www.samajalive.in
Monday, December 8, 2025
24.1 C
Bhubaneswar

୩ଟି ପ୍ରସଙ୍ଗରେ ବିଜେପି ବିଧାୟକ ଦଳର ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୂବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କ ପରିସଂଖ୍ୟାନର ବିଭ୍ରାନ୍ତିକର ଓ ଭୁଲ ତଥ୍ୟ ଯୋଗୁଁ ବାପା-ମାଆ ହରାଇଥିବା ଯୋଗ୍ୟ ଅନାଥ ଶିଶୁମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି। କୋଭିଡ୍ ସଂକ୍ରମିତ ମୃତାହତଙ୍କ ସଠିକ୍ ତଥ୍ୟକୁ ଆଧାର କରି ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ। ଏଥି ସହ ବିପର୍ଯ୍ୟୟ ପରିଚାଳନା ନିୟମ ୨୦୦୫ଅନୁୟାୟୀ କରୋନା ଆକ୍ରାନ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିଯାଉ। ରାଜ୍ୟବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ତୁରନ୍ତ ଲାଗୁ କରନ୍ତୁ ବୋଲି ବିଜେପି ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବୀ ଜଣାଇଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୁଚନା ଦେଇଛନ୍ତି।
ରାଜ୍ୟରେ କ୍ରମ ବର୍ଦ୍ଧିଷ୍ଣୁ କରୋନା ସଂକ୍ରମିତ ମୃତବ୍ୟକ୍ତିଙ୍କ ସଂଖ୍ୟା ରାଜ୍ୟବାସୀଙ୍କୁ ନିଶ୍ଚିନ୍ତ ଭାବରେ ମର୍ମାହତ କରୁଅଛି। ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ରାଜ୍ୟ ସରକାର ଯେଉଁ ପରିସଂଖ୍ୟାନ ପ୍ରତିଦିନ ଦେଉଛନ୍ତି, ତାହା ଗଣମାଧ୍ୟମ ମାନଙ୍କରେ ପ୍ରକାଶିତ ତଥ୍ୟ ଅନୁୟାୟୀ ମଶାଣିମାନଙ୍କରେ କୋଭିଡ ନିୟମାବଳୀ ମାନି କରାଯାଉଥିବା ଶବଦାହ ସଂଖ୍ୟା ସହ ସରକାରଙ୍କ ତଥ୍ୟ ଭୁଲ ଓ ବିଭ୍ରାନ୍ତିକର ପ୍ରମାଣିତ ହେଉଅଛି। କାରଣ ରାଜ୍ୟ ସରକାର ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଉପରେ କୌଣସି ଟିପଣୀ ବା ସ୍ପଷ୍ଟୀକରଣ ନ ଦେଇ ପରୋକ୍ଷ ଭାବରେ ଗଣମାଧ୍ୟମର ତଥ୍ୟକୁ ସ୍ୱୀକାର କରିନେଇଛନ୍ତି। ଆମ ପରମ୍ପରା ଅନୁୟାୟୀ ସର୍ବଦା ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦିଆଯାଏ। ଯଦି କରୋନା ଜନିତ ମୃତ୍ୟୁକୁ ସରକାର ଲୁଚାଇବାକୁ ଯାଇ ସତ ତଥ୍ୟ ଉପରେ ଆଧାରିତ ପରିସଂଖ୍ୟାନ ଦେବେ ନାହିଁ ତେବେ ଏହା ଏକ ଧର୍ତବ୍ୟ ଏବଂ ଜଘନ୍ୟ ଅପରାଧ ବୋଲି କହିଲେ ଭୁଲ ହେବ ନାହିଁ। ତେଣୁ ରାଜ୍ୟର ମଶାଣିମାନଙ୍କରେ କୋଭିଡ ଗାଇଡ୍ଲାଇନ୍ ମାନି କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କ ଶବଦାହ କରାଯାଉଥିବା ପରିସଂଖ୍ୟାନକୁ ଭିତିକରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାର ତଥ୍ୟକୁ ସଂଶୋଧନ କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁବିଧା ସୁଯୋଗରୁ ବଂଚିତ ପିତୃ-ମାତୃ ହୀନ ଯୋଗ୍ୟ ଅନାଥ ଶିଶୁମାନଙ୍କ ତାଲିକା ଓଡ଼ିଶାର ଜନସାଧାରଣଙ୍କ ଅବଗତି ନିମନ୍ତେ ଏକ ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରିବାକୁ ବିଜେପି ବିଧାୟକମାନେ ଦୃଢ଼଼ ଦାବୀ କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।


ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ଆଇନ ଅନୁୟାୟୀ କୋଭିଡ-୧୯କୁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା “ବିପର୍ଯ୍ୟୟ”ଭାବେ ଘୋଷଣା କରିଛି। ତେଣୁ କରୋନା ସଂକ୍ରମିତ ମୃତ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇ ଅନ୍ୟ ରାଜ୍ୟ ଯଥା – ଆସାମ, ରାଜସ୍ଥାନ ଓ ବିହାର ରାଜ୍ୟ ପରି ମୃତ ବ୍ୟକ୍ତିର ପରିବାରକୁ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ଅନୁୟାୟୀ ମାନବୀୟ ଅନୁକମ୍ପା ରାଶି ପ୍ରଦାନ କରିବାକୁ ସରକାରଙ୍କ ଠାରେ ବିଜେପି ବିଧାୟକମାନେ ଦାବି କରିଛନ୍ତି ବୋଲି ମାଝୀ କହିଛନ୍ତି।
ଦେଶର ଅଧିକାଂଶ ରାଜ୍ୟ କେନ୍ଦ୍ରୀୟ ପ୍ରଯୋଜିତ ଆୟୁଷ୍ମାନ ଭାରତ ଯୋଜନାକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରି କେନ୍ଦ୍ରୀୟ ସହାୟତା ଜରିଆରେ ସେହି ରାଜ୍ୟର ଜନସାଧାରଣଙ୍କୁ ଉତମ ସେବା ପ୍ରଦାନ କରୁଛନ୍ତି। ଓଡ଼ିଶା ସରକାର ରାଜନୈତିକ ଦୂରଭିସନ୍ଧି ରଖି ଓଡ଼ିଶାରେ କେନ୍ଦ୍ର ସହାୟତାରେ ପ୍ରଚଳିତ କେନ୍ଦ୍ର ପ୍ରାୟୋଜିତ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ ନ କରିବା ଫଳରେ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଶାବାସୀ ଉତମସେବା ପାଇବାରୁ ବଂଚିତ ହେଉଛନ୍ତି। ଆୟୁଷ୍ମାନ ଯୋଜନାକୁ ଓଡ଼ିଶା ସରକାର କାର୍ଯ୍ୟକାରୀ ନ କରିବା ଫଳରେ ରାଜ୍ୟର କେଉଁ ପ୍ରକାର ଲାଭ ହେଉଛି କିମ୍ବା ଲାଗୁକଲେ ରାଜ୍ୟ ରାଜକୋଷକୁ କେଉଁ ପ୍ରକାର କ୍ଷତିହେବ ବିଧାନସଭାରେ ତାର ସଠିକ୍ ଉତର ଦେବାକୁ ସରକାର ଅସମର୍ଥ ହୋଇଛନ୍ତି। ରାଜ୍ୟବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଦଳ ମତ ନିର୍ବିଶେଷରେ ରାଜନିତିରୁ ଉର୍ଦ୍ଧରେ ରହି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାରୁ କେନ୍ଦ୍ରୀୟ ସହାୟତା ଆଣି ରାଜ୍ୟରେ ସ୍ୱାସ୍ଥ୍ୟର ବିକାଶ କରିବା ନିହାତି ଜରୁରୀ। ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ସୁଦ୍ଧା ବାହାର ରାଜ୍ୟରେ ଥିବା ଓଡ଼ିଶାବାସୀ ଉତମ ସ୍ୱାସ୍ଥ୍ୟସେବା ପାଉ ନ ଥିବାର ଅଭିଯୋଗ କିଛି ନୁଆଁ କଥା ନୁହେଁ ଓ ଗ୍ରାମାଂଚଳର ସ୍ୱାସ୍ଥ୍ୟ ଭିତିଭୂମି ଯଥା ଡାକ୍ତର/ ସ୍ୱାସ୍ଥ୍ୟ କର୍ମୀ ଡାକ୍ତରଖାନାର ଆବଶ୍ୟକୀୟ ମେସିନ୍ ବ୍ୟବହାର ନ ହୋଇ ପଡି ରହୁଅଛି । ବିଜୁ ସ୍ୱାସ୍ଥ୍ୟ ଯୋଜନାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କର କିନ୍ତୁ କେନ୍ଦ୍ରୀୟ ପ୍ରାୟୋଜିତ ଆୟୁଷ୍ମାନ ଯୋଜନାରେ ରାଜ୍ୟ ସରକାର ସମସ୍ତ ଅଂଶ ଦେବାକୁ ପଡୁ ନ ଥିବାରୁ କେନ୍ଦ୍ରୀୟ ସହାୟତା ଅଂଶ ବଦଳରେ ରାଜ୍ୟ ସରକାରଙ୍କ ରାଜକୋଷର ପାଣ୍ଠି ସଂଚିତହେବା ଫଳରେ ଏହି ପାଣ୍ଠିର ସଦ୍ ବିନିଯୋଗ କରି ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି/ମାନବ ସମ୍ବଳ ସୃଷ୍ଟି କରାଯାଇ ପାରିବ। ତେଣୁ ବର୍ତମାନ କୋଭିଡ-୧୯ ଓ କୋଭିଡ-୧୯ ପରବର୍ତ୍ତି ସମୟରେ ରାଜ୍ୟ ବାସୀଙ୍କୁ ଉତମ ଚିକିତ୍ସା ଓ ସ୍ୱାସ୍ଥ୍ୟ ଭିତିଭୂମି ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ମଧ୍ୟ କେନ୍ଦ୍ରୀୟ ପ୍ରାୟୋଜିତ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେବା ପାଇଁ ରାଜ୍ୟ ବାସୀଙ୍କ ତରଫରୁ ବିଜେପି ବିଧାୟକଦଳ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ବିଧାୟକ ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ଡ.ମୁକେଶ ମହାଲିଙ୍ଗ, ଭବାନୀ ଭୋଇ, ଡ.ବୁଧନ ମୁର୍ମୁ, ନବଚରଣ ମାଝୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବୀ ଜଣାଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories