www.samajalive.in
Monday, December 8, 2025
13.1 C
Bhubaneswar

ରାମଦେବଙ୍କ ଠାରୁ ଲିଖିତ କ୍ଷମା ପ୍ରାର୍ଥନା ଦାବିକଲା ଭାରତୀୟ ଚିକିତ୍ସକ ସଂଘ

ନୂଆଦିଲ୍ଲୀ: ଦେଶରେ କୋଭିଡ ମହାମାରୀ ସମୟରେ କରୋନା ଭୂତାଣୁ ଦ୍ୱାରା ଯେତିକି ଲୋକଙ୍କର ମୃତ୍ୟୁ ଘଟିନାହିଁ, ତାହାଠାରୁ ଅଧିକ ମୃତ୍ୟୁ ଆଧୁନିକ ଡାକ୍ତରୀ ଚିକିତ୍ସା କାରଣରୁ। ଏଭଳି ଏକ ବିବୃତି ଦେଇ ବିବାଦ ମଧ୍ୟକୁ ଟାଣି ହୋଇଯାଇଛନ୍ତି ଯୋଗଗୁରୁ ରାମଦେବ। ଏହାକୁ ନେଇ ଦେଶର ଚିକିତ୍ସକମାନେ ରାମଦେବକୁ କଡା ସମାଲୋଚନା କରିବା ସହିତ ତାଙ୍କଠାରୁ ଲିଖିତ କ୍ଷମା ପ୍ରାର୍ଥନା ଚାହିଁଛି ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ)। ରାମଦେବଙ୍କ ନିକଟକୁ ଏକ ଲିଗାଲ ନୋଟିସ ପଠାଇ ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ କୁହାଯାଇଛି ଯେ ରାମଦେବ ନିଜ ବିବୃତି ଫେରାଇ ନେବା ସହିତ ଲିଖିତ କ୍ଷମାପ୍ରାର୍ଥନା କରନ୍ତୁ। ରାମଦେବଙ୍କର ଏଭଳି ବିବୃତି ଦେଶର ଏଲୋପାଥି ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନ ସହିତ ଜଡିତ ଚିକିତ୍ସକମାନଙ୍କ ଖ୍ୟାତିକୁ ନଷ୍ଟ କରିଦେଇଛି, ଯେଉଁମାନେ ଏହି ମହାମାରୀ ସମୟରେ ଦେଶର କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ସେବା ଯୋଗାଇବା ସମୟରେ ପ୍ରାଣବଳି ଦେଇସାରିଲେଣି।
ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡିଓରେ ରାମଦେବ କହୁଥିବା ଶୁଣିବାକୁ ମିଳିଛି ଯେ ଏଲୋପାଥି ଔଷଧ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଛି। ଏହା ଚିକିତ୍ସା ସମୟରେ ଅମ୍ଳଜାନ ନପାଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଠାରୁ ଢେର ଅଧିକ। ଏପରିକି ଏଲୋପାଥିକୁ ଏକ ନିର୍ବୋଧ ଓ ଦେବାଳିଆ ବିଜ୍ଞାନ ବୋଲି ମଧ୍ୟ ସେ କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ସାରା ଦେଶର ଏଲୋପାଥି ଚିକିତ୍ସକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବାବେଳେ ରାମଦେବଙ୍କ ପତଞ୍ଜଳି ପକ୍ଷରୁ ଏହାକୁ ନେଇ ସ୍ପଷ୍ଟିକରଣ ଦିଆଯାଇଛି। ପତଞ୍ଜଳି ପକ୍ଷରୁ କୁହାଯାଇଛି ଯେ ଉକ୍ତ ଭିଡିଓକୁ କାଟଛାଣ୍ଟ କରାଯାଇଛି ଏବଂ ଉକ୍ତ ମନ୍ତବ୍ୟକୁ ବିଷୟବସ୍ତୁ ବାହାରୁ ନିଆଯାଁଇଛି। ରାମଦେବଙ୍କର ଆଧୁନିକ ଚିକିତ୍ସା ବିଜ୍ଞାନ ଏବଂ ଚିକିତ୍ସକଙ୍କ ପ୍ରତି କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ। ପତଞ୍ଜଳି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଏକ ଘରୋଇ କାର୍ଯ୍ୟକ୍ରମରେ ରାମଦେବ ତାଙ୍କ ନିକଟକୁ ଆସିଥିବା ଏକ ହ୍ୱାଟସଆପ ବାର୍ତ୍ତା ପଢୁଥିଲେ। ତେଣୁ ତାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଅଣାଯାଉଛି ତାହା ମିଥ୍ୟା ଏବଂ ଭିତ୍ତିହୀନ।
ତେବେ ରାମଦେବଙ୍କ ମନ୍ତବ୍ୟ ଉପରେ ଦେଶର ୩.୫ ଲକ୍ଷ ଚିକିତ୍ସକଙ୍କ ପ୍ରତିନିଧିତ୍ୱ କରୁଥିବା ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ), ସର୍ବଭାରତୀୟ ଚିକିତ୍ସା ସଂଘସମୂହର ମହାସଂଘ (ଏଫଏଆଇଏମଏ) ରାମଦେବଙ୍କ ନିକଟକୁ ଲିଗାଲ ନୋଟିସ ପଠାଇ ତାଙ୍କର ଏଭଳି ମନ୍ତବ୍ୟକୁ କଠୋର ନିନ୍ଦା କରିବା ସହିତ ଶସ୍ତା ପ୍ରଚାର ପାଇଁ ସେ ଏଭଳି ଭିତ୍ତିହୀନ ଓ କପୋଳକଳ୍ପିତ ମନ୍ତବ୍ୟ ଦେଇଥିବା କୁହାଯାଁଇଛି। ପୂର୍ବରୁ ଆଇଏମଏ ଗଣମାଧ୍ୟମକୁ ଏକ ବିବୃତି ଜାରିକରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାମଦେବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମହାମାରୀ ଆଇନ ଅନୁଯାୟୀ ତାଙ୍କ ପ୍ରତି ଦଣ୍ଡ ବିଧାନ କରିବାକୁ ଦାବି କରିଥିଲା। ଆଇଏମଏ କହିଛି, ରାମଦେବ ତାଙ୍କର ଔଷଧ ଉନ୍ମୋଚନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ଡାକ୍ତରମାନଙ୍କୁ ହତ୍ୟାକାରୀ ବୋଲି କହିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ସେଠାରେ ନୀରବ ରହିଥିଲେ। ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନିଲ କୋଭିଡ ଚିକିତ୍ସାରେ ସହାୟକ ହେଉଥିବା ଏବଂ ତାହାକୁ ଅନୁମୋଦନ ମିଳିଥିବା ରାମଦେବ ଦାବି କରିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ ଉକ୍ତ ଔଷଧର କାର୍ଯ୍ୟକାରିତା ଓ ପ୍ରଭାବକୁ ନେଇ ଅନୁଧ୍ୟାନ କରାଯାଇନାହିଁ କିମ୍ବା କୋଭିଡ ଚିକିତ୍ସା ପାଇଁ ପାରମ୍ପରିକ ଔଷଧକୁ ପ୍ରମାଣସିଦ୍ଧ କରାଯାଇନାହିଁ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories