ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟ ଲିଗାଲ ସର୍ଭିସ ଅଧୀନରେ ଦ୍ବିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଦ୍ବିତୀୟ ଲୋକ ଅଦାଲତରେ ୩୫ଟି ବୀମା ରାଶି ପାଇବା ଦାବି ନେଇ ଅଭିଯୋଗକୁ ଫଇସଲା କରାଯାଇଥିଲା ଏବଂ କ୍ଷତିପୂରଣ ବାବଦରେ ୨କୋଟି ୩୨ ଲକ୍ଷ ୯୧ହଜାର ଟଙ୍କା ଆଦାୟ ହୋଇଥିଲା ବୋଲି ହାଇକୋର୍ଟ ଆଇନ ସେବା କମିଟି ସଚିବ ସୂଚନା ଦେଇଛନ୍ତି।
ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ମୁଖ୍ୟ ପାଟ୍ରନ ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ ଏସ୍.ମୁରଲିଧର ଏବଂ ଓଡ଼ିଶା ହାଇକୋର୍ଟ ଆଇନ ସେବା କମିଟିର ଅଧ୍ୟକ୍ଷ ଜଷ୍ଟିସ ସି.ଆର.ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଦ୍ବିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍.କେ.ମିଶ୍ର, ଜଷ୍ଟିସ ସି.ଆର.ଦାଶ, ଜଷ୍ଟିସ ଏସ୍.କେ.ସାହୁ, ଜଷ୍ଟିସ ବି.ପି.ରାଉତରାୟ, ଜଷ୍ଟିସ ଏସ୍. ରଥୋ ଲୋକ ଅଦାଲତର ବିଭିନ୍ନ ବେଞ୍ଚରେ ଅଧ୍ୟକ୍ଷତା କରିଥିଲେ ବୋଲି ହାଇକୋର୍ଟ ଆଇନ ସେବା କମିଟି ସଚିବ ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।



