରତ୍ୟେକ ୟୁନିଟ୍‌ ୧୦ଟି ଲେଖାଏଁ ଜିଲାର ଆହାର କେନ୍ଦ୍ରକୁ ଆଚାର ଯୋଗାଇବେ।
ଆଚାର ପ୍ରସ୍ତୁତିର ବିବିଧ କୌଶଳ ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା ନିମନ୍ତେ ମିଶନ ଶକ୍ତି ବିଭାଗର ଉଦ୍ୟମରେ ଏହି ତିନୋଟିଯାକ ମିଶନ ଶକ୍ତି ଗ୍ରୁପ୍‌ କେନ୍ଦ୍ରୀୟ ଖାଦ୍ୟ ବୈଷୟିକ ଗବେଷଣା ପ୍ରତିଷ୍ଠାନ, ମହୀଶୂର(ସିଏଫ୍‌ଟିଆର୍‌ଆଇ) ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଆଚାର ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଜ୍ଞାନକୌଶଳ ଏହି ପ୍ରତିଷ୍ଠାନ ତରଫରୁ ଯୋଗାଇ ଦିଆଯିବ। ବୈଷୟିକ ଜ୍ଞାନ ଏବଂ ଅଭିଜ୍ଞତା ଆହରଣ ନିମନ୍ତେ ତିନୋଟିଯାକ ମିଶନ ଶକ୍ତି ଗ୍ରୁପ୍‌ର ସଭାପତି ଓ ସଂପାଦକଙ୍କୁ ଗତ ୨୦୨୧ ମାର୍ଚ୍ଚ ୧୭ ଓ ୧୮ ତାରିଖରେ ସିଏଫ୍‌ଟିଆର୍‌ଆଇ, ମହୀଶୂର ପରିଦର୍ଶନ ନିମନ୍ତେ ପଠାଯାଇଥିଲା।
ଆଚାର ପ୍ରସ୍ତୁତିରେ ଗୁଣବତ୍ତା ବଜାୟ ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଥିବାରୁ ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ସଂସ୍ଥାର ନିୟମାବଳୀ ଆଧାରରେ ପ୍ରତ୍ୟେକ ଆଚାର ପ୍ରସ୍ତୁତି ଉଦ୍ୟୋଗ ପାଇଁ ଜଣେ ଜଣେ ଖାଦ୍ୟ ସୁରକ୍ଷା ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆଚାର ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ଯଥା-ଆମ୍ବ, ଲେମ୍ବୁ, ଗାଜର, ଅଦା, କଞ୍ଚାଲଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଏହି ମିଶନ ଶକ୍ତି ଗ୍ରୁପ୍‌ମାନେ ସଂଗ୍ରହ କରି ମହଜୁଦ ରଖିଛନ୍ତି। ଇତି ମଧ୍ୟରେ ସିଏଫ୍‌ଟିଆର୍‌ଆଇଠାରୁ ଆବଶ୍ୟକୀୟ ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଉପକରଣ ଅଣାଯାଇ ସାରିଛି।
ପ୍ରତି ପ୍ରକଳ୍ପ ପାଇଁ ୮୦ ଲକ୍ଷ ଟଙ୍କାର ଆକଳନ କରାଯାଇଛି । ତନ୍ମଧ୍ୟରୁ ଭିତ୍ତିଭୂମି ନିର୍ମାଣ ନିମନ୍ତେ ପ୍ରକଳ୍ପ ପିଛା ୪୭ ଲକ୍ଷ ଟଙ୍କା (ସମୁଦାୟ ୧.୪୧ କୋଟି ଟଙ୍କା) ମିଶନ ଶକ୍ତି ବିଭାଗ ତରଫରୁ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ମିଶନ ଶକ୍ତି ଗ୍ରୁପ୍‌ଙ୍କୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଯନ୍ତ୍ରପାତି ଓ ଆବଶ୍ୟକ ସରଞ୍ଜାମ କିଣିବା ସହ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ୩୦ ଲକ୍ଷ ଟଙ୍କାର ମୂଳପୁଞ୍ଜି ଋଣ ଆକାରରେ ଯୋଗାଇ ଦିଆଯାଇଛି। ୟୁନିଟ୍‌ଗୁଡ଼ିକ ଅଗଷ୍ଟ ୨୦୨୧ରେ ଉତ୍ପାଦନ ଆରମ୍ଭ କରିବେ।

- Advertisement -


ପ୍ରତି ୧ କେଜି ଆଚାରର ଉତ୍ପାଦନ ଖର୍ଚ୍ଚ ୪୫ ଟଙ୍କା ହୋଇଥିବାବେଳେ କେଜି ପିଛା ୫୧ ଟଙ୍କାରେ ବିକି୍ର କରିବାକୁ ସ୍ଥିର କରାଯାଇଛି। ପ୍ରତ୍ୟେକ ୟୁନିଟ୍‌ ବାର୍ଷିକ ୧୦୦ ମେଟ୍ରିକ୍‌ ଟନ୍‌ ଆଚାର ଯୋଗାଇବା ଦ୍ୱାରା ସମସ୍ତ ଖର୍ଚ୍ଚ ବାଦ୍‌ ବାର୍ଷିକ ୬ ଲକ୍ଷ ଟଙ୍କା ଲାଭ ହେବା ଆଶା କରାଯାଏ। ଉନ୍ନତ ଜ୍ଞାନକୌଶଳ ପ୍ରୟୋଗରେ ଉତ୍ପାଦନ ବୃଦ୍ଧି ପାଇଲେ ଖୋଲାବଜାରରେ ମଧ୍ୟ ଆଚାର ବିକ୍ରି କରାଯିବ। ଏହା ଦ୍ୱାରା ଏସ୍‌ଏଚ୍‌ଜିମାନଙ୍କ ଆୟ ବୃଦ୍ଧି ପାଇବ। ଏହି ବ୍ୟବସାୟିକ ଉଦ୍ୟୋଗକୁ ସଫଳତାର ସହ କାର୍ଯ୍ୟକାରୀ କରିବା ନିମନ୍ତେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଗୋଟିଏ ବୈଷୟିକ ସହାୟତା ବ୍ୟବସ୍ଥାର ବିକାଶ କରାଯାଇଛି। ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଉଦ୍ୟୋଗୀରେ ରୂପାନ୍ତରିତ ହେବା ଦିଗରେ ଏହା ଏକ ଅନନ୍ୟ ଦୃଷ୍ଟାନ୍ତ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories