ପିପିଲି:ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଇନର୍ ହୁଇଲ କ୍ଲବ ଓ ସିଫାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ଚାରାରୋପଣ ସହ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ସିଫାର ନିର୍ଦେଶକ ଡ.ସରୋଜ କୁମାର ସ୍ୱାଇଁ ଚାରାରୋପଣର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିବା ସହ ସିଫାରେ ପଞ୍ଚବଟି ଉଦ୍ୟାନ ପ୍ରତିଷ୍ଠା କରି ସେଥିରେ ବିଭିନ୍ନ ପ୍ରକାରର ଫଳ, ଫୁଲ ଓ ଔଷଧିୟ ବୃକ୍ଷରୋପଣ କରାଯିବାକୁ ଯୋଜନା ରହିଥିବା ସଂପର୍କରେ ଆଲୋକପାତ କରିଥିଲେ।
ଯାହାକି ଛାତ୍ରଛାତ୍ରୀ ଓ ଗବେଷକଙ୍କ କାର୍ଯ୍ୟରେ ଆସିବା ସହ ଉକ୍ତ ଉଦ୍ୟାନଟି ଜିନ୍ବ୍ୟାଙ୍କ ଭଳି କାର୍ଯ୍ୟ କରିବ ବୋଲି ଡଃସ୍ୱାଇଁ ଆଶାପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଫାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ଇନର୍ ହୁଇଲ୍ କ୍ଲବ୍ର ସଭାନେତ୍ରୀ ସୁଶ୍ରୀ ସଂନ୍ଧ୍ୟା ପଟ୍ଟନାୟକ ଓ ଅଜିତାର ସଂପାଦିକା ମୌସୁମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।



