www.samajalive.in
Monday, December 8, 2025
13.1 C
Bhubaneswar

ଜ୍ବରରେ ଥରୁଛି କାଶୀପୁର, ପହଞ୍ଚିନି ଡାକ୍ତରୀ ଦଳ

ରାୟଗଡ଼ା: ରାୟଗଡ଼ା ଜିଲାର କାଶୀପୁର ବ୍ଲକରେ ଏବେ ପୁଣିଥରେ ମହାବିପତ୍ତି ଦେଖାଦେଇଛି। ଆମ୍ବ ଟାକୁଆକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚିତ ଏହି ବ୍ଲକ ଏବେ ଜ୍ବରରେ ଥରୁଛି। ଜ୍ବରରେ ୪ଟି ଗ୍ରାମର ପ୍ରାୟ ୨୫ଜଣଙ୍କ ପ୍ରାଣହାନି ଘଟଣା ପରେ ସମଗ୍ର ବ୍ଲକରେ ଆତଙ୍କ ଖେଳିଯାଇଛି। ଅନ୍ୟପକ୍ଷରେ ଅବସ୍ଥା ଅଣାୟତ୍ତ ହେବାକୁ ବସିଥିବାବେଳେ ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟବିଭାଗର ସ୍ବତନ୍ତ୍ର ଦଳ ଉକ୍ତ ଗ୍ରାମ ଗୁଡ଼ିକରେ ପହଞ୍ଚିପାରିନାହାନ୍ତି ସେପଟେ ତାଲା ବନ୍ଦ ଯୋଗୁଁ ଲୋକେ ମଧ୍ୟ ଡାକ୍ତରଖାନାକୁ ଆସିପାରୁ ନ ଥିବା ଅଭିଯୋଗ ହେଉଛି।

ମାସକ ମଧ୍ୟରେ ଅଡାଝର, ସିନ୍ଦୂରଘାଟି ଓ ସୁଙ୍ଗେର୍ ପଞ୍ଚାୟତରେ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଲୋକେ ଜ୍ବରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ପ୍ରାୟ ୫୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କର ମହିଳା ଓ ପୁରୁଷ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ବେଳେ ୪ଟି ଗ୍ରାମରେ କୋକୁଆଭୟ ସୃଷ୍ଟି ହୋଇଛି। ଗୋଟିଏ ଶବକୁ ଶ୍ମଶାନରେ ଦାହ କରି ଆସିବା ପରେ ଆଉ ଗୋଟିଏ ଶବ ଶ୍ମଶାନ ମୁହାଁ ହେଉଥିବାରୁ ଏକାଧିକ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

- Advertisement -

ଏବେ ବି ଅଡାଝର ପଞ୍ଚାୟତର ଜୋଡାଆମ୍ବ, ପୁଡାପଦର, ସୁଙ୍ଗେର ପଞ୍ଚାୟତର କଣ୍ଟାମାଳ ଓ ସିନ୍ଦୂରଘାଟି ପଞ୍ଚାୟତର ସିନ୍ଦିରଘାଟି ଗ୍ରାମରେ ଲୋକେ ଚିକିତ୍ସା ସୁବିଧା ନ ପାଇ ଘର ଖଟିଆରେ ପଡିଛନ୍ତି। ସମଗ୍ର ଜିଲାରେ କରୋନାକୁ ନେଇ ତାଲା ବନ୍ଦ ହୋଇଯାଇଥିବା ବେଳେ ଗରିବଗୁରୁବା ଲୋକେ ଅଟୋ ଭଡ଼ାକରି କାଶୀପୁର କିମ୍ବା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇପାରୁନାହାନ୍ତି। ଏପଟେ ଗ୍ରାମରେ ଦେଖାଦେଇଥିବା ମହାବିପତ୍ତିକୁ ନେଇ ସ୍ଥାନୀୟ ପ୍ରଶାସନ ଅବଗତ ଥିବା ସତ୍ତ୍ବେ ଗାଁରେ ଡାକ୍ତରୀ ଦଳ ପହଞ୍ଚୁନାହିଁ। ଆମ୍ବୁଲାନ୍ସକୁ ଯୋଗାଯୋଗ କଲେ ନିୟମିତ ଭାବେ ଆମ୍ବୁଲାନ୍ସ ପହଞ୍ଚୁ ନ ଥିବା ଆକ୍ରାନ୍ତଙ୍କ ପରିବାର ଅଭିଯୋଗ କରିଛନ୍ତି। କିଛି ଆକ୍ରାନ୍ତ ଅଞ୍ଚଳରେ ମୋବାଇଲ୍ ସେବା ନ ଥିବା ଯୋଗୁଁ ଡାକ୍ତରଖାନା କିମ୍ବା ସମ୍ପର୍କୀୟଙ୍କୁ ଲୋକେ ଯୋଗାଯୋଗ କରିପାରୁ ନ ଥିବା ଜଣାପଡିଛି। ବିଶେଷ କରି ୫୦ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ ଥଣ୍ଡା, ଜ୍ବର ଓ କାଶ ହେବା ପରେ ଦିନଦିନ ଧରି ଖଟିଆରେ ପଡ଼ିଯାଉଛନ୍ତି। ପରେ ହଠାତ୍ ପ୍ରାଣ ହରାଉଥିବା ଜଣାପଡିଛି। ଅନ୍ୟ କିଛି ଗ୍ରାମରେ ଲୋକେ ସାମାନ୍ୟ ଜ୍ବରରେ ଆକ୍ରାନ୍ତ ହୋଇ ଉଚିତ୍ ସ୍ବାସ୍ଥ୍ୟସେବା ନ ପାଇ ପ୍ରାଣ ହରାଉଥିବା ଜଣାପଡିଛି।

ଏବେ ବି ଚିକିତ୍ସା ସୁବିଧା ନ ପାଇ ପୋଡ଼ାପଦର ଗ୍ରାମର ମାଲିଗାଁ ମାଝି, କେସରୀ ମାଝି, ତେଲି ମାଝି, ରାଜା ମାଝି, ଲୁବିତା ମାଝି, ଶୁକ୍ରା ମାଝି ଯୋଡାଆମ୍ବ ଗ୍ରାମର ମକରନ୍ ଗୌଡ଼ ଓ ସୀତାରାମ ମାଝି, କଣଅଟାମାଳ ଗ୍ରାମର ମାନିଡି ମାଝି ଓ ଧନଦେବୀ ମାଝି ଓ ସିନ୍ଦୂରଘାଟି ଗ୍ରାମର ଲକ୍ଷ୍ଣଣ ମାଝିଙ୍କ ପରି ଅନେକ ଲୋକେ ଡାକ୍ତରୀ ସୁବିଧା ନ ପାଇ ଘରେ ରହିଯାଇଛନ୍ତି। ଆକ୍ରାନ୍ତଙ୍କୁ ଔଷଧ କିମ୍ବା ଚିକିତ୍ସା ପାଇଁ କେହି ଆସୁ ନ ଥିବାବେଳେ ଜ୍ବରରେ ଆକ୍ରାନ୍ତଙ୍କ ବିଷୟରେ କୌଣସି ଆଶା ଦିଦି କିମ୍ବା ଅଙ୍ଗନବାଡି ଦିଦି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଉନାହାନ୍ତି ବୋଲି ଅଡାଝର ପଞ୍ଚାୟତର ସରପଞ୍ଚ ଆଦୱାର୍ ମାଝି ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରେ ଅନେକ ଯୁବକ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଚାଲିଯାଇଥିବାବେଳେ ତାଲା ବନ୍ଦ ପୂର୍ବରୁ ନିଜ ନିଜ ଅଞ୍ଚଳକୁ ଫେରିଥିବା ଜଣାପଡିଛି। ତେବେ କିଛି ଲୋକଙ୍କ ଦେହରେ କରୋନାର ଲକ୍ଷଣ ଅନୁଭୂତ ହେଉଥିବା ବେଳେ ଅଧିକାଂଶ ଲୋକେ କେବଳ ଜ୍ବରରେ ପଡି ହିଁ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହି ତିନିଟି ପଞ୍ଚାୟତର ଗାଁ ଗାଁରେ ଲୋକେ ଜ୍ବରରେ ଆକ୍ରାନ୍ତ ହୋଇପଡିଥିବା ବେଳେ ସେମାନଙ୍କ ସମସ୍ୟା ବୁଝିବାକୁ କେହି ନାହାନ୍ତି ବୋଲି ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ଏ ନେଇ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ତର ଆର୍ତ୍ତବନ୍ଧୁ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ସମ୍ପୃକ୍ତ ଗ୍ରାମ ଗୁଡ଼ିକୁ ଡାକ୍ତରୀ ଦଳ ପଠାଇ ଆକ୍ରାନ୍ତଙ୍କ ସ୍ବାବ ସଂଗ୍ରହ କରାଯିବା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories