www.samajalive.in
Friday, December 12, 2025
27.1 C
Bhubaneswar

୧୧ରେ ଖୋଲିବ ହୀରାକୁଦ ଗେଟ, ସତର୍କ ରହିବାକୁ ଡ୍ୟାମ କର୍ତ୍ତୃପକ୍ଷଙ୍କ ପରାମର୍ଶ

ଭୁବନେଶ୍ବର: ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲିବ। ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ଆଜି ସୂଚନା ଦେଇଛନ୍ତି। ବନ୍ୟା ଜଳ ନିଷ୍କାସନ ଦ୍ବାରା ମହାନଦୀ ଓ ଶାଖା ନଦୀର ଜଳସ୍ତର ବଢ଼ିବ। ତେଣୁ ନଦୀକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

ହୀରାକୁଦ ନଦୀବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଜୁଲାଇ ୧୧ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ନିଷ୍କାସନ କରାଯିବ ବୋଲି ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗୁରୁବାର ୮ ତାରିଖ ସକାଳ ୮ଟା ସମୟରେ ଜଳସ୍ତର ୬୦୭.୫୮ଫୁଟ ରହିଥିବା ବେଳେ ଉପରମୁଣ୍ଡରୁ ସେକେଣ୍ଡ ପ୍ରତି ୪୯,୭୧୨ ଘନଫୁଟ ଜଳପ୍ରବେଶ ଏବଂ ସେକେଣ୍ଡ ପ୍ରତି ୨୩,୭୬୯ ଘନଫୁଟ ଜଳ ନିଷ୍କାସିତ ହେଉଥିବା ଜଣାପଡ଼ିଛି। ଉପରମୁଣ୍ଡରେ ୩୦.୧୩ ମିମି ଏବଂ ତଳମୁଣ୍ଡରେ ୪୧.୬୩ ମିମି ବର୍ଷା ରେକର୍ଡ଼ କରାଯାଇଛି। ଗତ ମଙ୍ଗଳବାର ଜଳସ୍ତର ୬୦୬.୧୩ ଫୁଟ ଓ ବୁଧବାର ୬୦୬.୯୭ ଫୁଟ ଥିଲା।

- Advertisement -


ଆଗାମୀ ଜୁଲାଇ ୧୧ ତାରିଖ ପୂର୍ବାହ୍ନ ୧୧ଟା ପରେ ଯେକୌଣସି ସମୟରେ ପ୍ରଥମ ବନ୍ୟାଜଳ ହୀରାକୁଦ ବନ୍ଧରୁ ନିଷ୍କାସନ କରାଯିବ ବୋଲି ହୀରାକୁଦ ବନ୍ଧର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରକାଶ କରିଛନ୍ତି। ଏହାସହ ତଳମୁଣ୍ଡ ଏବଂ ନଦୀର ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ଅନୁରୋଧ କରାଯାଇଛି। ଗତ ୨୦୨୦ ମସିହାରେ ଜୁନ ୨୫ ତାରିଖ ପୂର୍ବାହ୍ନ ୧୦ଟାରେ ହୀରାକୁଦ ଡ୍ୟାମର ସ୍ଲୁଇସ ଫାଟକ ଦେଇ ମହାନଦୀକୁ ଜଳ ନିଷ୍କାସନ କରାଯାଇଥିଲା। ଗତ ୨୦୧୯ ମସିହା ଅଗଷ୍ଟ ମାସ ୧୪ ତାରିଖ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଗତ ୨୦୧୮ ମସିହାରେ ଜଳସ୍ତର ୬୦୬ ଫୁଟ ରହିଥିବା ବେଳେ ଜୁଲାଇ ମାସ ୨୩ ତାରିଖରେ ଜଳ ନିଷ୍କାସିତ କରାଯାଇଥିଲା। ଗତ ୨୦୧୭ ମସିହାରେ ଜୁଲାଇ ୨୩ ତରିଖରେ ପ୍ରଥମ ବନ୍ୟାଜଳ ନିଷ୍କାସିତ ୨ଟି ଫାଟକ ମାଧ୍ୟମରେ ହୋଇଥିଲା। ଗତ ୨୦୧୬ ମସିହା ଅଗଷ୍ଟ ୫ ତାରିଖରେ ୬୧୬ ଫୁଟ ଜଳସ୍ତର ଥିବାବେଳେ ୧୦ଟି ଗେଟ ଖୋଲାଯାଇ ୧ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଇଥିଲା।
ସାଧାରଣତଃ ହୀରାକୁଦ ଡ୍ୟାମରୁ ଅଗଷ୍ଟ ମାସରେ ଉଦ୍‌ବୃତ୍ତ ଜଳ ନିଷ୍କାସନ କରାଯାଇଥାଏ। ହେଲେ ୨୦୧୫ରେ ମଧ୍ୟ ଜୁଲାଇ ୧୩, ୨୦୧୪ରେ ଜୁଲାଇ ୨୩, ୨୦୧୩ ମସିହାରେ ଜୁଲାଇ ୨୬ ତାରିଖରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ୧୯୮୦ରେ ସର୍ବାଧିକ ୫୫ଟି ସ୍ଲୁଇସ ଓ ୩୦ଟି କ୍ରାଷ୍ଟ ଫାଟକକୁ ମିଶାଇ ୮୮ଟି ଫାଟକ ଖୋଲାଯାଇଥିଲା। ୨୦୦୧ ଜୁଲାଇ ୧୮ ତାରିଖ ୫୨ଟି ସ୍ଲୁଇସ ଫାଟକ, ୨୦୦୩ ମସିହା ଅଗଷ୍ଟ ୨୮ ତାରିଖରେ ୪୮ଟି ସ୍ଲୁଇସ ଓ ୬ଟି କ୍ରାଷ୍ଟକୁ ମିଶାଇ ୫୪ଟି ଫାଟକ, ୨୦୧୧ ମସିହାରେ ସେପ୍ଟେମ୍ବର ମାସ ୧୦ ତାରିଖ ୫୯ଟି ସ୍ଲୁଇସ ଫାଟକ ଖୋଲାଯାଇ ନଦୀକୁ ଡ୍ୟାମର ଉଦ୍‌ବୃତ୍ତ ଜଳ ଛଡ଼ାଯାଇଥିଲା। ଏବେ ଡ୍ୟାମର ବନ୍ୟାଜଳ ନିୟନ୍ତ୍ରଣ ଓ ଜଳ ନିଷ୍କାସନ କ୍ଷମତାକୁ ୧୫ ଲକ୍ଷ କ୍ୟୁସେକରୁ ୨୪ ଲକ୍ଷ କ୍ୟୁସେକକୁ ବୃଦ୍ଧି କରିବା ପାଇଁ ଅଧିକ ସ୍ପିଲୱେ ନିର୍ମାଣ ସକାଶେ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁର୍ଲା ଶକ୍ତିକେନ୍ଦ୍ରରେ ଆଜି ଗୁରୁବାର ୧୧୯.୧୨୫ ମେଗାୱାଟ ବିଜୁଳି ଉତ୍ପାଦିତ ହୋଇଥିବାସ୍ଥଳେ ଚିପିଲିମା ଶକ୍ତିକେନ୍ଦ୍ରରେ ୩୫.୫୪୨ ମେଗାୱାଟ ବିଜୁଳି ଉତ୍ପାଦନ ହୋଇଛି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories