www.samajalive.in
Friday, December 12, 2025
23.1 C
Bhubaneswar

ପରୀକ୍ଷା ଦ୍ବନ୍ଦ୍ବର ବିକଳ୍ପ ସନ୍ଧାନ

ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବାର ପ୍ରତିଜ୍ଞା କରି ପ୍ରାୟତଃ ବର୍ଷେ ତଳେ ସମଗ୍ର ମାନବଜାତି ଆଗକୁ ବଢ଼ିଥିଲା। ଜୀବନ ବଞ୍ଚାଇବାର ପ୍ରୟାସ ପାଇଁ ପ୍ରାୟତଃ ପ୍ରତିଟି ସ୍ତରରେ ଉଦ୍ୟମ ହୋଇ କବଚ ପରେ କବଚ ବାହାରିଲା; କିନ୍ତୁ ଶିକ୍ଷା ବିପର୍ଯ୍ୟୟରୁ ନିଜକୁ ମୁକୁଳାଇବାପାଇଁ ନା ବାହାରିଲା କିଛି କବଚ ନା ସେ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ କୌଣସି ସୁଯୋଗ ସୃଷ୍ଟି ହୋଇପାରିଲା! ଦାର୍ଶନିକ ଜନ ଡେଭେଙ୍କ ମତ ଥିଲା ଯେ ଶିକ୍ଷା ଜୀବନ ପାଇଁ ଏକ ପ୍ରସ୍ତୁତି ନୁହେଁ ବରଂ ଶିକ୍ଷା ହିଁ ଜୀବନ। ସାମ୍ପ୍ରତିକ ପରିସ୍ଥିତି କିନ୍ତୁ ଜୀବନର ବାସ୍ତବ ଓ ଅନିଶ୍ଚିତ ଚିତ୍ରକୁ ସ୍ପଷ୍ଟ କରିଥିଲା ବେଳେ ଶିକ୍ଷା ବ୍ୟବସ୍ଥାର ଜ୍ଞାତ ଅସହାୟତାକୁ ଅଙ୍ଗୁଳି ନିର୍ଦେଶ କରିଛି। ଏବର କୋଭିଡ-୧୯ ଦ୍ବିତୀୟ ଲହରର ଦ୍ରୁତ ସଂକ୍ରମଣକୁ ଦେଖି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାକୁ ବାତିଲ କରିଛନ୍ତି ଯାହାକି ଏକ ସମୟୋପଯୋଗୀ ପଦକ୍ଷେପ ଜଣାପଡ଼େ। ଅନେକ ରାଜ୍ୟ ସିବିଏସଇ ରାସ୍ତାକୁ ଆପଣେଇଥିଲା ବେଳେ ଓଡିଶା ସମେତ ଅନେକ ରାଜ୍ୟ ନିଜ ବୋର୍ଡର ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାକୁ ବାତିଲ କରିଛନ୍ତି। ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିଷ୍ପତ୍ତିର ଦ୍ବନ୍ଦ୍ବର କିନ୍ତୁ ଅବସାନ ଘଟିନାହିଁ। କେବଳ ଗ୍ରୀଷ୍ମକାଳୀନ ଛୁଟି ଖୋଲିବାର ନିଷ୍ପତ୍ତି ନେବାର ତତ୍ପରତା ପ୍ରକାଶ ପାଇବା ସହ କେତେ ପ୍ରତିଶତ ଶିକ୍ଷକ ଶିକ୍ଷାନୁଷ୍ଠାନକୁ ଆସିବେ ସେ ଦ୍ବନ୍ଦ୍ବର ଅବସାନ ଘଟିଛି ଯାହା! ପରିସ୍ଥିତିଗତ ବାଧ୍ୟବାଧକତା ଦୃଷ୍ଟିରୁ ପରୀକ୍ଷା ବାତିଲ ନିଷ୍ପତ୍ତିକୁ କେତେକ ଶିକ୍ଷାବିତ୍‌ ଆମେରିକୀୟ ରାଜନୈତିକ ଦାର୍ଶନିକ ମାଇକେଲ ସାଣ୍ଡେଲଙ୍କ ତତ୍ତ୍ୱ ‘ଯୋଗ୍ୟତାର ଉତ୍ପୀଡ଼ନ’ (ଟିରାନୀ ଅଫ୍‌ ମେରିଟ) ସହ ତୁଳନା କରିପାରନ୍ତି; କିନ୍ତୁ ଯେଉଁଠି ବାର୍ଷିକ ପରୀକ୍ଷା ଉପରେ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ନିର୍ଭରଶୀଳ ଏବଂ ଯେତେବେଳେ ବିନା ପରୀକ୍ଷାରେ ଡିଗ୍ରୀ ନାହିଁ ବୋଲି ଅବଧାରଣା ରହିଛି ସେତେବେଳେ ବିନା ପାଠପଢ଼ାରେ ପରୀକ୍ଷା କେତେ ଯଥାର୍ଥ ବୋଲି ଯୁକ୍ତି ଉଠିବା ସ୍ୱାଭାବିକ।

ପାଠପଢ଼ା ମୂଳରୁ ହୋଇନାହିଁ ବୋଲି ମଧ୍ୟ କୁହାଯାଇ ନ ପାରେ କାରଣ ଦ୍ରୁତ ପରିବର୍ତ୍ତନ ସହ ତାଳ ଦେଇ ଶିକ୍ଷାଦାନ ମଧ୍ୟ ଅନଲାଇନରେ ଆଗକୁ ବଢିଥିଲା। ଶିକ୍ଷା ବର୍ଷକୁ କାଟଛାଣ୍ଟ୍‌ କରି ଏବଂ ପାଠ୍ୟକ୍ରମକୁ ସଙ୍କୁଚିତ କରି ଅନଲାଇନ ଶିକ୍ଷାଦାନ ସହ କେତେକ ରାଜ୍ୟରେ ରବିବାର ସମେତ ୧୦୦ ଦିନର ଶିକ୍ଷାଦାନ ଲକ୍ଷ୍ୟ ରଖିବା କେବଳ ବ୍ୟବସ୍ଥାର ଅଙ୍ଗୀକାରବଦ୍ଧତାକୁ ହିଁ ସୂଚାଏ। ଗୁଗୁଲ ମିଟ ଓ ଜୁମ୍‌ର ଚାଟ୍‌ବାକ୍ସରେ କେବଳ ପ୍ରଶ୍ନ ପଚାରିବା କିମ୍ବା ସନ୍ଦେହ ଦୂର କରିବାର ସୁଯୋଗ ଛାତ୍ରଛାତ୍ରୀଙ୍କୁ ମିଳିଥିବାବେଳେ ‘ମୋତେ ଶୁଣିପାରଛ କି, ମୁଁ ଶୁଣାଯାଉଛି ନା ନାହିଁ’ ପରି ପ୍ରଶ୍ନ ପଚାରିବାର ବାରମ୍ବାର ସୁଯୋଗ ଶିକ୍ଷକଙ୍କୁ ମିଳିଛି ଯାହାକି ଅନଲାଇନ ଶିକ୍ଷାର ଏକ ଅପ୍ରିୟ ବାସ୍ତବତା। ବୈଷୟିକ ଜ୍ଞାନକୌଶଳକୁ ଆଧାରକରି ସ୍ବ-ଅଧ୍ୟୟନ ପାଇଁ ବିଦ୍ୟାର୍ଥୀ କେତେ ପ୍ରସ୍ତୁତ ତାହା ବୁଝିବାର ପ୍ରଥମେ ଆବଶ୍ୟକତା ଥିଲା; କାରଣ ଶିକ୍ଷକଙ୍କ ବିନା ପରାମର୍ଶ/ତତ୍ତ୍ବାବଧାନରେ ବିଦ୍ୟାର୍ଥୀଟିଏ ପାଇଁ ସ୍ବ-ଅଧ୍ୟୟନ ବେଳେବେଳେ ମିଥ୍ୟା-ସକାରାତ୍ମକ ଚିନ୍ତାଧାରାକୁ ଜନ୍ମ ଦେଇଥାଏ ଓ ବିଶ୍ୱବ୍ୟାଙ୍କର ୨୦୨୦ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ କୋଭିଡ ସମୟରେ ବାର୍ଷିକ ପରୀକ୍ଷାକୁ ନେଇ ଆପଣାଯାଇଥିବା ବିକଳ୍ପ କେବଳ ପରୀକ୍ଷା ବାତିଲ, ପରୀକ୍ଷା ସ୍ଥଗିତ ଓ ଅନଲାଇନ-ଅଫଲାଇନ ପଦ୍ଧତିରେ ପରୀକ୍ଷା ଆୟୋଜନ ମଧ୍ୟରେ ସୀମିତ। ଏସବୁକୁ ଦେଖିଲେ ପରୀକ୍ଷା ଆଧାରିତ ଶିକ୍ଷା ଓ କୋଭିଡ-୧୯ ପରି ସ୍ୱାସ୍ଥ୍ୟ ବିପର୍ଯ୍ୟୟର ସଂଘର୍ଷ ପ୍ରକୃତ ଶିକ୍ଷାର ପ୍ରାଧାନ୍ୟ/ଗୁରୁତ୍ୱ/ଆଭିମୁଖ୍ୟ/ପ୍ରାସଙ୍ଗିକତା ଉପରେ ପ୍ରଶ୍ନ ଉଠାଏ ନାହିଁ କି? କୋଭିଡ ଜନିତ ଶିକ୍ଷା ଅସହାୟତା ପାଠ୍ୟକ୍ରମ ସଂସ୍କୃତି ଓ ସାମାଜିକ-ଅର୍ଥନୈତିକ ସଂରଚନା ମଧ୍ୟରେ ଥିବା ସମ୍ପର୍କ ଓ ସାମଞ୍ଜସ୍ୟକୁ ବୁଝିବା ଦ୍ୱାରା ହିଁ ଦୂର ହୋଇ ପାରିବ ବୋଲି ଧାରଣା ଦୃଢ଼ୀଭୁତ ହୁଏ। ସେପରି ହୋଇଥିଲେ କିଛି ଗଣମାଧ୍ୟମ ସୂତ୍ର ଅନୁସାରେ ଅନଲାଇନ ଶିକ୍ଷାରୁ ଓଡ଼ିଶାରେ ୬୮.୧ ପ୍ରତିଶତ ଏବଂ ସମଗ୍ର ଦେଶରେ ୩୨.୫ ପ୍ରତିଶତ (ଆସର ଶିକ୍ଷା ସର୍ବେକ୍ଷଣ ତଥ୍ୟ, ୨୦୨୦) ବିଦ୍ୟାର୍ଥୀଙ୍କୁ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେବାପାଇଁ ପଡ଼ି ନଥାନ୍ତା। ଶିକ୍ଷାର ଜ୍ଞାତ ଅସହାୟତାକୁ ପ୍ରଦର୍ଶନ କରିବା ପୂର୍ବରୁ ଗୋଟିଏ ବ୍ୟବସ୍ଥା ଶିକ୍ଷାକୁ ନେଇ କେତେ ସଚେତନ ଓ ଦାୟିତ୍ୱସମ୍ପନ୍ନ ତାହାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିପାରିବା ହିଁ ପ୍ରକୃତ ବିଜ୍ଞତାର ପରିଚୟ ଯାହାକି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କିଛି ନୀତି ବିଶ୍ଳେଷକଙ୍କ ମତରେ ନ୍ୟାୟ ଆଧାରିତ ଏକତାକୁ ବୁଝାଏ।

- Advertisement -

ସାମାଜିକ ଗତିଶୀଳତା ପାଇଁ ପରୀକ୍ଷାକୁ ଯଦି ଏକମାତ୍ର ମାଧ୍ୟମ କରାଯାଏ ତେବେ କୋଭିଡ ପରି ସ୍ୱାସ୍ଥ୍ୟ ବିପର୍ଯ୍ୟୟ ବେଳେ ପରୀକ୍ଷା ବାତିଲ ବା ସ୍ଥଗିତ ନିଷ୍ପତ୍ତି ଗ୍ରହଣୀୟ ହୋଇପାରେ; କିନ୍ତୁ ବିକଳ୍ପ ପରୀକ୍ଷା, ବିକଳ୍ପ ମୂଲ୍ୟାୟନ ଓ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡରର ବ୍ୟବସ୍ଥା ମଧ୍ୟ ବିଦ୍ୟାର୍ଥୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ହେବା ଉଚିତ। ୧୯୧୮-୧୯ର ସ୍ପାନିସ ଫ୍ଲୁକୁ ସେତେବେଳର ବ୍ୟବସ୍ଥା ଏକ ଅଣ-ସୂଚନାଗତ ମହାମାରୀ ଘୋଷଣା କଲାପରି ଏବର କୋଭିଡ ପ୍ରଥମ ଲହର, ଦ୍ବିତୀୟ ଏବଂ ସମ୍ଭାବ୍ୟ ତୃତୀୟ ଓ ପର ଲହରଗୁଡ଼ିକୁ ଅଣ-ସୂଚନାଗତ ବୋଲି ଅଭିହିତ କରି ଶିକ୍ଷା ବ୍ୟବସ୍ଥାର ଅସହାୟତା ପ୍ରଦର୍ଶନ କରିବା ଯୁକ୍ତି ବୋଧହୁଏ ଗ୍ରହଣୀୟ ହୋଇ ନପାରେ। କାରଣ ନ୍ୟୁ-ନର୍ମାଲ ବା ନବ ସ୍ୱାଭାବିକ ନୀତିକୁ ଲକ୍ଷ୍ୟ ରଖି ଆଗକୁ ବଢ଼ିଲା ବେଳକୁ ସାମ୍ପ୍ରତିକ ଅସହାୟତା ଓ କୋଭିଡର ଦୀର୍ଘ ଅନିଶ୍ଚିତତା ହାଇ-ନର୍ମାଲ ବା ଉଚ୍ଚ ସ୍ୱାଭାବିକ ନୀତିକୁ ଆପଣାଇବାପାଇଁ ବାଧ୍ୟ କଲାଣି ଯାହାକି ଗତ ୧୫ ମାସର ଅନଲାଇନ ଶିକ୍ଷାଦାନରୁ ସ୍ପଷ୍ଟ ଜଣାପଡେ। ଯେଉଁଠି କେବଳ ବାର୍ଷିକ ପରୀକ୍ଷା ହିଁ ଶୈକ୍ଷିକ ଯୋଗ୍ୟତାର ମାପକାଠି ସେଇଠି ଶିକ୍ଷା ଓ ପରୀକ୍ଷାକୁ ନେଇ ଲାଗିରହିଥିବା ଦ୍ବନ୍ଦ୍ବ ଓ ପ୍ରତିଦ୍ବନ୍ଦ୍ବିତାକୁ ବିରାମ ଦେଇ ବିକଳ୍ପକୁ ଆପଣେଇବାର ସମୟ ଉପନୀତ। ଅବଶ୍ୟ ଏ କଥା ସ୍ବୀକାରଯୋଗ୍ୟ ଯେ ବିପର୍ଯ୍ୟୟ ବେଳେ ବିକଳ୍ପ ପସନ୍ଦ-ଅପସନ୍ଦ ଉପରେ ଭାରି ପଡ଼ିଯାଏ। ବାର୍ଷିକ ପରୀକ୍ଷା ଉପରେ କେବଳ କେନ୍ଦ୍ରୀଭୂତ ନ ହୋଇ ସମାଲୋଚନାମୂଳକ ତଥା ଗୁଣାତ୍ମକ ଚିନ୍ତନ ଆଦିକୁ ପରଖିବା ପାଇଁ ଗୋଟିଏ ଶିକ୍ଷା ବର୍ଷରେ ନିୟମିତ ବ୍ୟବଧାନରେ ପରୀକ୍ଷା କରିବାର ଆବଶ୍ୟକତା ରହିଛି ଯାହାକି କେବଳ ବିଦ୍ୟାର୍ଥୀର ଦୁର୍ବଳତାକୁ ପରଖିବାର ସୁଯୋଗ ଦେଇ ନଥାଏ, ବରଂ ଶିକ୍ଷକର ସାମର୍ଥ୍ୟକୁ ଦୃଢ଼ କରିବାର ସାହସ ସୃଷ୍ଟି କରେ ଓ ବିଶେଷତଃ ବିପର୍ଯ୍ୟୟବେଳେ ପରୀକ୍ଷା ବାତିଲ ହେବାର କଥା ଉଠିଲେ ଏଇ ସବୁ ବିକଳ୍ପ ସାମୟିକ ସୁରକ୍ଷା ଦେଇପାରିବ ବୋଲି ଆଶା କରାଯାଇପାରେ। ପରୀକ୍ଷାକୁ ନେଇ ରହିଥିବା ଦୃଢ଼ତା ନୁହେଁ ବରଂ ନମନୀୟତାର ଯେ ପ୍ରାସଙ୍ଗିକତା ରହିଛି, ଏକଥା ସ୍ବୀକାରଯୋଗ୍ୟ। ନୂଆ ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ବ୍ୟବସ୍ଥିତ ନ ହୋଇପାରେ କିନ୍ତୁ ଶିକ୍ଷକ-ଶିକ୍ଷାର୍ଥୀଙ୍କର ଯେ ଅଙ୍ଗୀକାରବଦ୍ଧତା ରହିଛି ଏହା ଅତ୍ୟନ୍ତ ସ୍ପଷ୍ଟ; କାରଣ ଆମର ରହିଥିବା ଅବଧାରଣା ଇଙ୍ଗିତ କରେ ଯେ ପ୍ରଚଳିତ ବ୍ୟବସ୍ଥାରୁ ତିଳେମାତ୍ର ବିଚ୍ୟୁତି ପ୍ରଦର୍ଶନ ଉପରେ କୁପ୍ରଭାବ ପକାଇଥାଏ; କିନ୍ତୁ ଏକ ସମ୍ପୂର୍ଣ୍ଣ ଭିନ୍ନ ପରିସ୍ଥିତିରେ ଶ୍ରେଣୀ ଶିକ୍ଷାକୁ ଛାଡ଼ି ୱେବକ୍ୟାମେରା- ଚାଟ୍‌ ଆଧାରିତ ‘ସ୍କ୍ରିନ ଶିକ୍ଷାଦାନ’କୁ ସ୍ୱଚେଷ୍ଟାରେ ନିଜକୁ ସାମିଲ କରିନେବାର ତ ଉଦାହରଣ ଆମ ଆଗରେ ଦଣ୍ଡାୟମାନ। ସ୍କ୍ରିନର ଅପରପକ୍ଷରେ କ’ଣ ଚାଲିଛି ତାହା ଜାଣିବାର ଅବକାଶ ଗୋଟିଏ ଶିକ୍ଷକ ପାଖରେ ନଥିବା ସ‌େ‌ତ୍ତ୍ବ କିମ୍ବା ଶ୍ରେଣୀଗୃହ ପରି ଜଟିଳ ପ୍ରଶ୍ନର ତୁରନ୍ତ ଓ ସରଳ ସମାଧାନର ସୁଯୋଗ ଗୋଟିଏ ବିଦ୍ୟାର୍ଥୀ ପାଖରେ ନଥିବା ସ‌େ‌ତ୍ତ୍ବ ଶିକ୍ଷାଦାନ ତ ବନ୍ଦ୍‌ ହୋଇଯାଇନାହିଁ। କେବଳ ପ୍ରୟାସ ଏତିକି ହେବା ଉଚିତ ଯେ କୌଶଳ ପରିବର୍ତ୍ତିତ ହୋଇଯାଉ କିନ୍ତୁ ମିଶ୍ରିତ ହୋଇ ନଯାଉ ଯେଉଁଠି କେବଳ ଶିକ୍ଷକ ଏକ ପ୍ରଦର୍ଶନକାରୀ ଓ ବିଦ୍ୟାର୍ଥୀ ଦେଖଣାହାରୀ ହୋଇ ରହିଯିବେ ଏବଂ ଏଇ କ୍ଷେତ୍ରରେ ମାକକୋୟାନଙ୍କର ତତ୍ତ୍ୱ ‘ଚିନ୍ତନ ଅନାବରଣ’ ପରିପ୍ରେକ୍ଷୀରେ ଶିକ୍ଷାକୁ କେବଳ ଏକ ଉତ୍ପାଦ ଭାବେ ଗଣିବା ସାର ହେବ।

ପ୍ରଥମତଃ ବାର୍ଷିକ ପରୀକ୍ଷା ଉପରେ ଗୁରୁତ୍ୱ ଦୃଷ୍ଟିରୁ ଅନଲାଇନ ଶିକ୍ଷାର ଅବାସ୍ତବ ଓ ଅନିଶ୍ଚିତତା ସମେତ ବିଦ୍ୟାର୍ଥୀଙ୍କୁ ଚାପମୁକ୍ତ କରିବାର ଲକ୍ଷ୍ୟରେ ପରୀକ୍ଷା ଓ ଆଗାମୀ କ୍ୟାରିୟରକୁ ନେଇ ଥିବା ଦ୍ବନ୍ଦ୍ବର ଅବସାନ ଘଟାଇବା ପାଇଁ ତୁରନ୍ତ ପ୍ରୟାସ ହେବା ଉଚିତ୍‌ ଏବଂ ଶିକ୍ଷକଙ୍କୁ ସୀମିତ ସମୟ ଓ ଆନୁଷ୍ଠାନିକ ସୀମିତ ସମ୍ବଳ ଯୋଗାଇଦେଇ ଚାପଗ୍ରସ୍ତ କରାନଯାଉ। ଦ୍ବିତୀୟତଃ କେବଳ ଅସହାୟତା ପ୍ରଦର୍ଶନ ନକରି ଇ-ଶିକ୍ଷାକୁ ବିକଳ୍ପ ଭାବେ ନୁହେଁ ବରଂ ଶ୍ରେଣୀ ଶିକ୍ଷାର ସାମୟିକ ପରିପୂରକ ଭାବେ ଗ୍ରହଣ କରି ଆନୁଷଙ୍ଗିକ ବିଧି ବ୍ୟବସ୍ଥାକୁ ସଜାଡ଼ି ନେବାର ଆବଶ୍ୟକତା ରହିଛି ଯାହା ଦ୍ୱାରା ଅଧା ପଢିବେ ଆଉ ଅଧା ପଢି ପାରିବେନି ସମସ୍ୟାର ସମାଧାନ ହୋଇ ପାରିବ। ତୃତୀୟତଃ ଯଦି ବାର୍ଷିକ ପରୀକ୍ଷାର ବିକଳ୍ପ ନାହିଁ ତେବେ ବାତିଲ ବେଳେ ବିକଳ୍ପ ମୂଲ୍ୟାୟନର ରୂପରେଖ ଓ ବ୍ୟବସ୍ଥା ପ୍ରସ୍ତୁତ କରି ରଖିବା ଏକ ବାଧ୍ୟବାଧକତା କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କୋଭିଡର ଆଗାମୀ ଲହରକୁ ଏଡେଇଦିଆଯାଇ ନ ପାରେ। ଆଜିର ପ୍ରସ୍ତୁତି ଉପଲବ୍ଧ ବିକଳ୍ପକୁ ନେଇ ହେବା ଉଚିତ ନଚେତ ବର୍ତ୍ତମାନର ଜ୍ଞାତ ଅସହାୟତାରେ ଶିକ୍ଷା ଭିର୍ଜିନିଆ ଇୟୁବ୍ୟାଙ୍କସଙ୍କର ତତ୍ତ୍ୱ ‘ସ୍ୱୟଂଚାଳିତ ଅସମାନତା’କୁ କାଲି ପାଇଁ ଜନ୍ମ ଦେବାର ସମ୍ଭାବନା ଯଥେଷ୍ଟ ଅଧିକ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories