ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଭାରତ ଛାଡି ବିଦେଶକୁ ପଳାୟନ କରିଥିବା ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ୯,୦୪୧ କୋଟି ଟଙ୍କା ମୂଲ୍ୟର ସଂଲଗ୍ନ ସମ୍ପତ୍ତିକୁ ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କକୁ ହସ୍ତାନ୍ତର କରିଛି। ସମ୍ପୃକ୍ତ ୩ ପଳାତକ ବ୍ୟବସାୟୀ ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଋଣ ନେଇ ବିଦେଶ ପଳାୟନ କରିଛନ୍ତି ଯାହା ଫଳରେ ସେହି ବ୍ୟାଙ୍କଗୁଡିକ ପ୍ରଭୂତ ଆର୍ଥିକ କ୍ଷତି ମଧ୍ୟରେ ଗତି କରୁଛନ୍ତି।
ଏକ ସରକାରୀ ବିବୃତ୍ତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଆଜି ସୁଦ୍ଧା ମୋଟ ୧୮,୧୭୦.୦୨ କୋଟିର ସମ୍ପତ୍ତି ସଂଲଗ୍ନ କରାଯାଇଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟର ଧାରା ଅନୁଯାୟୀ ୩୨୯.୬୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି ଏବଂ ୯,୦୪୧.୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡିକୁ ହସ୍ତାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଋଣ ଆଦାୟ ଟ୍ରିବ୍ୟୁନାଲ୍, ୟୁନାଇଟେଡ୍ ବ୍ରୁରିଜ୍ ଲିମିଟେଡର ୫,୮୦୦ କୋଟି ଟଙ୍କାରୁ ଅଧିକ ଅଂଶଧନ ବିକ୍ରି କରିଛି ଯାହା ପଳାତକ ମଦ ବ୍ୟବସାୟୀ ମାଲ୍ୟାଙ୍କ ବିରୋଧରେ ବ୍ୟାଙ୍କ ଠକେଇ ଘଟଣାର ଏକ ଅଂଶ ଭାବରେ ନିୟମ ଅନୁଯାୟୀ ସଂଲଗ୍ନ ହୋଇଛି। ତେବେ ଜୁନ୍ ୨୫ ସୁଦ୍ଧା ସେୟାର ବିକ୍ରୟ ଦ୍ୱାରା ୮୦୦ କୋଟି ଟଙ୍କା ସଂଗ୍ରହ ହେବ ବୋଲି ଆଶା କରାଯାଉଛି।
ବ୍ୟାଙ୍କଗୁଡ଼ିକ ପକ୍ଷରୁ ହୋଇଥିବା କ୍ଷତି ପରିମାଣର ଏହି ସମ୍ପତ୍ତି ପ୍ରାୟ ୮୦ ପ୍ରତିଶତରୁ ଅଧିକ ବୋଲି ଆକଳନ କରାଯାଇଛି।
ତଦନ୍ତରୁ ଅଧିକାଂଶ ପରିମାଣର ଜବତ ସମ୍ପତ୍ତି ବେନାମି ତୃତୀୟ ପକ୍ଷ ଓ ବିଭିନ୍ନ ଟ୍ରଷ୍ଟ ନାମରେ ରହିଥିବା ଜଣାପଡିଛି। ଏଥିମଧ୍ୟରୁ ପୂର୍ବରୁ ୩୨୯ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବାବେଳ ୯ ହଜାର ୪୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବ୍ୟାଙ୍କଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ଇତିମଧ୍ୟରେ ସେମାନଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବାପାଇଁ ସରକାରଙ୍କ ପକ୍ଷରୁ ବ୍ରିଟେନ୍, ଆଣ୍ଟିଗୁଆ ଓ ବାର୍ଗୁଡ଼ା ସରକାରଙ୍କୁ ଅନୁରୋଧ କରାଯାଇ ଏ ସଂକ୍ରାନ୍ତରେ ଉଦ୍ୟମ ଜାରି ରହିଛି।
ଇତିମଧ୍ୟରେ ବିଜୟ ମଲ୍ୟାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ୱେଷ୍ଟମିନିଷ୍ଟର୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହି ନିର୍ଦ୍ଦେଶନାମା ବ୍ରିଟେନ୍ ଉଚ୍ଚ ନ୍ୟାୟାଳୟରେ ମଧ୍ୟ କାଏମ ରହିଛି। ବ୍ରିଟେନ୍ ଉଚ୍ଚ ଅଦାଲତଙ୍କ ଏହି ରାୟ ବିରୋଧରେ ସେଠାକାର ସର୍ବୋଚ୍ଚ ଅଦାଲତରେ ଆବେଦନ କରିବା ଲାଗି ମାଲ୍ୟାଙ୍କୁ ଆବଶ୍ୟକ ଅନୁମତି ମିଳି ନ ଥିବା ଦୃଷ୍ଟିରୁ ଭାରତକୁ ତାଙ୍କର ପ୍ରତ୍ୟର୍ପଣ ହେବା ସ୍ପଷ୍ଟ ହୋଇଯାଇଛି। ସେହିଭଳି ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ଙ୍କ ଅଦାଲତ ନୀରବ ମୋଦିଙ୍କୁ ମଧ୍ୟ ଭାରତକୁ
ପ୍ରତ୍ୟର୍ପଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ପଦକ୍ଷେପ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ଅର୍ଥନୈତିକ ଅପରାଧୀ ଏବଂ ପଳାତକମାନଙ୍କର ମାମଲାକୁ ସରକାର ପ୍ରାଥମିକତା ଦେଇ ପରିଚାଳନା କରୁଛନ୍ତି। ଖୁବ୍ ଶୀଘ୍ର ଯେଭଳି ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତି କରାଯିବ ଏବଂ ସେମାନେ ହଡପ୍ କରିଥିବା ଅର୍ଥ ଯେଭଳି ଆଦାୟ କରାଯାଇପାରିବ, ସେ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଗୁଡ଼ିକ ଇତିମଧ୍ୟରେ ନିଜର ଅଂଶଧନ ବିକ୍ରିକରି ୧ ହଜାର ୩୫୭ କୋଟି ଟଙ୍କା ଭରଣା କରିସାରିଛନ୍ତି ବୋଲି ଅର୍ଥମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।



