www.samajalive.in
Friday, December 12, 2025
19.1 C
Bhubaneswar

ଅଶ୍ୱଚାଳନାରେ ଭାରତକୁ ୨ଟି ରୌପ୍ୟ

ଜାକର୍ତ୍ତା : ରବିବାର ଏସୀୟ କ୍ରୀଡାର ଅଶ୍ୱଚାଳନା (ଇକ୍ୱେଷ୍ଟ୍ରିଆନ୍‍) ଇଭେଣ୍ଟରେ ଭାରତକୁ ୨ଟି ରୌପ୍ୟପଦକ ମିଳିଛି। ବ୍ୟକ୍ତିଗତ ଜମ୍ପିଂରେ ଫୌଆଦ୍‍ ମିର୍ଜା ଦେଶ ପାଇଁ ଏହି କୃତିତ୍ୱ ଅର୍ଜନ କରିଥିବାବେଳେ ଦଳଗତ ଇଭେଣ୍ଟରେ ରାକେଶ କୁମାର, ଆଶିଷ ମଲ୍ଲିକ ଓ ଜିତେନ୍ଦ୍ର ସିଂହ ୨ୟ ସ୍ଥାନ ଅଧିକାର କରି ରୌପ୍ୟପଦକ ଜିତିଛନ୍ତି।
ଫୌଆଦ୍‍ ପ୍ରଥମେ ଡ୍ରେସେଜ୍‍ ଓ କ୍ରସ୍‍କଣ୍ଟ୍ରି ଯୋଗ୍ୟତା ପର୍ୟ୍ୟାୟରେ ୨୨.୪୦ ପଏଣ୍ଟ ସହ ଜମ୍ପିଂ ଫାଇନାଲକୁ ଉନ୍ନୀତ ହୋଇଥିଲେ। ପଦକ ରାଉଣ୍ଡରେ ଫୌଆଦ୍‍ ୨୬.୪୦ ସ୍କୋର କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଇଭେଣ୍ଟରେ ଜାପାନର ଓଇୱା ୟୋସିଆକିଙ୍କୁ ସ୍ୱର୍ଣ୍ଣ (୨୨.୭୦ ପଏଣ୍ଟ) ଓ ଚୀନର ଅୁଆ ତିଆନ୍‍ ଆଲେକ୍ସଙ୍କୁ ବ୍ରୋଞ୍ଜପଦକ (୨୭.୧୦ ପଏଣ୍ଟ) ମିଳିଛି। ୨୬ ବର୍ଷୀୟ ଫୌଆଦ୍‍ ଜର୍ମାନୀର ଅଲିମ୍ପିକ ପଦକ ବିଜେତା ଅଶ୍ୱାରୋହୀ ବେଟିନା ହୋଏଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଥିଲେ। ୟୁରୋପର ତିନିଟି ଦେଶ ଯଥା ଇଟାଲୀ, ଫ୍ରାନ୍ସ ଓ ଜର୍ମାନୀରେ ଅୁନୁଷ୍ଠିତ ତିନିଟି ଟୁର୍ଣ୍ଣାମେଣ୍ଟରେ ଉନ୍ନତ ପ୍ରଦର୍ଶନ କରିବାପରେ ଫୌଆଦ୍‍ଙ୍କୁ ଚଳିତ ଏସୀୟ କ୍ରୀଡା ପାଇଁ ମନୋନୀତ କରାଯାଇଥିଲା। ଦଳଗତ ଇଭେଣ୍ଟରେ ରାକେଶ କୁମାର, ଆଶିଷ ମଲ୍ଲିକ ଓ ଜିତେନ୍ଦ୍ର ସିଂହ ମୋଟ ୧୨୧.୩୦ ପଏଣ୍ଟ ସ୍କୋର କରି ୨ୟ ସ୍ଥାନରେ ରହିବା ସହ ରୌପ୍ୟପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଜାପାନକୁ ସ୍ୱର୍ଣ୍ଣ (୮୨.୪୦ ପଏଣ୍ଟ) ଓ ଥାଇଲାଣ୍ଡକୁ ବ୍ରୋଞ୍ଜପଦକ (୧୨୭.୭୦ ପଏଣ୍ଟ) ମିଳିଛି। ଭାରତ ପୂର୍ବରୁ ଏସୀୟ କ୍ରୀଡାର ଏହି ଇଭେଣ୍ଟରେ ୩ଟି ସ୍ୱର୍ଣ୍ଣ ସମେତ ମୋଟ ୧୦ଟି ପଦକ ଜିତିସାରିଛି। ୧୯୮୨ରେ ରଘୁବୀର ସିଂହ ଶେଷ ଭାରତୀୟ ପ୍ରତିଯୋଗୀଭାବେ ଏସୀୟ କ୍ରୀଡାର ଅଶ୍ୱାରୋହଣ ଇଭେଣ୍ଟରେ ବ୍ରୋଞ୍ଜପଦକ ଜିତିଥିଲେ।
ଚଳିତ ଏସୀୟ କ୍ରୀଡାରେ ଭାରତୀୟ ଅଶ୍ୱାରୋହୀଙ୍କୁ ଶେଷ ମୁହୂର୍ତ୍ତରେ ଅଂଶଗ୍ରହଣର ସୁଯୋଗ ମିଳିଥିଲା। ଭାରତୀୟ ଅଶ୍ୱଚାଳନା ଫେଡେରେସନରେ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ପ୍ରଥମେ ଭାରତୀୟ ଦଳକୁ ଅଂଶଗ୍ରହଣର ଅନୁମତି ମିଳିନଥିଲା। ତେବେ କ୍ରୀଡା ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ଅଗଷ୍ଟ ୧୭ରେ ଭାରତୀୟ ଦଳ ଇଣ୍ଡୋନେସିଆ ଅଭିମୁଖେ ଯାତ୍ରା କରିଥିଲା।
ଇକ୍ୱେଷ୍ଟିଆନ ଇଭେଣ୍ଟରେ ପ୍ରାରମ୍ଭରୁ ଶେଷ ପର୍ୟ୍ୟନ୍ତ ୩ଟି ପ୍ରସଙ୍ଗକୁ ଆଧାର କରି ପ୍ରତିଯୋଗୀଙ୍କୁ ପଏଣ୍ଟ ପ୍ରଦାନ କରାଯାଇଥାଏ। ଏଗୁଡିକ ହେଲା (୧) ଜମ୍ପିଂ ଫଲ୍ଟ୍‍ସ (ଜମ୍ପ କରିବା ସମୟରେ ଗୋଟିଏ ତ୍ରୁଟି ପାଇଁ ୪ ପଏଣ୍ଟ ବାଦ ଦିଆଯାଇଥାଏ), (୨) ନମ୍ବର ଅଫ୍‍ ରିଫ୍ୟୁଜାଲ୍‍ସ (କୌଣସି ସମୟରେ ପ୍ରତିବନ୍ଧକ ଡେଇଁବାକୁ ଅଶ୍ୱ ଅରାଜି ହୋଇଥାଏ) ଓ (୩) ଟାଇମ ଫଲ୍ଟ୍‍ସ (ନିର୍ଦ୍ଧାରିତ ସମୟ ତୁଳନାରେ ଅଶ୍ୱାରୋହୀ ଯେଉଁଠି ଅଧିକ ସମୟ ନେଇଥାନ୍ତି)। ଏହି ଇଭେଣ୍ଟରେ ଯଦି ଅଶ୍ୱ ଦୁଇଥର ପ୍ରତିବନ୍ଧକ ଡେଇଁବାକୁ ଅରାଜି ହୁଏ ତେବେ ପ୍ରତିଯୋଗୀ ଅଯୋଗ୍ୟ ଘୋଷିତ ହୋଇଥାନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories